Jharsuguda News
ଝାରସୁଗୁଡା: ଝାରସୁଗୁଡାର ବିଧାୟକ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ଉକ୍ତ ଆସନ ଖାଲି ପଡିଥିଲା। ଆସନ୍ତା ମାସ ଅର୍ଥାତ ମେ ୧୦ ତାରିଖରେ ଏହି ଆସନରେ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଛି। ଏହି ଆସନ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ପୂର୍ବରୁ କଂଗ୍ରେସ ଓ ବିଜେଡି ଦଳୀୟ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବିଜେପି ବିଳମ୍ବରେ ବୁଧବାର ତା’ର ପ୍ରାର୍ଥୀ ଘୋଷଣା କରିଛି। ଟଙ୍କଧର ତ୍ରିପାଠୀ ବିଜେପିରୁ ଏହି ଆସନରେ ଲଢ଼ିବା ସ୍ପଷ୍ଟ ହୋଇଛି। ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରୁ ଏହି ସୂଚନା ମିଳିଛି।
କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ ଦିପାଳୀ ଦାସ। ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ଯୁବ ଚେହେରାଙ୍କୁ ଏହି ଆସନରେ ପ୍ରାର୍ଥୀ କରିଛି। ଏହି ନିର୍ବାଚନରେ ସାଧାରଣତଃ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଟଙ୍କଧର ତ୍ରିପାଠୀ ଜଣେ ଶୃଙ୍ଖଳିତ ବ୍ୟକ୍ତିତ୍ବ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଜନ୍ମିତ ତ୍ରିପାଠୀ ଯୁବ ବୟସରୁ ହିଁ ନିଜର କୁଶଳ ସାଂଗଠନିକ ଦକ୍ଷତା ତଥା ଦେଶ ସେବାର ପ୍ରେରଣା ପାଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ । ପ୍ରାକୃତିକ ଦୁର୍ବିପାକ ସମୟରେ ତାଙ୍କର ସହଯୋଗ ଦେଖି ବିଜେପି ତାଙ୍କୁ ସଂଗଠନାତ୍ମକ କାର୍ଯ୍ୟ ଭାର ଦେଇଥିଲା । ପରେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଦାୟିତ୍ୱ ନିର୍ବାହ କରିଥିଲେ । ବର୍ତ୍ତମାନ ସେ ବିଜେପିର ରାଜ୍ୟ ସମ୍ପାଦକ ଅଛନ୍ତି ।
Follow Us