ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ: ଟଙ୍କଧର-ଦୀପାଳି ବାଦୀପାଲା

ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ: ଟଙ୍କଧର-ଦୀପାଳି ବାଦୀପାଲା

ଝାରସୁଗୁଡ଼ା: ଚଳିତ ସାଧାରଣ ନିର୍ବାଚନ ପାଇଁ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ତା’ର ପ୍ରାର୍ଥୀ ଘୋଷଣା କରିନାହିଁ। କିନ୍ତୁ ବିଜେପି ଓ ବିଜେଡି ନିଜେ ଉପନିର୍ବାଚନରେ ଦେଇଥିବା ପ୍ରାର୍ଥୀଙ୍କ ଉପରେ ପୁଣିଥରେ ଭରସା କରିଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଜୋର୍‌ସୋର୍‌ରେ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏହା କ୍ରମଶଃ ରୋଚକ ମୋଡ଼ ନେବାରେ ଲାଗିଛି। ଗତ କିଛିଦିନ ହେଲା ପ୍ରଚାର ମଇଦାନରେ ଦୀପାଳି ରଖୁଥିବା ପ୍ରଶ୍ନର ଉତ୍ତର ଅନ୍ୟ ଏକ ମଞ୍ଚରେ ଟଙ୍କଧର ରଖୁଥିବା ବେଳେ ସେଠାରେ ଟଙ୍କଧର ଛାଡ଼ିଥିବା ପ୍ରଶ୍ନର ଉତ୍ତର ପୁଣିଥରେ ଦୀପାଳି ରଖୁଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଝାରସୁଗୁଡ଼ା ରାଜନୀତିରେ ବାଦୀପାଲା ଚାଲିଥିବା ଚର୍ଚ୍ଚା ହେଉଛି। ନିକଟରେ ବିଟିଏମ୍‌ସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣପର୍ବ ଅବସରରେ ବିଜେପି ପ୍ରାର୍ଥୀ ଟଙ୍କଧର ଝାରସୁଗୁଡ଼ାରେ ସରକାରୀ କଲେଜଟିଏ ସ୍ଥାପନ ହୋଇନପାରିବା ପ୍ରସଙ୍ଗ ଉଠାଇଥିଲେ। ଦିନକପରେ ବେହେରାମାଲର ଏକ ହୋଟେଲ୍‌ରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଦୀପାଳି ଏହାର ଜବାବ ଦେଇଥିଲେ। ଯଦି ଝାରସୁଗୁଡ଼ାରେ ସରକାରୀ କଲେଜ କରିବାର ଅଛି ତ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଥିବା ତାଙ୍କ ଦଳର ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ କହି ଅନୁମତି କାହିଁକି ଆଣୁନାହାନ୍ତି ବୋଲି କହିଥିଲେ। ସେପଟେ, ଆଉ ଏକ କାର୍ଯ୍ୟକ୍ରମରେ ପୁଣିଥରେ ଟଙ୍କଧର ଉକ୍ତ ପ୍ରଶ୍ନର ଉତ୍ତର ଦେଇ ଝାରସୁଗୁଡ଼ାରେ କଲେଜ ସ୍ଥାପନ ରାଜ୍ୟ ସରକାରଙ୍କ ଦାୟିତ୍ବ, କେନ୍ଦ୍ରର ନୁହେଁ ବୋଲି କହିଥିଲେ। ଦୀପାଳି ଏକ କାର୍ଯ୍ୟକ୍ରମରେ ବିକାଶର ପ୍ରସଙ୍ଗ ଉତ୍‌ଥାପନ କରି ଝାରସୁଗୁଡ଼ାରେ ହୋଇଥିବା ତମାମ ବିକାଶର ଚିଠା ଦେଇଥିଲେ।

ଖାଲି ଏତିକି ନୁହେଁ, ଝାଡ଼େଶ୍ବର ବାବାଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯିବାବେଳେ ଗାଡ଼ି ନହଲିବା କ’ଣ ବିକାଶ ନୁହେଁ, ମଙ୍ଗଳବଜାର ରୋଡ୍‌, ପୁରୁଣାବସ୍ତିର ପିଚୁ ରୋଡ୍‌ କ’ଣ ବିକାଶ ନୁହେଁ ବୋଲି ଦୀପାଳି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଟଙ୍କଧର ୫ ବର୍ଷ ଧରି ଝାଡ଼େଶ୍ବର ମନ୍ଦିର ରାସ୍ତାର ଅବସ୍ଥା କେମିତି ଥିଲା, ତାହାର ଫଟୋ ଅଛି ବୋଲି କହିଥିଲେ। ଆହୁରି ମଧ୍ୟ କହିଥିଲେ ଯେ ୩ ମାସ ତଳେ ବିଜେପି, ପୁରୁଣାବସ୍ତି ଓ ବାବା ଝାଡ଼େଶ୍ବରଙ୍କ ଭକ୍ତଙ୍କର ଆନ୍ଦୋଳନ ପରେ ନିର୍ବାଚନକୁ ଆଖିଆଗରେ ରଖି ରାସ୍ତାରେ ପିଚୁ ଚଢ଼ାଇ ଦିଆଯାଇଛି। ପୁଣି ଏହାଉପରେ ନିଜର ପ୍ରତିକ୍ରିୟା ରଖିଥିଲେ ଦୀପାଳି। ଗଳି ଗଳିରେ ରାସ୍ତା ହେଉଛି, ଲୋକଙ୍କ ପ୍ରତିଟି ଆବଶ୍ୟକତା ପୂରଣ ହେଉଛି, ତାହା କ’ଣ ବିକାଶ ନୁହେଁ ବୋଲି କହିଥିଲେ। ରାତାରାତି ତାଜମହଲ ଛିଡ଼ା କରିଦେବା କେବେ ସମ୍ଭବ ନୁହେଁ ବୋଲି ଉତ୍ତର ରଖିଥିଲେ। କେବଳ ସେତିକି ନୁହେଁ, ବରଂ ଯେତେବେଳେ ରେଳବାଇ ଆସି ଝାରସୁଗୁଡ଼ା ସହରର ଲୋକଙ୍କୁ ଉଚ୍ଛେଦ କରିବାକୁ ନୋଟିସ୍‌ ଦେଇଥିଲା ସେତେବେଳେ ପ୍ରଶ୍ନ ପଚାରୁଥିବା ନେତା କେଉଁଠି ଥିଲେ ବୋଲି ବି ସେ ପ୍ରଶ୍ନ କରିଥିଲେ। ଦୀପାଳି ଓ ଟଙ୍କଧରଙ୍କ ଏହିଭଳି ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚର୍ଚ୍ଚା ଚା’ ଖଟିରୁ ଆରମ୍ଭ କରି ବଡ଼ ବଡ଼ ପାର୍ଟି ଯାଏ ଲମ୍ବିଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe