ବ୍ରଜରାଜନଗନ ଉପନିର୍ବାଚନ ପରେ... ଝାରସୁଗୁଡ଼ା ଜିଲ୍ଲା ରାଜନୀତି ଥଣ୍ଡା

ସବୁ ଶିବିରରେ ଖେଳିଯାଇଛି ନିରବତା, ଲୋକଙ୍କ ସମସ୍ୟା ଯଥା ପୂର୍ବଂ ତଥା ପରଂ

ବ୍ରଜରାଜନଗନ ଉପନିର୍ବାଚନ ପରେ... ଝାରସୁଗୁଡ଼ା ଜିଲ୍ଲା ରାଜନୀତି ଥଣ୍ଡା

ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନକୁ ଏକ ମାସରୁ ଅଧିକ ସମୟ ବିତିଯାଇଛି। ରେକର୍ଡ ଭୋଟରେ ବିଜୟୀ ହୋଇଥିବା ବିଧାୟିକା ଅଳକା ମହାନ୍ତି ବିଧାନସଭା ଅଧିବେଶନରେ ଯୋଗ ଦେଇସାରିଲେଣି। ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନୂତନ ମନ୍ତ୍ରିମଣ୍ଡଳ ଗଠନ ମଧ୍ୟ କରିସାରିଛନ୍ତି। ନିର୍ବାଚନ ବେଳର ତୁତୁ ମେମେ କୁଆଡ଼େ ଉଭେଇ ଯାଇଛି। ଶାସକ ଓ ବିରୋଧୀ ଉଭୟ ଶିବିର ଏବେ ନିରବ ରହିଥିବା ଦେଖା ଯାଇଛି। ନିର୍ବାଚନ ପୂର୍ବରୁ ବ୍ରଜରାଜନଗର ରାଜନୀତିକୁ ନେଇ ଯେଉଁ ତମ୍ବିତୋଫାନ ଉଠୁଥିଲା ତାହା ଆଉ ଶୁଭାଯାଉନି।

ନିର୍ବାଚନ ବେ‌ଳେ ଓରିଏଣ୍ଟ ପେପର ମିଲ୍‌, ଲଖନପୁର ବ୍ଲକ ବିଭାଜନ, ଉଚ୍ଚଶିକ୍ଷା ପାଇଁ କଲେଜ ସ୍ଥାପନ, ବେକାର ଯୁବକଙ୍କ ନିଯୁକ୍ତି, ମହାନଦୀ ଭଳି ପ୍ରସଙ୍ଗ ଉଠିଥିଲା। ମାତ୍ର, ସବୁକଥା ଏବେ ଲୋକ‌େ ଭୁଲି ଗଲେଣି। ଗୋଟିଏପଟେ ଏହିସବୁ ପ୍ରସଙ୍ଗକୁ ନେଇ ଆଲୋଚନା ବନ୍ଦ ହୋଇଯାଇଥିବାବେଳେ ଅନ୍ୟପଟେ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିବାରେ ଲାଗିଛି। ମହାନଦୀ ପରେ ଏବେ କେଲୋ ନଦୀ ଉପରେ ଛତିଶଗଡ଼ ସରକାର ଏକ ବିରାଟ ଆନିକଟ ନିର୍ମାଣ କରି ଲଖନପୁର ବ୍ଲକକୁ ଆସିଥିବା କେଲୋ ନଦୀର ଧାରକୁ ରୋକିବାକୁ ଯୋଜନା କରି ସାରିଲାଣି। କୋଇଲା ଖଣିରେ ନିଯୁକ୍ତି ନେଇ ଅସନ୍ତୁଷ୍ଟ ବ୍ରଜରାଜନଗରର ବେକାର ଯୁବକମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ‌ସାରିଲେଣି। ଜିଲ୍ଲାର ବିଭିନ୍ନ ଡାକ୍ତର ପଦବି ଖାଲି ପଡ଼ିଥିବା ସହିତ ଲଖନପୁର ବ୍ଲକ୍‌ରେ ମଧ୍ୟ ସ୍ବାସ୍ଥ୍ୟସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଜଣାଯାଇଛି। ଲୋକ‌େ ପୂର୍ବରୁ ଯେଉଁ ସମସ୍ୟା ଭିତରେ ଥିଲେ ଏବେ ମଧ୍ୟ ସେହି ସମସ୍ୟା ଭିତରେ ଅଛନ୍ତି। ତେବେ ଏକମାସ ମଧ୍ୟରେ ‌ଏହି ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ନେଇ କୌଣସି ରାଜନୈତିକ ଗତିବିଧି ଦେଖା ଯାଇନାହିଁ। ଶାସକ ଦଳ ନିରବ ରହିଥିବା ବେଳେ ବିରୋଧୀ ମଧ୍ୟ ଗୁମସୁମ ହୋଇ ବସିଛନ୍ତି।

ଏହି ନିର୍ବାଚନରେ ଦ୍ବିତୀୟ ସ୍ଥାନକୁ ଉନ୍ନୀତ କଂଗ୍ରେସ ଦଳ ପୁଣି ପୂର୍ବସ୍ଥିତିକୁ ଫେରି ଯାଇଛି। ବିଧାୟକ ପ୍ରାର୍ଥୀ କିଶୋର ପଟେଲଙ୍କୁ ଆଉ ଏହି ନିର୍ବାଚନମଣ୍ଡଳୀର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନାହିଁ। ସେହିପରି ଅମାନତ ହରାଇଥିବା ପୂର୍ବ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ମଧ୍ୟ ଦର୍ଶନ ମିଳି ନଥିବା କୁହାଯାଉଛି। ବିଧାୟିକା ଶ୍ରୀମତୀ ମହାନ୍ତି ଗତ ଏକ ମାସ ମଧ୍ୟରେ କାଁଭାଁ କେତୋଟି କାର୍ଯ୍ୟକ୍ରମରେ ଯୋଗଦେଇ ଏବେ ଭୁବନେଶ୍ବରରେ ଥିବା ଜଣାଯାଇଛି। ଝାରସୁଗୁଡ଼ା ଜିଲ୍ଲା ରାଜନୀତିର ମୁଖ୍ୟ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶିବିର ମଧ୍ୟ ନିରବ ରହିଛି। ନୂତନ ମନ୍ତ୍ରିମଣ୍ଡଳରେ ଶ୍ରୀ ଦାସ ପୁଣିଥରେ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ବ ନେଇଛନ୍ତି। ମନ୍ତ୍ରିମଣ୍ଡଳ ଗଠନ ପରେ ମନ୍ତ୍ରୀ ଶ୍ରୀ ଦାସ କିଛି ଦିନ ବିଦେଶ ଗସ୍ତରେ ଚାଲି ଯାଇଥିଲେ। ବିଦେଶରୁ ଫେରିବା ପରେ ବିଧାନସଭା ଆରମ୍ଭ ହୋଇଯାଇଛି। ସ୍ବର୍ଗତ କିଶୋର ମହାନ୍ତି ବିଜେଡି ସଭାପତି ଦାୟିତ୍ବ ନିର୍ବାହ କରୁଥିବା ବେଳେ ତାଙ୍କ ପରେ ଏହି ପଦବିରେ କାହାରିକୁ ଅବସ୍ଥାପିତ କରାଯାଇନାହିଁ। ଉପନିର୍ବାଚନ ପୂର୍ବରୁ  ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ମଧ୍ୟ ଗଠନ ହୋଇଥିଲା। ଜିଲ୍ଲାର ତିନୋଟି ପୌରସଂସ୍ଥାରେ ସେପରି କୌଣସି ଆଖିଦୃଶିଆ କାମ ଆରମ୍ଭ ହୋଇନାହିଁ। ଜିଲ୍ଲା ପରିଷଦରେ ଗୋଟିଏ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାର ସବୁ ପଞ୍ଚାୟତ ପ୍ରତିନିଧି ମଧ୍ୟ ଚୁପ୍‌ ହୋଇ ରହିଥିବା ଦେଖା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe