ଝାରସୁଗୁଡ଼ା ନିର୍ବାଚନୀ ମାମଲା: ଜବାବ ଦାଖଲ ପାଇଁ ବିଧାୟକଙ୍କୁ ଶେଷ ସୁଯୋଗ

ଝାରସୁଗୁଡ଼ା ବିଧାନସଭା ଆସନରୁ ପରାଜିତ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଦାୟର କରିଥିବା ନିର୍ବାଚନୀ ମାମଲାର ଶୁଣାଣି ସମୟରେ ପ୍ରତିପକ୍ଷ ଶ୍ରୀ ତ୍ରିପାଠୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଜବାବ ଦାଖଲ ପାଇଁ ଅଧିକ ସମୟ ଲୋଡ଼ା।

fdfhfhth

କଟକ: ଝାରସୁଗୁଡ଼ା ନିର୍ବାଚନୀ ମୋକଦ୍ଦମାରେ ଜବାବ ଦାଖଲ ପାଇଁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟ ଶେଷ ସୁଯୋଗ ଦେଇଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଝାରସୁଗୁଡ଼ା ବିଧାନସଭା ଆସନରୁ ପରାଜିତ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଦାୟର କରିଥିବା ନିର୍ବାଚନୀ ମାମଲାର ଶୁଣାଣି ସମୟରେ ପ୍ରତିପକ୍ଷ ଶ୍ରୀ ତ୍ରିପାଠୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଜବାବ ଦାଖଲ ପାଇଁ ଅଧିକ ସମୟ ଲୋଡ଼ା। ଶ୍ରୀ ତ୍ରିପାଠୀଙ୍କ ତରଫରୁ ଦାୟର ଅନ୍ତରୀଣ ଆବେଦନରେ ଦର୍ଶାଯାଇଥିଲା ଯେ କେତେକ ନଥିପତ୍ର ହସ୍ତଗତ ହୋଇଛି। ଲିଖିତ ଜବାବ ପ୍ରସ୍ତୁତ ପାଇଁ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଆବଶ୍ୟକ। ଏଥି ପାଇଁ ଆଉ କିଛି ସମୟ ପ୍ରଦାନ କରାଯାଉ।

ଅନ୍ୟପକ୍ଷରେ ଆବେଦନକାରୀଙ୍କ ତରଫରୁ ଏହି ପ୍ରସଂଗରେ ଆପତ୍ତି କରାଯାଇଥିଲା। ଜବାବ ଦାଖଲ ପାଇଁ ରହିଥିବା ସମୟସୀମା ଶେଷ ହୋଇ ସାରିଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ହାଇକୋର୍ଟ ଶ୍ରୀ ତ୍ରିପାଠୀଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ଜବାବ ଦାଖଲ ପାଇଁ ତାଙ୍କୁ ଶେଷ ସୁଯୋଗ ପ୍ରଦାନ କରିଛନ୍ତି। ଏକ ସପ୍ତାହ ଭିତରେ ସେ ମାମଲାରେ ଜବାବ ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି। ନଭେମ୍ବର ୨୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଝାରସୁଗୁଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା ପାଇଁ ପରାଜିତ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଗତ ଅଗଷ୍ଟ ୫ରେ ବିଚାର ପାଇଁ ଗ୍ରହଣ କରି ନୋଟିସ୍ ଜାରି କରିଥିଲେ। ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି ଯେ ନାମାଙ୍କନ ବେଳେ ଶ୍ରୀ ତ୍ରିପାଠୀ ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ। ଏଥିରେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ। ଏଥି ସହିତ ୮ଟି ପୁଲିଙ୍ଗ ଷ୍ଟେସନର ଭୋଟ ଗଣତିରେ ବ୍ୟାପକ ଅନିୟମିତା ହୋଇଥିବା ଅଭିଯୋଗ ରହିଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।

ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ମୋଟ ୨ ଲକ୍ଷ ୨୯ ହଜାର ୨୭୪ ଭୋଟର ରହିଥିବା ବେଳେ ୧ ଲକ୍ଷ ୯୧ ହଜାର ୧୯୯ଜଣ ମତ ଅଧିକାର ସାବ୍ୟସ୍ତ କରିଥିଲେ। ଶ୍ରୀ ତ୍ରିପାଠୀ ୯୧୧୦୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ଆବେଦନକାରୀ ୮୯୭୭୨ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ନିର୍ଦ୍ଦିଷ୍ଟ ପୋଲିଂ ଷ୍ଟେସନର ଭୋଟ ଗଣତିକୁ ନେଇ ଦୃଢ ଅଭିଯୋଗ ରହିଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଅକ୍ଟୋବର ୨୯ରେ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ଜବାବ ଦାଖଲ ପାଇଁ  ବିଧାୟକ ଶ୍ରୀ ତ୍ରିପାଠୀ ସମୟ ନେଇଥ‌ିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe