ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

Shutterstock

ରସୁଗୁଡ଼ା: ତତଲା କଡ଼େଇରେ ସିଝୁଛି ଝାରସୁଗୁଡ଼ା। ଗତ ୨ ଦିନ ହେବ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇ ରହିଛି। ବୁଧବାର ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରି ସେଲସିୟସ୍‌ ରହିଥିଲା। ତାପମାତ୍ରା ଏତେ ଅଧିକ ଯୋଗୁଁ ଦିନ ୧୦ଟା ହେଲେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ଅତି ଜରୁରୀ ନଥିଲେ କେହି ବି ଘରୁ ବାହାରୁନାହାନ୍ତି।

ସ୍ଥିତିକୁ ଆଖି ଆଗରେ ରଖି ଝାରସୁଗୁଡ଼ା ପୌରପାଳିକା ପକ୍ଷରୁ ୩୨ଟି ଜଳଛତ୍ର ଖୋଲାଯାଇଛି। ଆଉ ୧୦ଟି ଖୋଲିବାକୁ ଯୋଜନା କରାଯାଇଛି। ୧୨ଟି ପାଣି ଟାଙ୍କି ଯୋଗେ ସହରର ସମସ୍ତ ୱାର୍ଡକୁ ଜଳଯୋଗାଣ କରାଯାଉଥିବା ପୌରପାଳିକା ପକ୍ଷରୁ କୁହାଯାଇଛି। ସେପଟେ, ଦିନ ୧୧ଟା ପରେ କୌଣସି ନିର୍ମାଣ କାମ ନକରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଥିବା ସମୟରେ ଝାରସୁଗୁଡ଼ା ପୌରପାଳିକା ପକ୍ଷରୁ ଦିନ ସାଢ଼େ ୧୦ଟା ପରଠାରୁ କାମ କରିବାରେ କଟକଣା ଜାରି କରାଯାଇଥିବା ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି। କେହି ଅଂଶୁଘାତର ଶିକାର ହେଲେ ତୁରନ୍ତ ସେମାନଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ବ୍ୟବସ୍ଥା କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସେପଟେ, ସହରର ଛକ ଜାଗାମାନଙ୍କରେ ପାଣି ମାଠିଆର ପସରା ଆରମ୍ଭ ହୋଇଯାଇଛି। ଆଖୁ ରସ, ଲେମ୍ବୁ, ସୋଡ଼ା, ଲସି, ସରବତ ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଛି। ବିଭିନ୍ନ ଏନ୍‌ଜିଓ ପକ୍ଷରୁ ରାସ୍ତାରେ ପଥିକଙ୍କୁ ପିଇବା ପାଣି ବଣ୍ଟାଯିବାର ଦୃଶ୍ୟ ବି ସାମ୍ନାକୁ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe