ଝାରସୁଗୁଡ଼ା ଜିଲ୍ଲାରେ ମାରାତ୍ମକ ମ୍ୟାଲେରିଆ କାୟା ମେଲୁଛି, ଡାକ୍ତରଖାନାରେ ଆଉ ଦୁଇ ଭର୍ତ୍ତି

ଝାରସୁଗୁଡ଼ା ଜିଲ୍ଲାରେ ମାରାତ୍ମକ ମ୍ୟାଲେରିଆ କାୟା ମେଲୁଛି, ଡାକ୍ତରଖାନାରେ ଆଉ ଦୁଇ ଭର୍ତ୍ତି

ଝାରସୁଗୁଡ଼ା: ଗୋଟିଏ ପଟେ କରୋନା ସଂକ୍ରମଣର ଭୟ ଥିବା ଯୋଗୁଁ ଚିକିତ୍ସା କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ଜିଲ୍ଲାର ସରକାରୀ ଡାକ୍ତରଖାନାକୁ ରୋଗୀ ଅତି ଜରୁରୀ ପରିସ୍ଥିତିରେ ଯାଉଥିବା ଦେଖା ଯାଉଛି। ଏପଟେ ଛୋଟ ଛୋଟ କ୍ଲିନିକ ମାଧ୍ୟମରେ ରୋଗୀସେବା ଯୋଗାଇ ଆସୁଥିବା ଡାକ୍ତରମାନେ କରୋନା ଭୟରେ ଆଉ ସେବା ଯୋଗାଉ ନାହାନ୍ତି। ଫଳରେ ଗାଁ ଗଣ୍ଡାରେ ଏବେ ବହୁ ଲୋକ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି। ମାତ୍ର ‌କରୋନା ଭୟରେ ତାଙ୍କୁ ତାଙ୍କୁ ଏବେ ସ୍ବାସ୍ଥ୍ୟସେବା ମିଳିବା କଷ୍ଟକର ହୋଇ ପଡ଼ିଛି। ।

ଜିଲ୍ଲାରେ ଏବେ ବିଭିନ୍ନ ଅଞ୍ଚଳରେ ମାରାତ୍ମକ ପ୍ଲାଜମୋଡିଅମ୍‌ ଫାଲସିପାରମ୍‌ ମ୍ୟାଲେରିଆ ଦେଖା ଦେଇଥିବାରୁ ଏହା ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଇଛି। ଏହି ରୋଗରେ ଗତକାଲି ପୁଣି ୨ ଜଣ ରୋଗୀ ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। କୋଗଲାବିରା ରଘୁନାଥପାଲି ନିକଟ କେନ୍ଦୁଟିକ୍ରାର ଜଣେ ୧୫ ବର୍ଷର ବାଳିକା ଏହି ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମୁମୂର୍ଷୁ ଅବସ୍ଥାରେ ମୁଖ୍ୟ ଚିକତ୍ସାଳରେ ଭର୍ତ୍ତି ହୋଇଥିବା ବେଳେ ସମ୍ବଳପୁର ଜିଲ୍ଲା ରେଙ୍ଗାଲି ନିକଟ ବାଂଜିବେର୍ଣ୍ଣା ଗ୍ରାମର ଜଣେ ୩୪ ବର୍ଷର ଯୁବକ ମଧ୍ୟ ସମାନ ରୋଗର ଶିକାର ହୋଇ ଝାରସୁଗୁଡ଼ା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି ହୋଇଛି। ପୂର୍ବରୁ ଏଠାରେ ୭ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇ ଚିକତ୍ସା କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ଏବେ କରୋନା ଭଳି ମହାମାରୀ ମୁକାବିଲାରେ ଲାଗିଥିବା ବେଳେ ପଡ଼ିଥିବା ବେ‌ଳେ ପ୍ଲାଜମୋଡିଅମ୍‌ ଫାଲସିପାରମ୍‌ ‌ମ୍ୟାଲେରିଆ ଭଳି ସଂକ୍ରମଣ ରୋଗ କାୟା ବିସ୍ତର କରୁଥିବା ଆତଙ୍କ ସୃଷ୍ଟି କରିଛି।

ଝାରସୁଗୁଡ଼ା ସହରରେ ଏବେ ମଶା ଉପଦ୍ରବ ଚରମ ସୀମାରେ ପହଞ୍ଚିଛି। ପୌରସଂସ୍ଥା ପକ୍ଷରୁ ସହରର ନାଳ ନର୍ଦ୍ଦମା ସଫା କରିବାରେ ସେପରି ଉତ୍ସାହ ଦେଖାଉନଥିବା ଫଳରେ ପରିମଳ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ନାଳ ନର୍ଦ୍ଦମାରେ ମଶା ବଂଶ ଏବେ ସକ୍ରିୟ ହୋଇ ଉଠିଛି। ସନ୍ଧ୍ୟା ହେଲେ ମଶାଙ୍କ ଦଂଶନ ଯୋଗୁଁ ଘରେ ବସିବା କିମ୍ବା ରାତିରେ ଶୋଇବା ସମ୍ଭବ ହେଉନାହିଁ। ଦୀର୍ଘ ଦିନ ଜିଲ୍ଲାରେ ଦେଖା ଦେଉନଥିବା ଏହି ମାରତ୍ମକ ମ୍ୟାଲେରିଆ ପୁଣି ଦେଖା ଯାଇଥିବା ବେଳେ ପରିମଳ ବ୍ୟବସ୍ଥାରେ ଅବନତି ଯୋଗୁଁ ଏହି ରୋଗ ଆହୁରି ବ୍ୟାପିବାର ଆଶଙ୍କା ରହିଛି । ତେଣୁ ପ୍ରଶାସନ ପକ୍ଷରୁ ଏହା ଉପରେ ଗୁରତ୍ବ ଦିଆଯାଇ ନାଳ ନଦ୍ଦର୍ମା ପରିଷ୍କାର ପରିଚ୍ଛନ୍ନତା ଉପରେ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଉଛି।

publive-image image source- medical news today

ରାଜ୍ୟରେ ଦେଖା ଯାଉଥିବା ପ୍ରାୟ ୫ ପ୍ରକାର ମ୍ୟାଲେରିଆ ମଧ୍ୟରୁ ପ୍ଲାଜମୋଡିଅମ୍‌ ଫାଲସିପାରମ୍‌ ମ୍ୟାଲେରିଆ ଅତି ମାରାତ୍ମକ ହୋଇଥିବାରୁ ଏହାର ନିୟନ୍ତ୍ରଣ ଅତି ଜରୁରୀ ହୋଇ ପଡ଼ିଛି। ମ୍ୟାଲେରିଆ ସଂକ୍ରମିତ ରୋଗୀକୁ କାମୁଡ଼ିଥିବା ‌ମାଇ ଏନୋଫିଲିସ୍‌ ମଶା ସୁସ୍ଥ ଲୋକଙ୍କୁ କାମୁଡ଼ିବା ପରେ ରୋଗ ସଂକ୍ରମିତ ହୋଇଥାଏ। ପ୍ଲାଜମୋଡିଅମ୍‌ ଫାଲସିପାରମ୍‌ ମାରାତ୍ମକ ମ୍ୟାଲେରିଆ ହୋଇଥିବା ବେଳେ ଉପଯୁକ୍ତ ସମୟରେ ଚିକତ୍ସା ନକଲେ ରୋଗୀର ଜୀବନ ଚାଲିଯାଇଥାଏ। ପ୍ଲାଜମୋଡିଅମ୍‌ ଫାଲସିପାରମ୍‌ ଜିଲ୍ଲାରେ ଦୀର୍ଘ ବର୍ଷ ଅନ୍ତରରେ ଦେଖା ଦେଇଥିବା ଜଣାଯାଇଛି। କରୋନା ମହାମାରୀ ଯୋଗୁଁ ଲକ୍‌ଡାଉନ୍‌ ପରେ ଶ୍ରମିକଙ୍କ ଘରବାହୁଡ଼ା ବେଳେ ଏହା କୌଣସି ସଂକ୍ରମିତ ଦ୍ବାରା ପୁଣି ଫେରିଥାଇ ପାରେ ବୋଲି ଅନୁମାନ କରାଯାଉଛି। ଜିଲ୍ଲାର ଲଖନପୁର ବ୍ଲକର ପଣ୍ଡରି ଜିପି, ରେମଣ୍ଡା ଜିପି, ସୁନାରି, କୁଡ଼ା‌ଲୋଇ ଜିପି, ବ୍ରଜରାଜନନଗର ନିକଟ ରାଜପୁର ଜିପିଳ ଗୌଡ଼ମାଲ ଜିପିର ବଡ଼ଯୋବ୍‌, ଲଇକେରା ବ୍ଲକ ମୁନ୍ଦ୍ରାଯୋର, କିର୍ମିରା ବ୍ଲକର ଝାରମୁଣ୍ଡା ଜିପିର କୁଜିମାଲ ଗ୍ରାମରେ ଏହି ପ୍ଲାଜମୋଡିଅମ୍‌ ଫାଲସିପାରମ୍‌ ମ୍ୟାଲେରୀଆ ରୋଗ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ମାତ୍ର ଆଜି ରେଙ୍ଗାଲି ନିକଟରୁ ଜଣେ ରୋଗୀ ଆସିବା ପରେ ଏବେ ଏହା ସମ୍ବଲପୁର ଅଞ୍ଚଳକୁ ମଧ୍ୟ ସଂକ୍ରମିତ କରୁଥିବା ଅନୁମାନ କରାଯାଉଛି। ଜିଲ୍ଲା ମ୍ୟାଲେରିଆ ବିଭାଗରେ ବିଭିନ୍ନ ଟେକନିସିଆନ୍‌ ପଦବୀ ଖାଲି ପଡ଼ିଥିବା ବେଳେ ସାରା ସ୍ବାସ୍ଥ୍ୟ ବିଭାଗ ଏବେ କରୋନା ପ‌ଛରେ ବ୍ୟସ୍ତ ରହିଛି। ଏଭଳି ପରିସ୍ଥିତିରେ ଏହି ମାରାତ୍ମକ ‌ମ୍ୟାଲେରିଆ ନିରାକରଣ ଉପରେ ଯଦି ପଦକ୍ଷେପ ନିଆନଯାଏ ତେବେ ପରିସ୍ଥିତି ବିଷମ ହେବା ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe