ପଡ଼ୋଶୀ ଜିଲ୍ଳାରେ ଏନ୍‌ଟିପିସି ପ୍ରକଳ୍ପ, ପ୍ରଦୂଷିତ ହେବ ଝାରସୁଗୁଡା

ପଡ଼ୋଶୀ ଜିଲ୍ଳାରେ ଏନ୍‌ଟିପିସି ପ୍ରକଳ୍ପ, ପ୍ରଦୂଷିତ ହେବ ଝାରସୁଗୁଡା

ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା ସୀମାନ୍ତବର୍ତ୍ତି ସୁନ୍ଦରଗଡ ଜିଲ୍ଲା ଦର୍ଲିପାଲି ଠାରେ ଏନ୍‌ଟିପିସି ପକ୍ଷରୁ ଏକ ସୁପର ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ହେଉଛି। ଏହି ପ୍ଲାଣ୍ଟର ଆସ୍‌ପଣ୍ଡ୍‌ ସୁନ୍ଦରଗଡ଼ ଜିଲ୍ଲା ସୀମାରେ ନିର୍ମିତ ହେବା ଫଳରେ ଝାରସୁଗୁଡା ଜିଲ୍ଲାର ଲୁଇସିଂ ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବଗେଇ ନାଳଟି ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି। ଏହି ନାଳ ସୁନ୍ଦରଗଡ଼ ଜିଲ୍ଲାର ନୂଆଡିହି, ରାଏଡିହି, ଦର୍ଲିପାଲି ଦେଇ ପ୍ରବାହିତ ହୋଇ ଝାରସୁଗୁଡା ଜିଲ୍ଲାର ତିଲେଇମାଲ ଗାଧୁଆକଟା, ଟାଙ୍ଗରମୁଣ୍ଡା ଦେଇ ଶେଷରେ ବଗେଇ ନାଳରେ ମିଶିଛି। ଏହି ବଗେଇ ନାଳ ତିଲେଇମାଲ, ନିକ୍ତିମାଲ, ବଘିଆ ବେର୍ଣ୍ଣା, କୋଇଲଗା, ବାରଖଣ୍ଡିଆ, ଚାରଭାଟି ଦେଇ ବସୁନ୍ଧରା ନଦୀରେ ମିଶିଛି। ପୂର୍ବରୁ ଏହି ନାଳରେ ବର୍ଷ ତମାମ ପାଣି ରହୁଥିବାରୁ ନାଳ କଡ଼ରେ ଥିବା ଚାଷୀମାନେ ପନିପରିବା, ଆଖୁ ଆଦି ଚାଷ କରି ଆସୁଥିଲେ। ଏନ୍‌ଟିପିସି ଦ୍ୱାରା ସେହି ନାଳ ଉପରେ ଆସ୍‌ପଣ୍ଡ୍‌ ନିର୍ମାଣ ହେବା ଦ୍ୱାରା ତିଲେଇମାଲକୁ ଆସୁଥିବା ଜଳସ୍ରୋତ ବନ୍ଦ ହୋଇଯାଇଛି। ଏହାର ପ୍ରଭାବ ବଗେଇ ନାଳ ଉପରେ ପଡିବା ସହ ଜଳାଭାବ ଦେଖାଦେଇଛି। ଫଳରେ ଖରାଟିଆ ପନିପରିବା ଚାଷ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିଛି।

publive-image

ଏନ୍‌ଟିପିସି ଆସ୍‌ପଣ୍ଡ୍‌ ତିଳେଇମାଲ ଗ୍ରାମ ନିକଟରେ ରହିଥିବା ବେଳେ ନିକ୍ତିମାଲ, ବଘିଆବେର୍ଣ୍ଣା, କୋଇଲଗା, ବଲଙ୍ଗିବାହାଲ, ଲୁଇସିଂ, ଚାର୍‌ଭାଟି ଓ ଠର୍‌କସ୍‌ପୁର ୧ କିଲୋମିଟର ରୁ ୪ କିଲୋମିଟର ପରିସରରେ ରହିଛି। ଭୌଗଳିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ଏନ୍‌ଟିପିସି କାର୍ଯ୍ୟକ୍ଷମ ହେଲେ ବାୟୁ ପ୍ରବାହର ଦିଗ ଅଧିକାଂଶ ସମୟରେ ଝାରସୁଗୁଡା ଜିଲ୍ଲା ପଟକୁ ରହିବ। ଫଳରେ ଚିମିନିର ଧୂଆଁ ଯୋଗୁଁ ଝାରସୁଗୁଡା ଜିଲ୍ଲାର ଲୁଇସିଂ, ଚାନ୍ଦିନୀମାଲ, ରାଜପୁର ପଞ୍ଚାୟତ ପ୍ରଭାବିତ ହେବ। ବାୟୁ ପ୍ରଦୂଷଣ ସହିତ ଜଳ ପ୍ରଦୂଷଣ ଯୋଗୁଁ ଚାଷ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ଚାଷୀ ସନାତନ ରୋହିଦାସ, ସୁଧୀର ସାଏ ଆଶଙ୍କା ପ୍ରକାଶ କରିଛନ୍ତି । ଏବେ ପରୀକ୍ଷା ମୂଳକ ଭାବେ ତାପଜ ବିଦ୍ୟୁତ କେନ୍ଦ୍ର ଚାଲୁ କରିବା ସମୟରେ ଚିମିନିରୁ ବାହାରୁ ଥିବା ଧୂଆଁ ଲୁଇସିଂ ପଞ୍ଚାୟତ ଦିଗକୁ ବୋହି ଆସୁଥିବା ଦେଖିବାକୁ ମିଳିଛି। ଏହିଭଳି ସମସ୍ୟା ଆଶଙ୍କା କରି ୨୦୧୬ ମସିହାରେ ଏ ଅଞ୍ଚଳର ସାଧାରଣ ଜନତା ଏନ୍‌ଟିପିସି ପକ୍ଷରୁ ବ୍ରଜରାଜନଗର ଗାନ୍ଧୀଛକ ଦେଇ ଯାଉଥିବା ଯାନବାହନ ତଥା ନିର୍ମାଣ ସାମଗ୍ରୀକୁ ଅଟକାଇ ବିରୋଧ ପ୍ରଦର୍ଶନ କରିଥିଲେ। ଶେଷରେ ଝାରସୁଗୁଡା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ବୈଠକରେ ପ୍ରଭାବିତ ଅଞ୍ଚଳର ୫ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଏନ୍‌ଟିପିସି ତାର ସିଏସ୍‌ଆର ପାଣ୍ଠି ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହେବା ସହିତ ସେହି ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ଚାକିରୀ କ୍ଷେତ୍ରରେ ସୁଯୋଗ ଦେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିରେ କୋଇଲଗାରୁ ତିଳେଇମାଲ ରାସ୍ତା ନିର୍ମାଣ କରିବା ସହିତ କୋଇଲଗା ପୋଲ ନିର୍ମାଣ ପ୍ରସ୍ତାବ ରହିଥିଲା। ଏହା ସହିତ ଏନ୍‌ଟିପିସି ତାର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ୫ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ରାଜପୁର, ଲୁଇସିଂ, ଚାନ୍ଦିନୀ ଓ ଗୌରମାଲ ପଞ୍ଚାୟତରେ ପାଣ୍ଠି ଖର୍ଚ୍ଚ କରିବାକୁ ନିଷ୍ପତି ହୋଇଥିଲା। ଏହାସହିତ ଅଞ୍ଚଳର ବିକାଶ ପାଇଁ ଯୁବସମାଜର କୌଶଳ ବିକାଶ, ଜୀବନ ଜୀବିକାର ବିକାଶ, ବନ୍ଧ ଓ କଟା ର ଉନ୍ନତିକରଣ ପାନୀୟଜଳ ଯୋଗାଣ, ଗଭୀର ନଳକୂପ ଖନନ, ରାସ୍ତାକଡରେ ସୋଲାର ଲାଇଟ ଲଗାଇବା, ବୃକ୍ଷରୋପଣ ଆଦି କରିବାକୁ ପ୍ରସ୍ତାବ ରହିଥିଲା।

publive-image

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାବି ଭିତରେ ନିଯୁକ୍ତି ସୁଯୋଗ ପାଇଁ ଏନ୍‌ଟିପିସି ପକ୍ଷରୁ ୪ ଗୋଟି ପଞ୍ଚାୟତର ଶହେ ଜଣ ଯୁବକଙ୍କୁ ସିଆଇପିଇଟିରେ ୪ ଗୋଟି ବ୍ୟାଚ୍‌ରେ ପ୍ରଶିକ୍ଷଣ ଦେବାକୁ ନିଷ୍ପତ୍ତି ହୋଇଥିଲା। ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଅଞ୍ଚଳର ଡିପ୍ଲୋମା ଓ ଆଇଟିଆଇ ଛାତ୍ର ମାନଙ୍କୁ ଏନ୍‌ଟିପିସି ନିଯୁକ୍ତି ଦେବା ନେଇ ମଧ୍ୟ ପ୍ରସ୍ତାବ ରହିଥିଲା। ‌ମାତ୍ର ଏହି ଅଞ୍ଚଳର କୌଣସି ଯୁବକ ଯୁବତୀ ଏଠାରେ ନିଯୁକ୍ତି ପାଇନଥିବା ଅଭିଯୋଗ ହୋଇଛି। କେବଳ ତିଲେଇମାଲରୁ କୋଇଲଗାକୁ ଏକ ରାସ୍ତା ନିର୍ମାଣ ହୋଇଥିବା ବେଳେ ତିଲେଇମାଲରେ ଜଳଯୋଗାଣ ପାଇଁ ଏକ ଓଭରହେଡ୍‌ ଟ୍ୟାଙ୍କ୍‌ ନିର୍ମାଣ ହୋଇ ଅଚଳ ହୋଇ ପଡ଼ିଛି। ନିଷ୍ପିତି ହୋଇଥିବା ୧୧ଗୋଟି ପ୍ରସ୍ତାବ ମଧ୍ୟରୁ କେତୋଟି ପ୍ରସ୍ତାବ ଏନ୍‌ଟିପିସି କାର୍ଯ୍ୟକାରୀ କରିଛି ତାହା ଉପରେ ଜିଲ୍ଲା ପ୍ରଶାସନ ସମୀକ୍ଷା କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe