ପିଲାଙ୍କୁ ମାଗଣା ପାଠ ପଢ଼ାଉଛନ୍ତି ଦିବ୍ୟାଙ୍ଗ ଜିତେନ୍ଦ୍ର: ଜ୍ଞାନ ବାଣ୍ଟିଲେ ସରିଯିବନି, ପିଲା ଶିକ୍ଷିତ ହେଲେ ଗାଁର ବିକାଶ ହେବ

ପିଲାଙ୍କୁ ମାଗଣା ପାଠ ପଢ଼ାଉଛନ୍ତି ଦିବ୍ୟାଙ୍ଗ ଜିତେନ୍ଦ୍ର: ଜ୍ଞାନ ବାଣ୍ଟିଲେ ସରିଯିବନି, ପିଲା ଶିକ୍ଷିତ ହେଲେ ଗାଁର ବିକାଶ ହେବ

ଘୁ.ଉଦୟଗିରି: ଅତ୍ୟନ୍ତ ପଛୁଆ ତଥା ଦୁର୍ଗମ ଅଞ୍ଚଳ ଘୁ.ଉଦୟଗିରି ବ୍ଲକ୍ କତିଙ୍ଗିଆ ପଞ୍ଚାୟତର ସିପାଏଜୁ ଗ୍ରାମ। ସିପାଏଜୁ ବ୍ଲକର ଶେଷ ଗାଁ ହୋଇଥିବା ବେଳେ ସଦରମହକୁମା ଠାରୁ ୨୯ କିମି. ଦୂରରେ। ଏବେ ବି ଏଠାକୁ ମୌଳିକ ସୁବିଧା ଅପହଞ୍ଚ। ଗ୍ରାମର ପିଲାଙ୍କ ପାଇଁ କେବଳ ପ୍ରାଥମିକ ଶିକ୍ଷା ସୁବିଧା ଅଛି। ବିଦ୍ୟାଳୟରେ ମଧ୍ୟ ଅନେକ ଆନୁଷଙ୍ଗିକ ସମସ୍ୟା, ଶିକ୍ଷକ ଅଭାବ ଦୂର ହୋଇନାହିଁ। ଫଳରେ ପିଲାମାନଙ୍କୁ ସଂପୂର୍ଣ୍ଣ ଶିକ୍ଷା ମିଳିପାରୁନି। ପାଠ ଅବୁଝା ରହି ଯାଉଛି। ଏପରି ସମୟରେ ପିଲାଙ୍କ ସାହାରା ପାଲଟିଛନ୍ତି ଜିତେନ୍ଦ୍ର। ପିଲାମାନଙ୍କୁ ସେ ପ୍ରତ୍ୟେକ ବିଷୟକୁ ଅତି ସରଳ ଭାବେ ବୁଝାଇ ଦେଉଛନ୍ତି। ଦିବ୍ୟାଙ୍ଗ ଯୁବକ ଜିତେନ୍ଦ୍ର ଦିଗାଲ। 'ପିଲା ପାଠ ପଢ଼ିଲେ ହିଁ ଗାଁର ବିକାଶ ହେବ' ବୋଲି କହନ୍ତି ଜିତେନ୍ଦ୍ର। ନିଜେ ପଢ଼ିବା ସହ ନିଜ ଅଞ୍ଚଳର ପିଲାମାନଙ୍କୁ ବିନା ମୂଲ୍ୟରେ ଶିକ୍ଷାଦାନ କରୁଛନ୍ତି। ପିଲାଙ୍କ ଠାରେ କୌଣସି ବିଷୟକୁ ନେଇ ସମସ୍ୟା ଦେଖାଦେଲେ ସେ ତାକୁ ସୁନ୍ଦର ଓ ସରଳ ଭାବେ ବୁଝାଇ ଦେଉଛନ୍ତି। ତାଙ୍କର ଏହି ଭିନ୍ନ ଉଦ୍ୟମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁବ୍‌ ଚର୍ଚ୍ଚା।

publive-image

ଜିତେନ୍ଦ୍ରଙ୍କ ବାମ ଗୋଡ଼ ଓ ହାତ ଜନ୍ମରୁ ଅଚଳ। ଫଳରେ ତାଙ୍କୁ ଗୋଟିଏ ଗୋଡ଼ ଓ ହାତ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ବୃତ୍ତିରେ ବାପା ଜଣେ ଚାଷୀ। ତିନି ଝିଅରେ ଏକମାତ୍ର ପୁଅ ହେଉଛନ୍ତି ଜିତେନ୍ଦ୍ର। ନିଜସ୍ୱ ଚେଷ୍ଟାରେ +୨ ପଢ଼ା ଶେଷ କରିବା ପରେ ଏବେ କମ୍ପ୍ୟୁଟରରେ ଡିପ୍ଲୋମା କରୁଛନ୍ତି। ନିଜେ ପଢ଼ିବା ସହ ସକାଳ ଓ ସନ୍ଧ୍ୟାରେ ଗାଁ ପିଲାମାନଙ୍କୁ ମାଗଣାରେ ଟ୍ୟୁସନ୍ କରିଥାନ୍ତି। ଜିତେନ୍ଦ୍ର କହିଛନ୍ତି, ପଛୁଆ ଅଞ୍ଚଳ ହୋଇଥିବାରୁ ଏଠାରେ ଶିକ୍ଷାର ବିକାଶ ହୋଇପାରି ନାହିଁ। ଫଳରେ ଆମ ଗାଁ ପିଲାଙ୍କୁ ଉତ୍ତମ ଶିକ୍ଷା ମିଳିପାରୁନି। ମୋ ପାଖରେ ଥିବା ଜ୍ଞାନ ବାଣ୍ଟିଲେ ତାହା ସରିଯିବନି। ତେଣୁ ମୋ ନିଜର ଓ ମୋ ଗାଁ ପିଲାଙ୍କ ଶିକ୍ଷାର ବିକାଶ ପାଇଁ ମୁଁ ସେମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଛି। ଏପରି କରି ମତେ ଖୁସି ଲାଗୁଥିବା ବେଳେ ପିଲାମାନଙ୍କ ସହ ସେମାନଙ୍କ ଅଭିଭାବକଙ୍କ ଠାରୁ ସ୍ନେହ ଓ ଆଦର ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe