ସାଧାରଣ ନିର୍ବାଚନ ପରେ ପ୍ରଥମ କରି ଜେଏମଏମରେ ହଲଚଲ୍ : ମାରିସା ସେନା, ମାସା ଆର୍ମୀରୁ କର୍ମୀଙ୍କ ମିଶ୍ରଣ ପରେ ଦଳରେ ମିଶିଲେ ବିଧାୟକ ପ୍ରାର୍ଥୀ

ଦଳରୁ ଇସ୍ତଫା ଦେଲେ ରାଜ୍ୟ ସାଧାରଣ ସମ୍ପାଦକ

ସାଧାରଣ ନିର୍ବାଚନ ପରେ ପ୍ରଥମ କରି ଜେଏମଏମରେ ହଲଚଲ୍ : ମାରିସା ସେନା, ମାସା ଆର୍ମୀରୁ କର୍ମୀଙ୍କ ମିଶ୍ରଣ ପରେ ଦଳରେ ମିଶିଲେ ବିଧାୟକ ପ୍ରାର୍ଥୀ

ବାରିପଦା : ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଜେଏମଏମରେ ସାମାନ୍ୟ ଗତିଶୀଳତା ଦେଖାଦେଇଛି। ସାଧାରଣ ନିର୍ବାଚନ ପରେ ଦଳ ପ୍ରାୟତଃ ଶୀତଳ ଭଣ୍ଡାରକୁ ଚାଲିଯାଇଥିଲା। ମାତ୍ର ଚଳିତ ସପ୍ତାହରେ ମାରିସା ସେନାର ଅଧ୍ୟକ୍ଷଙ୍କ ସମେତ ପୁରା ସଂଗଠନ ଦଳରେ ମିଶିଥିଲା। ସେହିପରି ଯୁବଛାତ୍ର ସଂଗଠନ ମାସା ଆର୍ମୀର କିଛି ଛାମୁଆ କର୍ମୀ ମଧ୍ୟ ଦଳରେ ମିଶିଥିଲେ। ଏହାସହିତ ବିଜେଡିରୁ ମଧ୍ୟ କିଛି କର୍ମୀ ଆସି ଜେଏମଏମରେ ଯୋଗଦେଇଥିଲେ। ଆଜି ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରୁ ଜେପିପି ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀଭାବେ ଲଢ଼ିଥିବା ସୁନ୍ଦରମୋହନ ସିଂ ଜିଲ୍ଲାରୁ ତାଙ୍କ ସମର୍ଥକଙ୍କ ସହିତ ଜେଏମଏମରେ ଯୋଗଦେଇଛନ୍ତି।

ଦଳର ମହିଳାମୋର୍ଚ୍ଚା ସଭାନେତ୍ରୀ ଅଞ୍ଜନୀ ସୋରେନ୍‌ଙ୍କ ଉପସ୍ଥିତିରେ ଶ୍ରୀ ସିଂ ଜେଏମଏମରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ ଦଳର ଜିଲ୍ଲା ସମ୍ପାଦକ ପ୍ରଭୁଦାନ ମାର୍ଣ୍ଡି, ଯୁବନେତା ପୃଥୁରାଜ ହାଁସଦା, ଅର୍ଜୁନ ମୁର୍ମୁ, ବାଜୁନ ସୋରେନ୍ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଆଜି ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ମୋରଡ଼ା ବିଧାନସଭା କ୍ଷେତ୍ରରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିବା କଳିଙ୍ଗ କେଶରୀ ଜେନା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ଜେନା ଏନେଇ ଜେଏମଏମ ରାଜ୍ୟ ସଭାପତିଙ୍କୁ ପତ୍ର ଲେଖିଥିବା ଜଣାଇଛନ୍ତି। ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ସେ ଜେଏମଏମର ଜଣେ ଶୃଙ୍ଖଳିତ କର୍ମୀଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ମାତ୍ର ମିଳିଥିବା ସୂଚନା ଅନୁସାରେ ଶ୍ରୀ ଜେନା ଜେଏମଏମ ଛାଡ଼ି ଅନ୍ୟ ଦଳରେ ମିଶିବାର ଯୋଜନା ରହିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe