ପାଠ ପଢ଼ା ବୟସରେ ମନରେଗା ଶ୍ରମିକ; ପରୀକ୍ଷାର୍ଥୀ ହେଲେ ଜବକାର୍ଡ଼ଧାରୀ ଶ୍ରମିକ

Advertisment
ପାଠ ପଢ଼ା ବୟସରେ ମନରେଗା ଶ୍ରମିକ; ପରୀକ୍ଷାର୍ଥୀ ହେଲେ ଜବକାର୍ଡ଼ଧାରୀ ଶ୍ରମିକ
ଭଦ୍ରକ: ଭଦ୍ରକ ଜିଲ୍ଲାରେ ମନରେଗା ଯୋଜନାରେ ଚାଲିଛି ଆଖିବୁଜା ହରୁଲୁଟ୍। କେଉଁଠି ଶ୍ରମିକଙ୍କ ସ୍ଥାନରେ ମେସିନ କାମ କରୁଛି ତ, ଆଉ କେଉଁଠି ଅଭିନବ ଉପାୟରେ କିଛି  ନାବାଳକ ଓ  ନାବାଳିକାଙ୍କୁ ଶ୍ରମିକ ସଜାଇ ଟଙ୍କା ହରିଲୁଟ୍ ହୋଉଛି। କେଉଁଠି ବି ପାଠ ପଢୁଥିବା ପରୀକ୍ଷାର୍ଥିଙ୍କୁ ପରୀକ୍ଷା ସମୟରେ ଶ୍ରମିକ ସଜାଇ ସରକାରୀ ଅର୍ଥ ପ୍ରଦାନ କରାଯାଇଛି । ଜିଲ୍ଲାର ଏଇପରି ଭାବରେ ମନରେଗା କାର୍ଯ୍ୟରେ ଚାଲିଛି ହରିଲୁଟ। ଏଭଳି ସୂଚନା ମିଳିଛି  ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍‌ରେ। ଏଠାରେ ସରକାରୀ ଅର୍ଥକୁ ଆଖିବୁଜା ହରିଲୁଟ କରାଯାଉଥିବା ବେଳେ ଏଭଳି ଦୁର୍ନୀତିର ତଦନ୍ତ କରାଯିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
ପ୍ରକାଶ ଥାଉ କି, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗୋପିନାଥପୁର ଗ୍ରାମ ପଞ୍ଚାୟତର ଏହି ଘଟଣା ଘଟିଛି। ଏଇ ପଞ୍ଚାୟତରେ ମନରେଗା ଦୁର୍ନୀତିର ତଦନ୍ତ ଦାବି କରାଯାଇଛି। ଏହି  ପଞ୍ଚାୟତର ୧୦ ଜଣ ନାବାଳକ ଓ ନାବାଳିକାଙ୍କୁ ଜବକାର୍ଡ଼ଧାରୀ ଶ୍ରମିକ ଭାବେ ଦର୍ଶାଇ ମୋଟ୍ ୮୩ ହଜାର ୯୪୪ ଟଙ୍କା ଆତ୍ମସାତ୍ କରାଯାଇଥିବା ଜଣାପଡ଼ିବା ପରେ ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ, ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଜିଲ୍ଲା ପରିଷଦ ମୁଖ୍ୟ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ଶ୍ରୀ ନାୟକଙ୍କ ଅଭିଯୋଗ ଅନୁଯାଇ ଏହି ପଞ୍ଚାୟତ ଅନ୍ତର୍ଗତ କେଶରପୁର ଗ୍ରାମର ବସନ୍ତ ପରିଡ଼ାଙ୍କ ଝିଅ ଅଞ୍ଜଳିଙ୍କୁ ୧୮ ବର୍ଷ ଦର୍ଶାଇ ୨୦୨୩ ମସିହା ଜାନୁଆରି ମାସରେ ପଞ୍ଚାୟତ ତରଫରୁ ଏକ ଜବକାର୍ଡ଼ (ନଂ- ଓଆର୍-୧୭-୦୦୫-୦୧୯-୦୦୮/୩୬୩୨୨) ପ୍ରଦାନ କରାଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପରେ କାର୍ଯ୍ୟ କରିଥିବା ଦର୍ଶାଇ ମୋଟ୍ ୩ ହଜାର ୧୦୮ ଟଙ୍କା ପ୍ରଦାନ କରାଯାଇଛି । କିନ୍ତୁ, ବିଦ୍ୟାଳୟରୁ ମିଳିଥିବା ସାର୍ଟିଫିକେଟ୍‌ରେ ଅଞ୍ଜଳିଙ୍କ ଜନ୍ମ ତାରିଖ ୦୩.୦୯.୨୦୦୬ ବୋଲି ଦର୍ଶାଯାଇଛି । ତେଣୁ ୧୬ ବର୍ଷ ବୟସରୁ ଅଞ୍ଜଳିଙ୍କ ନାଁରେ ଜବକାର୍ଡ଼ ଖୋଲାଯାଇ ଅର୍ଥ ଆତ୍ମସାତ୍ ଘଟଣାରେ ସରକାରୀ କର୍ମଚାରୀଙ୍କ ଭୂମିକା ସନ୍ଦେହ ସୃଷ୍ଟି କରୁଛି ।
ସେହିପରି ବାଲିପଦା ଗ୍ରାମର ଅମୂଲ୍ୟ ବେହେରା ଙ୍କ ପୁଅ ବିକାଶ ବେହେରାଙ୍କ ଆଧାରକାର୍ଡ଼ରେ ଜନ୍ମ ତାରିଖ ୨୫.୦୫.୨୦୦୮ ଉଲ୍ଲେଖ ଥିବା ବେଳେ ତାଙ୍କୁ ୨୫ ବର୍ଷ ଦର୍ଶାଇ ୨୦୨୨ ମସିହା ଜୁନ୍ ମାସରୁ ଜବକାର୍ଡ଼ରେ କାମ କରୁଥିବା ଦର୍ଶାଇ ତାଙ୍କ ବ୍ୟାଙ୍କ ଖାତାକୁ ୬ ହଜାର ୨୧୬ ଟଙ୍କା ପଠାଯାଇଛି। ସବୁଠାରୁ ରୋଚକପୂର୍ଣ୍ଣ କଥାହେଉଛି ଦଶମ ଶ୍ରେଣୀ ପରୀକ୍ଷା ଚାଲୁଥିବା ସମୟରେ ଜଣେ ପରୀକ୍ଷାର୍ଥୀ ମନରେଗା ପ୍ରକଳ୍ପରେ କାର୍ଯ୍ୟ କରିଥିବା ଦର୍ଶାଯାଇଛି। ଗୋପିନାଥପୁର ଗ୍ରାମର ବ୍ରହ୍ମାନନ୍ଦ ପରିଡ଼ାଙ୍କ ପୁଅ ଚନ୍ଦ୍ର ଶେଖର ପରିଡ଼ା ୨୦୨୩ ମସିହା ମାର୍ଚ୍ଚ ମାସ ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିଲେ। କିନ୍ତୁ, ପରୀକ୍ଷାର୍ଥୀ ଭାବେ ପରୀକ୍ଷା ଦେଉଥିବା ସମୟରେ ମାର୍ଚ୍ଚ ମାସ ୭ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ମନରେଗା ପ୍ରକଳ୍ପରେ କାର୍ଯ୍ୟ କରି ଅନୁଦାନ ପାଇବା ପଞ୍ଚାୟତବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସେହିପରି ପରୀକ୍ଷା ସୂଚୀ ଅନୁଯାଇ ବାଲିପଦା ଗ୍ରାମର ବିଶ୍ୱଜିତ୍ ପଣ୍ତା, ଗୋପିନାଥପୁର ଗ୍ରାମର ଯମୁନା ପରିଡ଼ା, ବାଲିପଦା ଗ୍ରାମର ଯାଜ୍ଞସେନୀ ବେହେରା, କାଳନ୍ଦି ସାହୁ, ଗୋପିନାଥପୁର ଗ୍ରାମର ମଧୁସୂଦନ ପରିଡ଼ା, ବାଲିପଦା ଗ୍ରାମର ଶୁଭମ ସାହୁଙ୍କ ଭଳି ଅନେକ ନାବାଳକ ଓ ନାବାଳିକାଙ୍କୁ ବିଭିନ୍ନ ପ୍ରକଳ୍ପରେ ଜବକାର୍ଡ଼ଧାରୀ ଶ୍ରମିକ ଭାବେ ଦର୍ଶାଇ ସରକାରୀ ଅର୍ଥ ଅତ୍ମସାତ୍ କରାଯାଇଥିବା ଜଣା ପଡ଼ିଛି। ନିଜ ଅଭିଯୋଗ ରେ ଶ୍ରୀ ନାୟକ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା କର୍ମଚାରୀ ଓ ଜନପ୍ରତିନିଧିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠନ ସହ ଥାନାରେ ଅପରାଧିକ ମାମଲା ରୁଜ୍ଜୁ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ଏହି ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe