image source--the indian express
ବୌଦ୍ଧ : ଜାଲିଆତି କରି ଚାକିରି କରିଥିବା ବିଷୟରେ ଯେତେବେଳେ ବି ନଜରକୁ ଆସିଛି ସେ ସଂପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇଛି। ଚାକିରି କରିଥିବା ଅନେକ ଶିକ୍ଷକଙ୍କୁ ମଧ୍ୟ ବହିଷ୍କାର କରାଯାଇଛି। ତଦନ୍ତ ପରେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି। ମନ୍ତ୍ରୀ ଶ୍ରୀ ଦାସ ବଲାଙ୍ଗୀର ଗସ୍ତ କରିବା ସମୟରେ ସୋମବାର ବୌଦ୍ଧ ସର୍କିଟ ହାଉସରେ କିଛି ସମୟ ପାଇଁ ରହଣି କରିଥିଲେ। ଉପସ୍ଥିତ ସାମ୍ବାଦିକମାନଙ୍କୁ ବୌଦ୍ଧ ଜିଲ୍ଲାରେ ଜାଲ ଓଟିଇଟି ସାର୍ଟିଫିକେଟ ଦେଇ ଚାକିରି କରିଥିବା ବିଷୟ ପ୍ରଶ୍ନର ଉତ୍ତରରେ ଏଭଳି କହିଛନ୍ତି।
କିଛି ଗଣଶିକ୍ଷକ ଚାକିରି ସ୍ଥାୟୀ ହେବା ସମୟରେ ଜାଲିଆତି କରିଥିବା ଭଳି ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଛି। ଗଣ ଶିକ୍ଷକ ଭାବରେ ନିଯୁକ୍ତି ପାଇଥିବା ମୋଟ୍ ୯୪ ଗଣଶିକ୍ଷକ ଚାକିରି ରେଗୁଲାର ହେବା ବେଳେ ଓଟିଇଟି ସାର୍ଟିଫିକେଟ ଦାଖଲ କରିଥିଲେ। ସେମାନଙ୍କ ସାର୍ଟିଫିକେଟକୁ ଯାଞ୍ଚ କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟରୁ ପଠାଯାଇଥିଲା। ସେଥି ମଧ୍ୟରୁ ୮୫ ଜଣଙ୍କ ସାର୍ଟିଫିକେଟ ଯାଞ୍ଚ ହେବା ପରେ ଡିଇଓଙ୍କ ନିକଟକୁ ରିପୋର୍ଟ ଆସିଛି। ୪୫ଟି ସାର୍ଟିଫିକେଟ ଠିକ୍ ଥିବା ବେଳେ ୪୦ ଜଣ ଜାଲ ସାର୍ଟିଫିକେଟ ଦେଇଥିବା ରିପୋର୍ଟ ଆସିଛି। ବାକି ୯ ଜଣଙ୍କ ରିପୋର୍ଟ ଆସି ନାହିଁ। ନକଲି ସାର୍ଟିଫିକେଟ ବିଷୟ ଜଣାପଡ଼ିବା ପରେ ଡିଇଓଙ୍କ ପକ୍ଷରୁ ସଂପୃକ୍ତ ଶିକ୍ଷକଙ୍କୁ ଏକ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେମାନେ ଅତିରିକ୍ତ ୧୫ ଦିନ ମହଲତ ମାଗିଥିବା ଜଣାଯାଇଛି। ମନ୍ତ୍ରୀଙ୍କ ଗସ୍ତ ବେଳେ ବିଧାୟକ ପ୍ରଦୀପ ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଡିଇଓ ଗେନ୍ଦେରା କୁଜୁର, ବୌଦ୍ଧ ବିଇଓ ଧ୍ରୁବ ଚରଣ ଘିବେଲା ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ନବ ଉଦ୍ଘାଟିତ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଥିଲେ।
Follow Us