ପଞ୍ଚାୟତସ୍ତରରେ ଜୀବିକା ଓ ନିଯୁକ୍ତି ସୃଷ୍ଟି ହେବ

Advertisment
ପଞ୍ଚାୟତସ୍ତରରେ ଜୀବିକା ଓ ନିଯୁକ୍ତି ସୃଷ୍ଟି ହେବ

WN.com

ସାପ୍ତାହିକ ଲକ୍ଷ୍ୟ ଧାର୍ଯ୍ୟ ଓ ତଦାରଖ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : କରୋନା ଲକ୍‌ଡାଉନ୍ ପାଇଁ ବାହାର ରାଜ୍ୟରୁ ବହୁ ସଂଖ୍ୟାରେ ଓଡ଼ିଆ ଶ୍ରମିକ ଓଡ଼ିଶାକୁ ଫେରିଆସିଛନ୍ତି। ସେମାନଙ୍କୁ କିପରି ରୋଜଗାରର ସୁଯୋଗ ଦିଆଯିବ, ତାହା ଏବେ ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଲକ୍‌ଡାଉନ୍‌ ପରବର୍ତ୍ତୀ ଅବସ୍ଥାରେ ଗ୍ରାମ ଓ ପଞ୍ଚାୟତ ସ୍ତରରେ ଜୀବିକା ଉପାର୍ଜନ ଏବଂ ମଜୁରୀ ଭିତ୍ତିକ ନିଯୁକ୍ତି ସୃଷ୍ଟି ବୃଦ୍ଧି ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଥିଲେ। ମୁଖ୍ୟତଃ ଜଙ୍ଗଲ ଓ ପରିବେଶ, ମୂର୍ତ୍ତିକା ସଂରକ୍ଷଣ, ଉଦ୍ୟାନ ଚାଷ, ରେଶମ ଚାଷ, ମତ୍ସ୍ୟ ଓ ପଶୁ ସମ୍ପଦ, କୃଷି ସଶକ୍ତୀକରଣ ଏବଂ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଆଦି ବିଭାଗ ମନରେଗାରେ ଅଧିକରୁ ଅଧିକ ପ୍ରକଳ୍ପ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ପ୍ରକଳ୍ପଗୁଡ଼ିକର ଅନୁମୋଦନ ଓ କାର୍ଯ୍ୟାନ୍ବୟନ ତ୍ବରାନ୍ବିତ କରିବା ପାଇଁ ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଧିକ ନିଯୁକ୍ତି ସୃଷ୍ଟି ଭିତ୍ତିକ ପ୍ରକଳ୍ପ ଯଥ‌ା ଫାର୍ମ ଫଣ୍ଡ୍‌, ନ୍ୟୁଟ୍ରି ଗାର୍ଡେନ୍, ଜଙ୍ଗଲ ଚାରି ପଟେ ଟ୍ରେଞ୍ଚ୍‌, ବୃକ୍ଷରୋପଣ, ବନ୍ଧ, ଘାସ ଚାଷ ଆଦି ପ୍ରକଳ୍ପ ବହୁ ସଂଖ୍ୟାରେ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ଉଭୟ ଗ୍ରୀଷ୍ମ ଓ ବର୍ଷା ଋତୁକୁ ଦୃଷ୍ଟିରେ ରଖି ପ୍ରକଳ୍ପ ସ୍ଥିର କରାଯିବ, ଯେପରିକି ବର୍ଷା ଦିନରେ ନିଯୁକ୍ତି ସୃଷ୍ଟି କମିବ ନାହିଁ।

ବାହାରୁ ଫେରିଥିବା ଓଡ଼ିଆ ଶ୍ରମିକମାନଙ୍କୁ ନୂଆ ଜବ୍‌ କାର୍ଡ ଯୋଗାଇବା ଉପରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶଶସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଗୁରୁତ୍ବାରୋପ କରିଥିଲେ। ଚଳିତ ବର୍ଷ ମେ’ ମାସ ଶେଷ ବେଳକୁ ଗ୍ରାମାଞ୍ଚଳରେ ଦୈନିକ ୨୦ ଲକ୍ଷ ନିଯୁକ୍ତି ଦିବସ ସୃଷ୍ଟି କରିବାକୁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜିଲ୍ଲାୱାରି ସ୍ଥିତିର ସମୀକ୍ଷାରୁ ଜଣାପଡ଼ିଥିଲା ଯେ ବର୍ତ୍ତମାନ ସୁଦ୍ଧା ମନରେଗା ମାଧ୍ୟମରେ ଗ୍ରାମାଞ୍ଚଳରେ ଦୈନିକ ୧୨ ଲକ୍ଷ ନିଯୁକ୍ତି ଦିବସ ସୃଷ୍ଟି କରାଯାଇ ପାରୁଛି। ଜୁନ୍ ମାସ ପ୍ରଥମ ସପ୍ତାହ ମଧ୍ୟରେ ପ୍ରତି ଗ୍ରାମରେ ଅନ୍ୟୁନ ୨ଟି ପ୍ରକଳ୍ପ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମନରେଗା ପ୍ରକଳ୍ପରେ କାମ କରୁଥିବା ସମସ୍ତ ଲୋକଙ୍କୁ ନିର୍ଦ୍ଧାରିତ ସମୟ ଅନୁସାରେ ମଜୁରୀ ପୈଠ ନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ। ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe