ଜାଲ୍ ଜାତିଗତ ପ୍ରମାଣପତ୍ର‌ରେ ବି ଚାକିରି: ତଦନ୍ତ ଜାଲରେ ବିଇଓ,୧୭ ଶିକ୍ଷକ

Advertisment
ନକଲି ସାର୍ଟିଫିକେଟ୍‌ ମାମଲା: ୩ ଶିକ୍ଷକଙ୍କୁ କୈଫିୟତ୍‌ ତଲବ

କୋରେଇ/ରଗଡ଼ି : ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଘଟଣା ସାମ୍‌ନାକୁ ଆସିଛି। ପୂର୍ବରୁ ଯାଜପୁର ଜିଲ୍ଲାରେ ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି କରିଥିବା ୨ଜଣ ଭାଇଭଉଣୀଙ୍କୁ ବହିଷ୍କାର କରାଯାଇଥିଲା। ଏବେ ଆଉ ପାଦେ ଆଗକୁ ଯାଇ ପ୍ରଶାସନ ୧୮ଜଣଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରେ ଜଣେ ବ୍ଲକ୍‌ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ନାମ ବି ରହିଛି। ଅନ୍ୟ ୧୭ଜଣ (ଅସନଝର ପଞ୍ଚାୟତର) ହେଉଛନ୍ତି ଶିକ୍ଷକ। ସେମାନଙ୍କ ପ୍ରମାଣପତ୍ର ଯାଞ୍ଚ ଚାଲିଥିବା ଜଣାଯାଇଛି। ବହୁ ସନ୍ଦିଗ୍ଧ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ତାଲିକା ପ୍ରସ୍ତୁତ ହୋଇ ଆରଡିସିଙ୍କ କାର୍ଯ୍ୟାଳୟକୁ ପଠାଯାଇଥିବା ବିଶେଷସୂତ୍ରରୁ ଜଣାପଡିଛି।

ଗତମାସ ୪ ତାରିଖରେ କୋରେଇ ବ୍ଲକ୍ ଅନ୍ତର୍ଗତ ପଛିକୋଟ ହାଇସ୍କୁଲର ଶିକ୍ଷକ ମାନସ ନାୟକ ଏବଂ ତାଙ୍କ ଭଉଣୀ ତରପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ନାୟକ ନକଲି ଜାତି ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ଏନେଇ ଆରଡିସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୋରେଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯିବାପରେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ପରେ ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ଆଉ କେଉଁମାନେ ଚାକିରି କରିଛନ୍ତି ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା।

କୋରେଇ ବ୍ଲକ୍‌ରେ ମୋଟ ୬୪୯ ଜଣ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ/ ଶିକ୍ଷୟିତ୍ରୀ ରହିଛନ୍ତି। ସମସ୍ତ ଶିକ୍ଷକଙ୍କର ଜାତିଗତ ପ୍ରମାଣପତ୍ର ଯାଞ୍ଚ କରିବାକୁ ନିର୍ଦ୍ଦେଶ ରହିଥିବାବେଳେ କେତେକ ଶିକ୍ଷକଙ୍କ ତାଲିକା ବ୍ୟାସନଗର ତହସିଲଦାରଙ୍କ ନିକଟକୁ ପଠାଯାଇଥିବା ଜଣାପଡ଼ିଛି।

ଯାଜପୁର ଜିଲ୍ଲାରେ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର (ସିଟି, ବିଇଡି, ଯୁକ୍ତଦୁଇ) ଦାଖଲ କରି ବହୁ ଶିକ୍ଷକ ଚାକିରି କରୁଥିବା ଅଭିଯୋଗ ପରେ ଯାଞ୍ଚ କରିବା ପାଇଁ ରାଜ୍ୟ ସରକାର ୨୦୧୯ ମସିହାରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏବେ ଜଣାପଡୁଛି ତଦନ୍ତ େଯମିତି ଉପରଠାଉରିଆ ହୋଇଥିଲା। ଏନେଇ କୋରେଇ ବିଇଓ ସୁଦର୍ଶନ ମଲ୍ଲିକ କହିଛନ୍ତି ଯେ ସମସ୍ତ ଶିକ୍ଷକଙ୍କ ତାଲିକା ଆରଡିସିଙ୍କ ପାଖକୁ ପଠାଯାଇଛି। ଆରଡିସି ରିପୋର୍ଟ ପ୍ରଦାନ କଲେ ସମ୍ପୃକ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe