ନୟାଗଡ଼, ଖୋର୍ଦ୍ଧାରେ ମିଳିତ ଚଢ଼ଉ: ସାଢ଼େ ୩ କୋଟିର ବ୍ରାଉନସୁଗାର ଜବତ, କୁଖ୍ୟାତ ମାଫିଆ ଗିରଫ, ସହଯୋଗୀ ଫେରାର

୬୬ ଲକ୍ଷ ଟଙ୍କା, ୩ ପିସ୍ତଲ, ୪୩ ଗୁଳି ଦେଖି ଏସ୍‌ଟିଏଫ୍‌ ତାଜୁବ୍‌, ନୟାଗଡ଼ର ବିଭିନ୍ନ ଅଞ୍ଚଳକୁ ଚାଲାଣ ପାଇଁ ପଶ୍ଚିମବଙ୍ଗରୁ ଆସିଥିଲା

ନୟାଗଡ଼, ଖୋର୍ଦ୍ଧାରେ ମିଳିତ ଚଢ଼ଉ: ସାଢ଼େ ୩ କୋଟିର ବ୍ରାଉନସୁଗାର ଜବତ, କୁଖ୍ୟାତ ମାଫିଆ ଗିରଫ, ସହଯୋଗୀ ଫେରାର

ନୟାଗଡ଼/ ଖୋର୍ଦ୍ଧା: ଗତକାଲି ରାତି ଓ ଆଜି ସକାଳେ ଏସ୍‌ଟିଏଫ୍‌ ଓ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାଡ୍‌ ନୟାଗଡ଼ ଓ ଖୋର୍ଦ୍ଧା ସହରରେ ଚଢ଼ାଉ କରି ପ୍ରାୟ ସାଢ଼େ ୩ କୋଟି ଟଙ୍କାର ବ୍ରାଉନ୍‌ସୁଗାର୍‌ ସହ ନଗଦ ୬୬ ଲକ୍ଷ ୫୦ ହଜାର ଟଙ୍କା, ୩ଟି ପିସ୍ତଲ ଓ ଗୁଳି ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ସହର ପିଡବ୍ଲ୍ୟୁଡି ଲେନ୍‌ ଉଦୟପଥ ସାହିରୁ ଗତକାଲି ବିଳମ୍ବିତ ରାତିରେ ଏସ୍‌ଟିଏଫ୍‌ ୩ କେଜି ୧୦୦ ଗ୍ରାମ ବ୍ରାଉନ୍‌ସୁଗାର୍‌, ନଗଦ ୬୫ ଲକ୍ଷ ୩୨ ହଜାର ଟଙ୍କା, ୭ ଏମ୍‌ଏମ୍‌ର ୩ ଗୋଟି ପିସ୍ତଲ, ୭ ମାଗାଜିନ୍‌, ୪୩ ରାଉଣ୍ଡ୍‌ ଗୁଳି, ଗୋଟିଏ ଟଙ୍କା ଗଣା ମେସିନ୍‌, ୪ ମୋବାଇଲ, ଗୋଟିଏ ଟାବଲେଟ୍‌ ଜବତ କରିଛି। କ୍ରାଇମ୍‌ବ୍ରାଞ୍ଚ୍‌ର ସ୍ପେସାଲ୍‌ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌)ର ଅଚାନକ ଚଢ଼ଉ ବ୍ରାଉନ୍‌ସୁଗାର୍‌, ବନ୍ଧୁକର ଏହି ବିଶାଳ କାରବାରକୁ ପଦାରେ ପକାଇଦେଇଛି। ଉଦୟପଥସାହିର ଏକ ଭଡ଼ା ଘରେ ଏଭଳି କାରବାର ଚାଲୁଥିଲା। ଏସ୍‌ଟିଏଫ୍‌ ଚଢ଼ଉ ବେ‌ଳେ, ଘର ଭଡ଼ା ନେଇଥିବା ବ୍ୟକ୍ତି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହି କାରବାର ଅଭିଯୋଗରେ କେ ଭିକି ରାଓଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି।

ଭିକିର ଘର ଖୋର୍ଦ୍ଧା ଜିଲ୍ଲା ଅଧୀନ ଜଟଣୀ ଥାନା ରାଜାବଜାରରେ ବୋଲି ଏସ୍‌ଟିଏଫ୍‌ ପକ୍ଷରୁସୂଚନା ଦିଆଯାଇଛି। ଏ ନେଇ ଏନ୍‌ଡିପିସି ଆକ୍ଟ ସମେତ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିବା ନେଇ ମାମଲା ରୁଜୁ ହୋଇଛି। ତେବେ ପଡ଼ୋଶୀ ଖୋର୍ଦ୍ଧା ଜିଲ୍ଲାର ଜଣେ ବେପାରୀ ଏସ୍‌ଟିଏଫ୍‌ ପଞ୍ଝାରେ ପଡ଼ିବା ପରେ, ସେ ନୟାଗଡ଼ର ଏହି ବେପାରୀଙ୍କ ସମ୍ପର୍କରେ ସୂଚନା ଦେଇଥିବା ଜଣାପଡ଼ିଛି। ଏନେଇ ଏସ୍‌ଟିଏଫ୍‌ ନିଶ୍ଚିତ ‌ହେବା ପରେ ଗତକାଲି ରାତି ପ୍ରାୟ ୧୧ ଟାରୁ ଉଦୟପଥସ୍ଥିତ ଏହି ଘରେ ଚଢ଼ଉ କରିଥିଲା। ଘର ମାଲିକ ଭୁବନେଶ୍ବରରେ ରହୁଥିବା ବେଳେ, ଖୋର୍ଦ୍ଧାର ନିଶା ମହାନ୍ତି, ତାଙ୍କ ସ୍ବାମୀ ଭଡ଼ା ନେଇ ସେହି ଘରେ ରହୁଥିଲେ। ଏସ୍‌ଟିଏଫ୍‌ ଚଢ଼ଉ ଦେଖି, ଘଟଣାସ୍ଥଳରୁ ନିଶାଙ୍କ ସ୍ବାମୀ ଫେରାର୍‌ ହୋଇଯାଇଥିଲେ। ଘରେ ନିଶା ଓ ତାଙ୍କର ଛୋଟ ପିଲା କେବଳ ଥିଲେ। ଏସ୍‌ଟିଏଫ୍‌ କର୍ତ୍ତୃପକ୍ଷ ନିଶାଙ୍କୁ ପଚରାଉଚରା କରିବା ପରେ, କେଉଁ କେଉଁ ସ୍ଥାନରେ ବ୍ରାଉନ୍‌ସୁଗାର୍‌, ପିସ୍ତଲ, ଟଙ୍କା ଅଛି ସବୁ ଧରାପଡ଼ିଯାଇଥିଲା। ନୟାଗଡ଼ ତହସିଲଦାର ପଦ୍ମଚରଣ ସାହୁଙ୍କ ଉପସ୍ଥିତିରେ ଘର ଯାଞ୍ଚ କରାଯାଇଥିଲା। ତହସିଲଦାରଙ୍କ ଉପସ୍ଥିତିରେ ଏସବୁ ସାମଗ୍ରୀ ଜବତ୍‌ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଭିକିର ଶିକ୍ଷାଗତ ଯୋଗ୍ୟତା ଅଣ୍ଡର ମାଟ୍ରିକ୍। ସେ ଏକାଧିକ ଅପରାଧରେ ସମ୍ପୃକ୍ତ ଥିବା ବେଳେ କିଛି ବର୍ଷ ହେବ ଧଳାଜହର କାରବାରରେ ପାଦ ଥାପିଥିଲା। ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଆଣି ବେପାର କରୁଥିଲା। ବାଲେଶ୍ବରଠାରୁ ଆରମ୍ଭ କରି ଭଦ୍ରକ, କଟକ, ଖୋର୍ଦ୍ଧା, ନୟାଗଡ଼କୁ ବ୍ରାଉନସୁଗାର ଚାଲାଣ କରୁଥିଲା। କିନ୍ତୁ ଅତିସତର୍କତାର ସହ କାରବାର ଚଳାଇଥିବାରୁ ପୂର୍ବରୁ ପୁଲିସ ହାତରେ କେବେ ଧରା ପଡ଼ି ନଥିଲା। ୟା’ରି ଭିତରେ ସେ କୁଖ୍ୟାତ ନିଶାମାଫିଆ ପାଲଟି ଯାଇଥିଲା। ଏପରିକି ଖୋର୍ଦ୍ଧା, ନୟାଗଡ଼ରେ ଧଳାଜହର ବେପାର ମଙ୍ଗ ଧରିଥିବା କୁହାଯାଉଛି। ସେହିପରି ଆଜି ପ୍ରାୟ ସକାଳ ୧୦ଟା ବେଳେ କଟକ ଅବକାରୀ ମୁଖ୍ୟ କାର୍ଯ୍ୟାଳୟର ଫ୍ଲାଇଂ ସ୍କ୍ବାଡ୍ ସଦଳବଳ ଆସି ଖୋର୍ଦ୍ଧା ଜିଲ୍ଲା ପ୍ରାଣୀଧନ କାର୍ଯ୍ୟାଳୟ ନିକଟରେ ଥିବା ରାଜେନ୍ଦ୍ର ପୃଷ୍ଟିଙ୍କ ପରିବା ଦୋକାନ ଓ ସାମନ୍ତରାପୁରସ୍ଥିତ ଘରେ ଚଢ଼ଉ କରି ୩୭୦ ଗ୍ରାମ୍‌ ବ୍ରାଉ୍‌ସୁଗାର୍‌ ଓ ନଗଦ ଏକ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି। ଏହି ଗଟଣାରେ ରାଜେନ୍ଦ୍ରକୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe