ଜୋରନ୍ଦା ମହିମା ଗାଦି ମାମଲା : ସ୍ଥିତାବସ୍ଥା ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ

Advertisment
ମହିମା ପୀଠ ପାଇଁ ୧୧୨ କୋଟି;  ସମ୍ପୂର୍ଣ୍ଣ ରୂପାନ୍ତର ହେବ

places.branipick.com

କଟକ : ଢେଙ୍କାନାଳ ଜିଲ୍ଲାର ଜୋରନ୍ଦାରେ ଥିବା ପ୍ରସିଦ୍ଧ ମହିମା ସ୍ବାମୀଙ୍କ ଗାଦି ଓ ମହିମା ସାମାଜର ଜମି ଉପରେ ଜିଲ୍ଲାପାଳ ୨୦୨୦, ଜୁଲାଇ ୨୪ରେ ଜାରି କରିଥିବା ସ୍ଥିତାବସ୍ଥା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମହିମା ଗାଦିର ଏହି ଜମି ପ୍ରସଂଗରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଜିଲ୍ଲାପାଳ ଜୁଲାଇ ୨୪ରେ ଜାରି କରିଥିବା ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରି ମହିମା ସ୍ବାମୀ ବିଜେ ଜୋରନ୍ଦା ମାର୍ଫତ ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତି ତଥା ବଳ୍କଳଧାରୀ ମହିମା ସମାଜ ସଭାପତି ଓ ସଂପାଦକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଜିଲ୍ଲାପାଳଙ୍କ ଜୁଲାଇ ୨୪ର ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ଏଥି ସହିତ ରାଜସ୍ବ କର୍ତ୍ତୃପକ୍ଷ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିବା ଉପରେ ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି।

publive-image Odisha Bytes

ମାମଲାର ବିବରଣୀରୁ ପ୍ରକାଶ ଯେ ମହିମା ସମାଜର ନତିମା ମୌଜାରେ ୬ ଏକର ୫୬ ଡିସିମିଲ ଓ ଜୋରନ୍ଦା ମୌଜାରେ ୬୯ ଏକର ୩୩ ଡିସିମିଲ ଜମି ରହିଥିଲା। ଅତୀତରେ ବିଭିନ୍ନ କାରଣରୁ ମହିମା ସାଧୁ ସମାଜ ଦୁଇ ଭ‌ାଗରେ ବକ୍କଳଧାରୀ ଓ କୌପିନଧାରୀ ଭାବେ ବିଭକ୍ତ ହୋଇଥିଲେ। ଜୋରନ୍ଦାରେ ମହିମା ଗାଦି ସହିତ ଗାଦି ମନ୍ଦିର, ଧୁନୀ ମନ୍ଦିର ଓ ଅନ୍ୟ କେତେକ ଉପାସନା ପୀଠ ରହିଛି। ଏହି ଜମିକୁ ନେଇ ବିବାଦ ଦେଖା ଦେଇଥିବା ବୋଳେ ମହିମା ସମାଜର ଏବେ ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତି ପ୍ରତିନିଧିତ୍ବ କରୁଥିବା ଦାବି କରିଥିଲେ। ଏ ନେଇ ବିଭିନ୍ନ ସ୍ତରରେ ମୋକଦ୍ଦମା ଚାଲିବା ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ୨୦୧୮, ଜାନୁଆରି ୩୦ରେ ରାୟ ପ୍ରକାଶ କରିଥିଲେ। ଏହି ଜମିର ଖଜଣା ଉଭୟ ପକ୍ଷ ସଦସ୍ୟ ଥିବା ସତ୍ୟ ମହିମା‌ ଧର୍ମ ଧାମ ପରିଚାଳନା ସମିତି ନାଁରେ ଧାର୍ଯ୍ୟ କରିବା ପାଇଁ ହାଇକୋର୍ଟ କହିଥିଲେ। ଏହାପରେ ଆବେଦନକାରୀ ଗଁଦିଆ ତହସିଲଦାରଙ୍କ ନିକଟରେ ଦୁଇଟି ମୌଜାରେ ଥିବା ଜମି ପାଇଁ ଦୁଇଟି ମ୍ୟୁଟେସନ୍ କେସ୍ ଦାଖଲ କରିଥିଲେ। ୨୦୧୮, ନଭେମ୍ବର ୨ରେ ତହସିଲଦାର ଏ ସଂପର୍କିତ ମ୍ୟୁଟେସନ୍ କେସ୍‌‌ର ଶୁଣାଣି କରି ଜମିର ରେକର୍ଡରେ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଜମି ମହିମା ଗୋସାଇଁ ମାର୍ଫତ ସତ୍ୟ ମହିମା ଧର୍ମ ଧାମ ପରିଚାଳନା ସମିତି ନାଁରେ ରେକର୍ଡ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

publive-image Facebook

ଏହାକୁ ଚାଲେଞ୍ଜ କରି ସତ୍ୟ ଅଲେଖ ମହିମା ଧର୍ମ କୌପିନଧାରୀ ମହିମା ସମାଜ ହାଇକୋର୍ଟରେ ଦୁଇଟି ମାମଲା ଦାୟର କରିଥିଲା। ଗୋଟିଏ ମାମଲାରେ ହାଇକୋର୍ଟ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବାକୁ କହିଥିଲେ। ଏହାପରେ ସତ୍ୟ ଅଲେଖ ମହିମା ଧର୍ମ କୌପିନଧାରୀ ମହିମା ସମାଜ ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ରିଭିଜନ୍ ପିଟିସନ୍ ୨୦୧୯ରେ ଦାୟର କରିଥିଲା। ଅନ୍ୟ ମାମଲାଟି ହାଇକୋର୍ଟରେ ବିଚାରାଧୀନ ରହିଛି। ଏଭଳି ସ୍ଥିତି ଲାଗି ରହିଥିବା ବେଳେ ଆବେଦନକାରୀଙ୍କ ବିରୋଧରେ ସତ୍ୟ ଅଲେଖ ମହିମା ଧର୍ମ କୌପିନଧାରୀ ମହିମା ସମାଜ ପକ୍ଷରୁ ଏକ ଲିଖିତ ଅଭିଯୋଗ ଗତ ଜୁଲାଇ ୯ରେ ସ୍ଥାନୀୟ ବିଧାୟକଙ୍କ ନିକଟରେ ଦାଖଲ କରାଯାଇଥିଲା। ଏହି ଅଭିଯୋଗକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଦିଆଯାଇଥିଲା। ଜିଲ୍ଲାପାଳ ଏପରି ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ନ କରି ଢେଙ୍କାନାଳ ସଦର ଉପଜିଲ୍ଲାପାଳଙ୍କୁ ମହିମା ସମାଜର ଜମି ଉପରେ ସ୍ଥିତାବସ୍ଥା ଜାରି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଆଧାରରେ ମହିମା ସମାଜ ଜମି ଉପରେ ସ୍ଥିତାବସ୍ଥା ଓ ଶାନ୍ତି ବଜାୟ ରଖିବାକୁ ୨୦୨୦, ଜୁଲାଇ ୨୮ରେ ଉପଜିଲ୍ଲାପାଳ ଆବେଦନକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିଥିଲେ। ଏହାପରେ ଆବେଦନକାରୀଙ୍କୁ ଏହି ସଂପତ୍ତି ବ୍ୟବହାର କରିବାକୁ ପ୍ରଶାସନ ବିଭିନ୍ନ ଭାବେ ବାରଣ କରୁଥିବା ଅଭିଯୋଗ ହୋଇଥିଲା।

ଆବେଦନକାରୀ ଏହି ସଂପତ୍ତି ଭୋଗ, ଦଖଲ, ବ୍ୟବହାର ଓ ଉନ୍ନତିକରଣ କରିବା ପ୍ରସଂଗରେ କୌଣସି ଅଦାଲତ ବା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ବା ଅନ୍ତରୀଣ ନିର୍ଦ୍ଦେଶ ନଥିବା ବେଳେ କେବଳ ଏକ ଅଭିଯୋଗ ପରେ ଜିଲ୍ଲପାଳ ଏପରି ସ୍ଥିତାବସ୍ଥା ଜାରି କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଓ ରାଜସ୍ବ କର୍ତ୍ତୃପକ୍ଷଙ୍କ ନିକଟରେ ବିଚାରାଧୀନ ଆବେଦନରେ ଏ ନେଇ କୌଣସି ଅନ୍ତରୀଣ ନିର୍ଦ୍ଦେଶ ପୂର୍ବରୁ ପ୍ରଦାନ କରାଯାଇ ନଥିବା ବେଳେ ବିନା କୌଣସି ମାମଲାରେ/ପ୍ରୋସିଡିଂରେ ଜିଲ୍ଲାପାଳ ଏପରି ସ୍ଥିତାବସ୍ଥା ଜାରି କରିବା ବେଆଇନ ବୋଲି ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଦର୍ଶାଯାଇଥିଲା। ମାମଲାରେ ଢେଙ୍କାନାଳ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ସତ୍ୟ ଅଲେଖ ମହିମା ଧର୍ମ କୌପିନଧାରୀ ମହିମା ସମାଜ ସଭାପତିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡି.ପି.ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe