ସାମ୍ବାଦିକ ବୀରେନ୍ଦ୍ର ପଣ୍ଡାଙ୍କ ପରଲୋକ

ସାମ୍ବାଦିକ ବୀରେନ୍ଦ୍ର ପଣ୍ଡାଙ୍କ ପରଲୋକ

ସମ୍ବଲପୁର: ବୁର୍ଲାର ‘ସମ୍ବାଦ’ ପ୍ରତିନିଧି ତଥା ସ୍ବେଚ୍ଛାସେବୀ ବୀରେନ୍ଦ୍ର କୁମାର ପଣ୍ଡା(ବିଜୁ)ଙ୍କ ଗୁରୁବାର ଅପରାହ୍ଣରେ ପରଲୋକ ହୋଇଛି। ତାଙ୍କୁ ମାତ୍ର ୪୪ ବର୍ଷ ହୋଇଥିଲା। ସେ କିଛିମାସ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ମୁମ୍ବାଇରେ ଚିକିତ୍ସାଧୀନ ଥିବା ବେ‌ଳେ ନଭେମ୍ବର ଶେଷ ସପ୍ତାହରେ ବୁର୍ଲା ଫେରିଥିଲେ। ସେଠାରେ ନିୟମିତ ବ୍ୟବଧାନରେ କେମୋ ନେଉଥିଲେ। ଗୁରୁବାର ଅପରାହ୍ଣ ସାଢ଼େ ୨ଟାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା।

ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ତାଙ୍କ ପଛରେ ପତ୍ନୀ ପ୍ରଭାସିନୀ, ଝିଅ ପ୍ରିୟାଂଶୀ, ପୁଅ କାହ୍ନା, ମା’ ସ୍ନେହଲତା, ଭାଇ ଜିତେନ୍ଦ୍ର ଓ ଭାଉଜ ଗାୟତ୍ରୀଙ୍କୁ ଛାଡ଼ି ଯାଇଛନ୍ତି। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ବୁର୍ଲା, ସମ୍ବଲପୁର ଓ ଧନକଉଡ଼ା ଅଞ୍ଚଳର ସାମ୍ବାଦିକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ବୁର୍ଲା କଟାପାଲିସ୍ଥିତ ବାସଭବନରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ରାତିରେ ସମ୍ବଲପୁର ରାଜଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ଭାଇ ଜିତେନ୍ଦ୍ର ମୁଖାଗ୍ନି ଦେଇଥିଲେ। ଯୁଯୁମୁରା ବ୍ଲକ କେଶାପାଲି ଗାଁର ମୂଳନିବାସୀ ବୀରେନ୍ଦ୍ର ଜଣେ ନିଷ୍ଠାବାନ ତଥା କର୍ତ୍ତବ୍ୟପରାୟଣ ସାମ୍ବାଦିକ ଥିଲେ। ସେ ନିରନ୍ତର ଭିମ୍‌ସାରର ସମସ୍ୟା ଉତ୍‌ଥାପନ କରିବା ସହ ସେଗୁଡ଼ିକର ସମାଧାନ ପାଇଁ ତଥା ବୁର୍ଲା ସହରର ବିକାଶ ପାଇଁ ଲେଖନୀ ମାଧ୍ୟମରେ ଚେଷ୍ଟିତ ଥିଲେ। ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ଠାରୁ ଆରମ୍ଭ କରି ବିଭିନ୍ନ ସମାଜସେବା କ୍ଷେତ୍ରରେ ସେ ନିୟୋଜିତ ରହୁଥିଲେ। ତାଙ୍କ ବିୟୋଗରେ ଜିଲ୍ଲା ସାମ୍ବାଦିକ ମହଲ ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe