ଭୁବନେଶ୍ବର : ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ ଘଟଣାକୁ ନିନ୍ଦା କରିବା ସହ ରାଜଧାନୀରେ ସାମ୍ବାଦିକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଆଜି ଜୟଦେବ ଭବନ ସମ୍ମୁଖରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଏଜି ଛକ ଆଡ଼କୁ ଯାଇଥିଲେ। ରାସ୍ତାକଡ଼ରେ କିଛି ସମୟ ଧରି ବିକ୍ଷୋଭ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବେ ବୋଲି ଜିଦ୍ ଧରିଥିଲେ। ତେବେ ସେମାନଙ୍କୁ ଡିସିପି ଅନୁପ ସାହୁ ଅଟକାଇ ବୁଝାସୁଝା କରିଥିଲେ। ପରେ ଏକ ୧୦ଜଣିଆ ପ୍ରତିନିଧିଦଳ ଲୋକସେବା ଭବନକୁ ଯାଇଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ପ୍ରସନ୍ନ ମହାନ୍ତି, ସାଗର ଶତପଥୀ, ସନ୍ଦୀପ ସାହୁ, ରାଧାମାଧବ ମିଶ୍ର, ରମେଶ ରଥ, କସ୍ତୁରୀ ରାୟ, ଚଣ୍ଡିପ୍ରସାଦ ରଣସିଂହ, କିଶନ ବରାଇ ଓ ଲିଙ୍ଗରାଜ ସାହୁ ଲୋକସେବା ଭବନକୁ ଯାଇ ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କ ସହ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ସାମ୍ବାଦିକଙ୍କୁ ସୁରକ୍ଷା ଦେବା, ଏଥିପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା ସହ ସାଂସଦ ଶ୍ରୀ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହି ପ୍ରତିବାଦ ସଭାରେ ବରିଷ୍ଠ ସାମ୍ବାଦିକ ରବି ଦାସ, ଦୟାନିଧି ଦାସ, ରାଜାରାମ ଶତପଥୀ, ସନ୍ଦୀପ ମିଶ୍ର, ମାଧବାନନ୍ଦ ବେଉରା, ଗିରିଜା ଦାଶ ପ୍ରମୁଖ ସାମିଲ ହୋଇଥିଲେ।
ସାମ୍ବାଦିକଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୃହ ସଚିବଙ୍କୁ ଦାବିପତ୍ର
Advertisment
Follow Us