ସାମ୍ବାଦିକଙ୍କୁ ପୁଲିସ ଅତ୍ୟାଚାରର ପ୍ରତିବାଦ

ଫକୀରମୋହନ ସାହିତ୍ୟ ପରିଷଦ ଓ ବରିଷ୍ଠ ନାଗରିକ ମଞ୍ଚର ନିନ୍ଦା

ସାମ୍ବାଦିକଙ୍କୁ ପୁଲିସ ଅତ୍ୟାଚାରର ପ୍ରତିବାଦ

Sambad English

ବାଲେଶ୍ବର: ନୀଳଗିରିର ‘ସମ୍ବାଦ’ ଓ କନକ ଟିଭି ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପୁଲିସର ଅମାନବୀୟ ଅତ୍ୟାଚାରକୁ ଫକୀରମୋହନ ସାହିତ୍ୟ ପରିଷଦ ଘୋର ନିନ୍ଦା କରିଛି। ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚୋର, ଡକାୟତ ଭଳି ବ୍ୟବହାର କରିବା ଓ ତାଙ୍କୁ ଥାନାରେ ଅକଥନୀୟ ଶାରୀରିକ ନିର୍ଯାତନା ଦେବା ସହ ଗୋଡ଼ରେ ବେଡ଼ି ପକାଇ ଚିକିତ୍ସା କରିବା ସଭ୍ୟ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ସଂପୃକ୍ତ କର୍ମଚାରୀଙ୍କ ପ୍ରତି ସରକାର କଠୋର ଦଣ୍ଡବିଧାନ କରିବା ବଦଳରେ ହାବିଲଦାରଙ୍କୁ ନିଲମ୍ବନ କରିବା ଓ ଥାନା ଅଧିକାରୀଙ୍କୁ ବଦଳି କରିବା କେବଳ ଧର୍ମକୁ ଆଖିଠାର ବ୍ୟତୀତ ଆଉ କିଛି ନୁହେଁ। ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ଓ ପୀଡ଼ିତଙ୍କୁ ଉଚିତ କ୍ଷତିପୂରଣ ଦେବା ଲାଗି ପରିଷଦର କର୍ମକର୍ତ୍ତାମାନେ ଦାବି କରିଛନ୍ତି।

ସେହିପରି ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ପୁଲିସର ଅମାନୁଷିକ ଆଚରଣକୁ ବାଲେଶ୍ୱର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଦୃଢ଼ ନିନ୍ଦା କରିଛି। ମଞ୍ଚ ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକରେ ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରାଙ୍କ ସମେତ ଶରତଚନ୍ଦ୍ର ଦାଶ, ଅନ୍ତର୍ଯ୍ୟାମୀ ପ୍ରଧାନ, ବିଷ୍ଣୁପ୍ରସାଦ ମହାନ୍ତି, ବେଣୁଧର ସାହୁ, ସୀତାରାମ ପ୍ରଧାନ, ଗୌରାଙ୍ଗ ପାଣିଗ୍ରାହୀ, ଲକ୍ଷ୍ମୀନାରାୟଣ ଘୋଷ, ଦାମୋଦର ନାୟକ, ଡ.ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ଯଶୋଦାନନ୍ଦନ ଆଶ୍‌, ଲକ୍ଷ୍ମୀପ୍ରିୟା ଜେନା, ମଧୁସୂଦନ ଜେନା, ଗୋପୀନାଥ ଦାସ ପ୍ରମୁଖ କର୍ମକର୍ତ୍ତାମାନେ ଯୋଗ ଦେଇ ସଂପୃକ୍ତ ସାମ୍ବାଦିକଙ୍କୁ ଚିକିତ୍ସା ସମୟରେ ପୁଲିସ ଯେଭଳି ଅପରାଧୀ ଭଳି ଗୋଡ଼ରେ ବେଡ଼ି ପକାଇଲା ତାହା ଅମାନବୀୟ ଘଟଣା ବୋଲି କହିଥିଲେ। ଏହା ଗଣତନ୍ତ୍ର ଶାସନ ବ୍ୟବସ୍ଥା ପ୍ରତି ଚରମ କୁଠାରଘାତ। ଏହି ସ୍ପର୍ଶକାତର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe