ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଉପେକ୍ଷିତ ଜୁଆଙ୍ଗ ଜନଜାତି

Advertisment
ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଉପେକ୍ଷିତ ଜୁଆଙ୍ଗ ଜନଜାତି

କେନ୍ଦୁଝର : ଉପେକ୍ଷିତ ଜୁଆଙ୍ଗ ଜନଜାତି। କେନ୍ଦୁଝର ଜିଲ୍ଲାରେ ବସବାସ କରୁଥିବା ଜୁଆଙ୍ଗ ଜନଜାତିର ଜୀବନଶୈଳୀକୁ ଦେଖିଲେ ବିକାଶର ବାସ୍ତବ ଚିତ୍ର ସ୍ପଷ୍ଟ ହେବ। ଏହି ଆଦିବାସୀ ବହୁଳ ଜିଲ୍ଲାରେ ବିଲୁପ୍ତ ଜନଜାତି କୁହାଯାଉଥିବା ଜୁଆଙ୍ଗମାନଙ୍କ ବାସସ୍ଥାନ। ତଥ୍ୟ ଅନୁସାରେ, କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକରେ ମୋଟ ୩୫ଟି ଜୁଆଙ୍ଗ ଗାଁ ରହିଛି। ଏହି ଗାଁଗୁଡ଼ିକରେ ମୋଟ ୯୦୪୬ ପୁରୁଷ ଓ ମହିଳା ଅଛନ୍ତି। ଏମାନଙ୍କ ମଧ୍ୟରୁ ୪୪୭୧ ପୁରୁଷ ଓ ୪୫୭୫ ମହିଳା। ଅବଶ୍ୟ ପୁରଷ ଅନୁପାତରେ ମହିଳାଙ୍କ ସଂଖ୍ୟା ସାମାନ୍ୟ ଅଧିକ ରହିଛି। ତଥ୍ୟ ଅନୁସାରେ ପ୍ରତି ୧ ହଜାର ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ହେଉଛି ୧୦୨୭। କେନ୍ଦୁଝର ଜିଲ୍ଲାର ପୁରୁଷ-ମହିଳା ଆନୁପାତ ହାର ତୁଳନାରେ ଏହା ଅଧିକ। ଜୁଆଙ୍ଗମାନଙ୍କ ମଧ୍ୟରେ ଶିକ୍ଷା ହାର ଯଥେଷ୍ଟ କମ୍‌। କେନ୍ଦୁଝର ଜିଲ୍ଲାରେ ସାକ୍ଷରତା ହାର ମୋଟାମୋଟି ୭୮.୬୧ % ଥିଲାବେଳେ ଜୁଆଙ୍ଗଙ୍କର ସାକ୍ଷରତା ହାର ହେଉଛି ୩୮.୧୮%।

publive-image

ସବୁଠୁ ବଡ଼ କଥରା ହେଉଛି, ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଏହି ଜୁଆଙ୍ଗ ଜନଜାତିଙ୍କର ବିକାଶ ଯେତିକି ହେବା କଥା ତାହା ହୋଇନାହିଁ। ଯଦିଓ ସେମାନଙ୍କ ପାଇଁ ଜୁଆଙ୍ଗ ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଛି। ଏଠାରେ ଜୁଆଙ୍ଗ ଗାଁ ଉପରପଣସନସାର ଉଦାହରଣ ନିଆଯାଇପାରେ। ପ୍ରାୟ ୮୦ଟି ପରିବାର ରହୁଥିବା ଏହି ଗାଁକୁ ଆଜିଯାଏ ରାସ୍ତାଟିଏ ହୋଇପାରିନାହିଁ। ତିନୋଟି ପାହାଡ଼ ‌ଡେଇଁ ଯିବା ପରେ ଏହି ଗାଁ ପଡ଼େ। ସକାଳୁ ପାହାଡ଼ରୁ ଓହ୍ଲାଇ ନିକଟସ୍ଥ କାଞ୍ଜିପାଣି ଘାଟିକୁ ଆସି ନିୟମିତ ସଉଦାପତ୍ର ନେଇ ଘରେ ପହଞ୍ଚୁ ପହଞ୍ଚୁ ସଞ୍ଜ ବୁଡ଼େ। ଏସବୁ ସତ୍ତ୍ବେ ସରକାର ଆଜିଯାଏ ଏକ ରାସ୍ତା ତିଆରି ପାଇଁ ପଦକ୍ଷେପ ନେଇପାରି ନାହାନ୍ତି। ଖାଲି ସେତିକି ନୁହେଁ, ଏହି ଗାଁରେ ବିଦ୍ୟାଳୟଟିଏ ଥିଲେ ବି ଶ୍ରେଣୀଗୃହ ନାହିଁ। ସମ୍ଭବତଃ ଏହା ଶ୍ରେଣୀଗୃହ ନଥିବା ଏକମାତ୍ର ବିଦ୍ୟାଳୟ। ସେହିପରି ଅଙ୍ଗନବାଡ଼ି କେନ୍ଦ୍ର ଥିଲେ ବି ଏହାର ସ୍ଥାୟୀ ଘର ନାହିଁ। ବରଂ ଗାଁ ଲୋକଙ୍କ ପିଣ୍ଡାରେ ଚାଲେ ଅଙ୍ଗନବାଡ଼ି। ସେହପରି ବିବ୍ରତର କଥା ହେଉଛି, ଏହି ଗାଁରେ ବିଜୁଳି ନ ଥିବାରୁ କିଛି ବର୍ଷ ତଳେ ସୋଲାର ବ୍ୟବସ୍ଥା କରାଯାଇଥିଲା। ସୋଲାର ସଂଯୋଗ ହେବାର ମାତ୍ର କେଇ ଦିନ ପରେ ତାହା ଆଉ ଜଳୁ ନାହିଁ। ଖାଲି ଏହି ଗୋଟିଏ ଗାଁ ନୁହେଁ, ବରଂ ଜିଲ୍ଲାର ଥିବା ଅଧିକାଂଶ ଜୁଆଙ୍ଗ ଗାଁର ଅନୁରୂପ ଅବସ୍ଥା। ଆଧୁନିକ ସମାଜ ସହିତ ତାଳଦେଇ ଜୁଆଙ୍ଗଙ୍କ ଅନେକ ପରମ୍ପରା ସାମାନ୍ୟ ଝାପ୍‌ସା ହୋଇ ଯାଇଥିଲେ ବି ସେମାନେ ପରମ୍ପରାକୁ ଛାଡ଼ିନାହାନ୍ତି। ପାରମ୍ପରିକ ଭାବେ ସଂପନ୍ନ ହେଉଥିବା ବିବାହ ଉତ୍ସବ ନିଆରା। ବିଶେଷକରି କନ୍ୟାକୁ ଚୋରି କରି ଆଣି ବିବାହ କରିବା କିମ୍ବା ବିଭିନ୍ନ ଯାନିଯାତ୍ରାରୁ ବଳପୂର୍ବକ କନ୍ୟାକୁ ଆଣି ବିବାହ କରିବା ପରମ୍ପରା ରହିଛି। ଜୁଆଙ୍ଗଙ୍କ ମଧ୍ୟରେ ସ୍ବଗୋତ୍ର ବିବାହ ଚଳେ ନାହିଁ।

publive-image

ଗବେଷକ ରମେଶ ଚକ୍ରବର୍ତ୍ତୀଙ୍କ ସୂଚନା ଅନୁସାରେ, ଏହି ଜୁଆଙ୍ଗମାନଙ୍କର ବିଭିନ୍ନ ପ୍ରକାର ବିବାହ ପ୍ରଚଳନ ଅଛି। ଯେମିତି କୌଣସି ଜୁଆଙ୍ଗ ପୁଅର ବିବାହ ବୟସ ହେ‌ଲେ ଗ୍ରାମରେ ପରସ୍ପର ମଧ୍ୟରେ ଆଲେଚନା କରି ଅନ୍ୟ ଗ୍ରାମରେ କନ୍ୟା ଠିକ୍‌ କରିଥାନ୍ତି। ଏହାପରେ କେତେକ ବରପକ୍ଷର ଲୋକମାନେ କନ୍ୟା ଗ୍ରାମକୁ ଯାଇ ପ୍ରସ୍ତାବିତ କନ୍ୟା ଘରର ଦ୍ବାରଦେଶରେ ଗୋଟିଏ ବାଡ଼ି ରଖିଦେଇ ଆସନ୍ତି। ସେଠାରୁ ଫେରିବାବେଳେ ସେମାନେ ଯେଉଁ ସବୁ ଶକୁନ୍‌ ବା ସଙ୍କେତ ଜାଣନ୍ତି ସେ ସଂପର୍କ‌ରେ ଆଲୋଚନା ହୋଇ ବିବାହ ସ୍ଥିର ହୋଇଥାଏ। ବିବାହ ସ୍ଥିର ହେବା ପରେ ବରପକ୍ଷର କିଛି ମୁରବି, କମଣ୍ଡରା ଓ ଦାଣ୍ଡିଆଙ୍ଗ ସହିତ କନ୍ୟାଘରକୁ ଯାଇଥାନ୍ତି। ସେମାନଙ୍କ ସାଙ୍ଗରେ କିଛି ଧାନ, ଚାଉଳ, ଟଙ୍କା, ମଦ ଓ କୁକୁଡ଼ା ସାଙ୍ଗରେ ନେଇ ଯାଇଥାନ୍ତି। ତାହା କନିଆ ଘରେ ଦେଇଥାନ୍ତି। ଏହାପରେ କନ୍ୟା ବିଦାୟ ନେଇ ବର ଘରକୁ ଆସିବାବେଳେ କନ୍ୟାଯାତ୍ରୀ ଆସିଥାନ୍ତି। ବରଘର ଗାଁରେ ରାତି ସାରା ନାଚଗୀତ ଚାଲେ। ଏହା ପରଦିନ ବିବାହ ହୋଇଥାଏ ବୋଲି କହିଛନ୍ତି ଗବେଷକ ଶ୍ରୀ ଚକ୍ରବର୍ତ୍ତୀ। ଖାଲି ବିବାହ ନୁହେଁ, ବରଂ ବିଭିନ୍ନ ପୂଜା, ଏକୋଇଶା ପର୍ଯ୍ୟନ୍ତ ସବୁଥିରେ ଏମାନେ ପରମ୍ପରାକୁ ଅଗ୍ରଧିକାର ଦେଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe