ବିଚାରପତିଙ୍କ ଆତ୍ମହତ୍ୟା ଘଟଣା: ହତ୍ୟା ଅଭିଯୋଗ ଆଣିଲେ ମା’

Advertisment

ପତ୍ନୀ, ଶଳା ଦେଉଥିଲେ ନିର୍ଯାତନା, ମାମଲା ରୁଜୁ, ପରିବାର ସଦସ୍ୟଙ୍କୁ ପଚରାଉଚରା

ପତ୍ନୀ, ଶଳା ଦେଉଥିଲେ ନିର୍ଯାତନା, ମାମଲା ରୁଜୁ, ପରିବାର ସଦସ୍ୟଙ୍କୁ ପଚରାଉଚରା

ବିଚାରପତିଙ୍କ ଆତ୍ମହତ୍ୟା ଘଟଣା: ହତ୍ୟା ଅଭିଯୋଗ ଆଣିଲେ ମା’

କଟକ/ସିଡିଏ/ଯାଜପୁର ସଦର : ପୋକ୍‌ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା ଘଟଣା ନୂଆ ମୋଡ଼ ନେଇଛି। ସୁବାସଙ୍କ ମା ତୁଳସୀ ବିହାରୀ ହତ୍ୟା ଅଭିଯୋଗ ଆଣିଛନ୍ତି। ପତ୍ନୀ ଓ ଶଳା ସୁବାସଙ୍କୁ ହତ୍ୟା କରି ଟାଙ୍ଗୀଦେଇଥିବା ଅଭିଯୋଗ କରିଛନ୍ତି। ଏଭଳି ସଂଗିନ ଅଭିଯୋଗ ମର୍କତନଗର ଥାନାରେ କରାଯାଇଛି। ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବାରୁ ପୁଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟରୁ ହିଁ ସୁବାସଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ସେ ନେଇ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ମୃତ ବିଚାରପତି ଶ୍ରୀ ବିହାରୀଙ୍କ ମା ତୁଳସୀ ବିହାରୀ ମର୍କତନଗର ଥାନାରେ ଏକ ଏତଲା ଦେଇଛନ୍ତି। ସେ ଦର୍ଶାଇଛନ୍ତି ଯେ ସୁବାସ ଯାଜପୁର ସଦର ଅଞ୍ଚଳର ଶ୍ରୀବତ୍ସ ରାୟଙ୍କ ଝିଅ ଅପରାଜିତା ରାୟଙ୍କୁ ଗଲା ୧୫ ବର୍ଷ ତଳେ ବିବାହ କରିଥିଲେ। ବିବାହର ୩ ବର୍ଷ ପରେ ବୋହୂ ତାଙ୍କ ପୁଅଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ସୁବାସଙ୍କ ମଝିଆ ଶ୍ବଶୁରଙ୍କ ପୁଅ ସର୍ବଜିତ ରାୟ ମଧ୍ୟ ପୁଅ ବୋହୂଙ୍କ ନିକଟରେ ରହି ଆସୁଥିଲେ। ଉଭୟ ସୁବାସଙ୍କୁ ମିଳିମିଶି ଶାରୀରିକ ନିର୍ଯାତନା ଦେଉଥିବା ସମ୍ପର୍କରେ ନିଜେ ସୁବାସ ତାଙ୍କ ମା ତୁଳସୀଙ୍କୁ କହିଥିଲେ। ଗଲା ୨ ତାରିଖ ଦିନ ପ୍ରାୟ ଗୋଟାଏ ୪୭ ବେଳେ ସୁବାସଙ୍କ ସାନ ଭାଇ ସୁବୋଧଙ୍କ ନିକଟକୁ ସୁବାସଙ୍କ ମୃତ୍ୟୁ ସମ୍ପର୍କରେ ଫୋନ୍ କରି ସୂଚନା ଦିଆଯାଇଥିଲା। ସେଦିନ ସୁବାସଙ୍କ ମା, ସାନ ଭାଇ ଏବଂ ଅନ୍ୟମାନେ ସିଡିଏର ଏକ ଘରୋଇ ହସପିଟାଲରେ ପହଞ୍ଚିଥିଲେ। ସୁବାସଙ୍କ ଗଳା, ଛାତି ଓ ପେଟରେ କ୍ଷତ ଚିହ୍ନ ଥିବା ଦେଖିବାକୁ ପାଇଥିଲେ। ସୁବାସଙ୍କୁ ତାଙ୍କ ପତ୍ନୀ ଓ ମଝିଆ ଶ୍ବଶୁରଙ୍କ ପୁଅ ସର୍ବଜିତ ମିଶି ହତ୍ୟା କରିବା ପରେ ଟାଙ୍ଗୀଦେଇଥିବା ତୁଳସୀ ଅଭିଯୋଗ ଆଣିଛନ୍ତି। ସୁବାସଙ୍କ ଶବକୁ ତାଙ୍କ ସାନ ଭାଇ ଓ ଅନ୍ୟ ସମ୍ପର୍କୀୟ ସଂସ୍କାର ପାଇଁ ଆଣିବାକୁ ଅଡ଼ି ବସିବାରୁ ତାଙ୍କ ପତ୍ନୀ ଓ ଅନ୍ୟମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ସଂସ୍କାର କରିବାକୁ ନେଇଯାଇଥିବା ମା ତୁଳସୀ ଅଭିଯୋଗ କରିଛନ୍ତି। ତେଣୁ ଏହି ଘଟଣାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ମା’ ତୁଳସୀ ଏତଲାରେ ଦର୍ଶାଇଛନ୍ତି।

ମର୍କତନଗର ଥାନା ପୁଲିସ ଦଫା ୩୦୨, ୨୯୪, ୩୨୩, ୩୪ରେ ଏକ ମାମଲା(କେସ୍ ନଂ ୧୬୦) ରୁଜୁ କରିଛି। ପରିବାର ସଦସ୍ୟ ଓ ଅଫିସ କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଥିବା ବେଳେ ସିସି କ୍ୟାମେରା ଫୁଟେଜକୁ ଅନୁଧ୍ୟାନ କରାଯାଉଥିବା ଥାନା ଆଇଆଇସି ବିଉଟି ମହାନ୍ତି ସୂଚନା ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ସିଡିଏ ସେକ୍ଟର ୯ରେ ଥିବା ସରକାରୀ ବାସଭବନରେ ସୁବାସ କୁମାର ବିହାରୀ ରହୁଥିଲେ। ୨ ତାରିଖରେ ସେ ସରକାରୀ ବାସଭବନରେ ଦିନ ପ୍ରାୟ ୧୨ଟା ବେଳେ ଶୋଇବା ଘର କବାଟ ଭିତର ପଟୁ ବନ୍ଦ କରି ଏକ ରସି ସାହାଯ୍ୟରେ ଫ୍ୟାନରେ ଝୁଲିପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe