୨୭ବର୍ଷ ପରେ ଆୟ ବହିର୍ଭୂତ ମାମଲାର ରାୟ; ୨ବର୍ଷ ଜେଲ୍, ୨୦ହଜାର ଟଙ୍କା ଜରିମାନା

Advertisment
ଛିନ୍‌ତାଇ ଅଭିଯୋଗରେ ଯୁବକଙ୍କୁ ୨ ବର୍ଷ ଜେଲ୍

The Statesman

ଭୁବନେଶ୍ବର : ୧୯୯୫ ମସିହା ଡିସେମ୍ବର ୩୧ତାରିଖ। ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସହକାରୀ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପତି ବେଆଇନ ଭାବେ ସମ୍ପତ୍ତି ଗଚ୍ଛିତ ରଖିଥିବା ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ଏକ ମାମଲା ରୁଜୁ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶ୍ରୀ ପତିଙ୍କୁ ଚାକିରି ଶେଷ ହେବାର ୭ବର୍ଷ ଆଗରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ଏହାପରେ ଭିଜିଲାନ୍ସ ଖୋଳତାଡ଼ କରିବା ପରେ ଶ୍ରୀ ପତିଙ୍କର ୯ଲକ୍ଷ ୨୮ହଜାର ୫ଶହ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଆଉ ଏହା ଉପରେ କୋର୍ଟ ରାୟ ଶୁଣାଇବାକୁ ୨୭ବର୍ଷ ଲାଗିଗଲା। ଆଜି ଭିଜିଲାନ୍ସ ଦ୍ବାରା ରୁଜୁ ହୋଇଥିବା କେସ୍ ନମ୍ବର- ୬୯/୯୫ର ରାୟ ପ୍ରକାଶ ପାଇଛି। ଭୁବନେଶ୍ବରର ସ୍ପେସାଲ୍ କୋର୍ଟର ସ୍ବତନ୍ତ୍ର ବିଚାରପତି ଶ୍ରୀ ପତିଙ୍କୁ ୨ବର୍ଷ ଜେଲ୍ ଦଣ୍ଡାଦେଶ ଏବଂ ୨୦ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି। ଯଦି ନିର୍ଦ୍ଧାରିତ ସମୟରେ ଜରିମାନା ରାଶି କୋର୍ଟରେ ଦାଖଲ ନ କରାଯାଏ, ତେବେ ସୁରେନ୍ଦ୍ରଙ୍କୁ ଅଧିକ ୩ମାସ ଜେଲ୍ ଦଣ୍ଡାଦେଶ ଦିଆଯିବ। ଭିଜିଲାନ୍ସର ପୂର୍ବତନ ଡିଏସ୍‌ପି ହୃଷୀକେଶ ମିଶ୍ର ମାମଲାର ତଦନ୍ତ କରିଥିବା ବେଳେ ସ୍ପେସାଲ୍ କୋର୍ଟ ପିପି ଅଜିତ କୁମାର ପଟ୍ଟନାୟକ ମାମଲାର ପରିଚାଳନା କରିଥିଲେ।

୫୩ବର୍ଷରେ ଧରାପଡ଼ିଲେ; ୮୦ ବର୍ଷରେ ଦଣ୍ଡ ପାଇଲେ
ଭୁବନେଶ୍ବରସ୍ଥିତ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସହକାରୀ ନିର୍ଦ୍ଦେଶକ ଭାବେ କାମ କରୁଥିବା ବେଳେ ଭିଜିଲାନ୍ସ ସୁରେନ୍ଦ୍ରଙ୍କ ବିରୋଧରେ ଆୟ ବହିର୍ଭୂତ ମାମଲା ରୁଜୁ କରିଥିଲା। ସେତେବେଳକୁ ତାଙ୍କୁ ୫୩ବର୍ଷ ହୋଇଥିଲା। ଆଉ ଏହି ମାମଲାର ଶୁଣାଣି ପାଇଁ କୋର୍ଟରେ ୨୭ବର୍ଷ ସମୟ ଲାଗିଗଲା। ଅର୍ଥାତ୍ ରାୟ ଆସିବା ବେଳକୁ ସୁରେନ୍ଦ୍ରଙ୍କ ବୟସ ଏବେ ୮୦ବର୍ଷ। କେବଳ ସେତିକି ନୁହେଁ, ସେତେବେଳେ ମାମଲା ରୁଜୁ କରିଥିବା ତଦନ୍ତକାରୀ ଅଧିକାରୀ ହୃଷୀକେଶ ମିଶ୍ର ମଧ୍ୟ ଚାକିରି ଅବସର ନେଇସାରିଲେଣି। ସୁରେନ୍ଦ୍ରଙ୍କ ଘଟଣା ଭଳି କୋର୍ଟରେ ଏହିଭଳି ମାଳମାଳ ମାମଲା ଗଡ଼ୁଛି। ବିଭିନ୍ନ କାରଣରୁ ନିର୍ଦ୍ଧାରିତ ସମୟରେ ଅନେକ ଗୁଡ଼ିଏ ମାମଲାର ଶୁଣାଣି ହୋଇପାରୁନଥିବାରୁ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଓ ପୀଡ଼ିତଙ୍କୁ ନ୍ୟାୟ ମଧ୍ୟ ମିଳୁନାହିଁ। ଏପରିକି ବିଭିନ୍ନ ସମୟରେ ନ୍ୟାୟକୁ ଅପେକ୍ଷା କରି ପୀଡ଼ିତ ମୃତ୍ୟୁବରଣ କରୁଥିବା ନଜିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe