Image Courtesy of The New Indian Express
କଟକ : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ସଂପର୍କିତ ଭିଜିଲାନ୍ସ ମାମଲାରେ ଅଭିଯୁକ୍ତ ଥିବା ସରକାରୀ କର୍ମଚାରୀଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ନିମ୍ନ ଅଦାଲତରେ ମାମଲା ଚାଲିବ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଏଭଳି ଏକ ଘଟଣାରେ ଢେଙ୍କାନାଳ ବଡ଼ଝରସ୍ଥିତ ରେଙ୍ଗାଳି ଜଳସେଚନ ଡିଭିଜନ-୪ର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ଜେ.ସିହ୍ନାଙ୍କ ପତ୍ନୀ ବୈଜୟନ୍ତୀ ସିହ୍ନାଙ୍କ ଆବେଦନ ହାଇକୋର୍ଟ ଖାରଜ କରିଛନ୍ତି। ଅନୁଗୁଳ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଶ୍ରୀମତୀ ସିହ୍ନାଙ୍କ ବିରୋଧରେ ମାମଲାର ଶୁଣାଣି ଚାଲିବା ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ମାମଲାରେ ଭିଜିଲାନ୍ସ ବିଭାଗ ତତ୍କାଳୀନ ରେଙ୍ଗାଳି ଜଳସେଚନ ଡିଭିଜନ-୪ର ନିର୍ବାହୀ ଯନ୍ତ୍ରୀ ଶ୍ରୀ ସିହ୍ନା ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ସରକାରୀ କର୍ମଚାରୀ ହୋଇ ନଥିବାରୁ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରାରେ ଚାର୍ଜସିଟ ଦାଖଲ କରାଯିବା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଶ୍ରୀମତୀ ସିହ୍ନାଙ୍କ ତରଫରୁ ଦାୟର ଡିସଚାର୍ଜ ପିଟିସନକୁ ଅନୁଗୁଳ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଖାରଜ କରିଥିଲେ। ୨୦୨୨ ଅଗଷ୍ଟ ୯ରେ ପ୍ରଦାନ କରିଥିବା ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀମତୀ ସିହ୍ନା ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀମତୀ ସିହ୍ନାଙ୍କ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ରେଙ୍ଗାଲି ଜଳସେଚନ ଡିଭିଜନ-୪ର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ଭାବେ ଶ୍ରୀ ସିହ୍ନାଙ୍କ ବିରୋଧରେ ୨୦୦୯ ଜୁନ୍ ୨୩ରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ନେଇ ଭିଜିଲାନ୍ସ ମାମଲା ରୁଜୁ ହୋଇଥିଲା। ଭିଜିଲାନ୍ସ ଚଢ଼ଉ ବେଳେ ଶ୍ରୀମତୀ ସିହ୍ନାଙ୍କ ନାଁରେ ଘର, ଜମି ଓ ଅନ୍ୟାନ୍ୟ ସଂପତ୍ତି ଥିବା ଜଣାପଡିଥିଲା। ଭିଜିଲାନ୍ସ ବିଭାଗ ଶ୍ରୀ ସିହ୍ନା ଓ ତାଙ୍କ ପତ୍ନୀ ବୈଜୟନ୍ତୀ ସିହ୍ନାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) , ୧୩(୧)(ଇ) ଓ ଆଇପିସର ଦଫା ୧୦୯ରେ ଚାର୍ଜସିଟ ଦାଖଲ କରାଯାଇଥିଲା। ଏହି ମାମଲାରେ ଆୟ ବର୍ହିଭୂତ ସଂପତ୍ତିର ପରିମାଣ ୪୬ ଲକ୍ଷ ୩୭ ହଜାର ୫୧୫ ଟଙ୍କା ବୋଲି ଭିଜିଲାନ୍ସ ଚାର୍ଜସିଟରେ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ଚାର୍ଜସିଟ ଦାଖଲ ପରେ ଏହି ମାମଲାରେ ଶ୍ରୀମତୀ ସିହ୍ନା ଅନୁଗୁଳ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତରେ ଡିସଚାର୍ଜ ପିଟିସନ୍ ଦାଖଲ କରିଥିଲେ। ଭିଜିଲାନ୍ସ ତରଫରୁ ଷ୍ଟାଣ୍ଡିଂ କାଉନସିଲ ସଂଗ୍ରାମ ଦାସ ମାମଲା ପରିଚାଳନା କରୁଥିଲେ।
Follow Us