ଅନିଶ୍ଚିତତା ମଧ୍ୟରେ ଜୁନାଗଡ଼-ନବରଂଗପୁର ରେଳ ପ୍ରକଳ୍ପ: କିଏ ନିର୍ମାଣ କରିବ, କେଉଁ ବାଟୁ ଯିବ ଚିତ୍ର ସ୍ପଷ୍ଟ ନୁହେଁ

Advertisment
ଅନିଶ୍ଚିତତା ମଧ୍ୟରେ ଜୁନାଗଡ଼-ନବରଂଗପୁର ରେଳ ପ୍ରକଳ୍ପ: କିଏ ନିର୍ମାଣ କରିବ, କେଉଁ ବାଟୁ ଯିବ ଚିତ୍ର ସ୍ପଷ୍ଟ ନୁହେଁ

ସମ୍ବଲପୁର : ନିକଟରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶା ପାଇଁ ମଞ୍ଜୁର ହୋଇଥିବା ୫ଟି ପ୍ରକଳ୍ପ ସଂପର୍କରେ ଘୋଷଣା କରିଥିଲେ। ଏଥିରେ ୨୭୦ କିଲୋମିଟର୍ ଲମ୍ବା ଗୁରୁତ୍ବପୂର୍ଣ୍ଣ ସମ୍ବଲପୁର-ବ୍ରହ୍ମପୁର (ରେଢ଼ାଖୋଲ-ଗୋପାଳପୁର) ପ୍ରକଳ୍ପ ସମେତ ୫ଟି ପ୍ରକଳ୍ପ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍‌ (ଓରିଡ୍‌ଲ) ନିର୍ମାଣ କରିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। କିନ୍ତୁ ମନ୍ତ୍ରୀ ଦକ୍ଷିଣ ଓଡ଼ିଶାର ଦୁଇଟି ପଛୁଆ ଜିଲ୍ଲାକୁ ଯୋଡ଼ୁଥିବା ଜୁନାଗଡ଼-ନବରଂଗପୁର ଭାୟା ଧର୍ମଗଡ଼ ଲାଇନ୍ ସଂପର୍କରେ କୌଣସି ଉଲ୍ଲେଖ କରି ନଥିଲେ। ଅପରପକ୍ଷରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏହି ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁର କରିଥିବା‌ ନେଇ ୨ ମାସ ତଳେ ଦାବି କରିଥିଲେ। କିନ୍ତୁ ଏ ସଂପର୍କରେ ନା ଗତ ରେଳ ବଜେଟ୍‌ରେ କୌଣସି ଉଲ୍ଲେଖ ଥିଲା ନା ମନ୍ତ୍ରୀ କିଛି ସୂଚନା ଦେଲେ। ଏପରିକି ନିଜେ ସାଂସଦ ଶ୍ରୀ ପଣ୍ଡା ମଧ୍ୟ ପ୍ରକଳ୍ପ ମଞ୍ଜୁରି ସଂପର୍କରେ ମଞ୍ଜୁରି ପତ୍ର ବା ଅନ୍ୟ କୌଣସି ଦସ୍ତାବେଜ୍ ଉପସ୍ଥାପନ କରିପାରି ନାହାନ୍ତି। ତେଣୁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ନେଇ ଲୋକଙ୍କ ମଧ୍ୟରେ ବିଶେଷକରି ଦକ୍ଷିଣ ଓଡ଼ିଶାବାସୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।

publive-image Railway Technology

ପୂର୍ବରୁ ଜୁନାଗଡ଼ରୁ ନବରଂଗପୁର ମଧ୍ୟରେ ଏହି ପ୍ରସ୍ତାବିତ ନୂଆ ରେଳ ଲାଇନ୍ ପାଇଁ କୋକସରା, ପାପଡ଼ାହାଣ୍ଡି ଦେଇ ସଡ଼କ ପଥ ସହ ସମାନ୍ତରାଳ ଭାବେ ରେଳପଥ ନିର୍ମାଣ ପାଇଁ ଦୁଇଟି ସର୍ଭେ ହୋଇଥିଲା। ୨୦୦୯ରୁ ୨୦୧୩ ମଧ୍ୟରେ ହୋଇଥିବା ଆର୍‌ଇଟି ସର୍ଭେରେ ଜୁନାଗଡ଼, ମହୀଚଲା, ମୋଟେର୍‌, କୋକସରା, ଗୋତମୁଣ୍ଡା, ନୂଆପଡ଼ା, ସହଜ୍‌ଖୋଲ, ବିରିମାନ୍, ବରିପଦର, ଧନସୁଲି, ପାପଡ଼ାହାଣ୍ଡି, ନବରଂଗପୁର ପର୍ଯ୍ୟନ୍ତ ୧୨୮ କିଲୋମିଟର୍ ଲମ୍ବା ଲାଇନ୍ ନିର୍ଧାରିତ ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୧୨ରୁ ୨୦୧୭ ମଧ୍ୟରେ ହୋଇଥିବା ପିଇଟି ସର୍ଭେରେ ୧୧୮ କିଲୋମିଟର୍‌ ଲାଇନ୍‌ ନିର୍ଧାରିତ ହୋଇଥିଲା ଓ ସେଥିରେ ଆସୁଥିବା ଷ୍ଟେସନ୍‌ ଗୁଡ଼ିକ ହେଲା ଜୁନାଗଡ଼, କାଲୋପଲା, କୋକସରା, ନୂଆପଡ଼ା, ତେଲିଗୁଡ଼ା, ଆମପାଣି, ବିରିମାନ୍, ବରିପଦର, ଧନସୁଲି, ପାପଡ଼ାହାଣ୍ଡି ଓ ନବରଂଗପୁର। ଆର୍‌ଇଟି ସର୍ଭେରେ ରେଟ୍‌ ଅଫ୍ ରିଟର୍ନ ୧୪.୬୭% ଥିବାବେଳେ ପିଇଟି ସର୍ଭେରେ ଏହାକୁ ମାତ୍ର ୩% ଦର୍ଶା ଯାଇଥିଲା। ଏବେ ଧର୍ମ‌ଗଡ଼ ଦେଇ ଏହି ଲାଇନ୍‌ ହେବ ବୋଲି ସାଂସଦଙ୍କ ବକ୍ତବ୍ୟ ଜନସାଧାରଣରେ ଦ୍ବନ୍ଦ୍ବ ସୃଷ୍ଟି କରିଛି।

publive-image

ଧର୍ମଗଡ଼ ଅଞ୍ଚଳବାସୀ ଏହାକୁ ନେଇ ଉତ୍ସାହିତ ଅଛନ୍ତି, କିନ୍ତୁ ପ୍ରକଳ୍ପର ସ୍ଥିତି ସଂପର୍କରେ କୌଣସି ଆଧିକାରିକ ତଥ୍ୟ ବା ସୂଚନା ଦିଆ ନଯିବା କାରଣରୁ ଅନିଶ୍ଚିତତା ବଢ଼ିଛି। ପୂର୍ବରୁ ୨୦୧୬-୧୭ରେ ଓରିଡ୍‌ଲ ଏହି ପ୍ରକଳ୍ପ ହାତକୁ ନେଇଥିଲା। କିନ୍ତୁ ଏହା ଉପରେ ରେଳବାଇ ବୋର୍ଡ ଏ ପର୍ଯ୍ୟନ୍ତ କୌଣସି ଚିତ୍ର ସ୍ପଷ୍ଟ କରି ନାହିଁ। କଳାହାଣ୍ଡି ଓ ନବରଂଗପୁର ଭଳି ଦୁଇଟି ଅତ୍ୟନ୍ତ ପଛୁଆ ଓ ଆଭ୍ୟନ୍ତରୀଣ ଜିଲ୍ଲାକୁ ଯୋଡ଼ିବା ଲକ୍ଷ୍ୟରେ ପ୍ରସ୍ତାବିତ ଏହି ରେଳ ପ୍ରକଳ୍ପ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ। ତେଣୁ ଉଭୟ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କଳାହାଣ୍ଡି ସାଂସଦ ଶ୍ରୀ ପଣ୍ଡା ଏହି ପ୍ରକଳ୍ପର ସ୍ଥିତି ଓ ଭବିଷ୍ୟତ ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe