ଭିଜିଲାନସ୍ ଜାଲରେ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ; ୧୦ ହଜାର ଲାଞ୍ଚ ନେଇ ଗିରଫ, ବାସଭବନରେ ଚଢ଼ଉ ଜାରି

ଭିଜିଲାନସ୍ ଜାଲରେ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ; ୧୦ ହଜାର ଲାଞ୍ଚ ନେଇ ଗିରଫ, ବାସଭବନରେ ଚଢ଼ଉ ଜାରି

ରାୟଗଡ଼ା: ବିଦ୍ୟୁତ୍ ସଂଯୋଗ ପାଇଁ ଚାଷୀଙ୍କଠୁ ଲାଞ୍ଚ ନେଉଥିଲେ ୧୦ ହଜାର। ଭଡ଼ା ଘରେ ଲାଞ୍ଚ ଦେଣନେଣ ସମୟରେ ମାଡ଼ି ବସିଛି ଭିଜିଲାନସ୍। କେମିକାଲ୍ ମିଶ୍ରଣ ଟଙ୍କା ସହ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକଙ୍କୁ ଗିରଫ କରିଛି ଭିଜିଲାନସ୍। ପଦ୍ମପୁରରୁ ଗିରଫ ପରେ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥି ସହିତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନସ୍ ଟିମ୍ କନିଷ୍ଠ ଯନ୍ତ୍ରୀଙ୍କ ପଦ୍ମପୁର, ରାୟଗଡ଼ା, ବ୍ରହ୍ମପୁର ହିଲପାଟଣାସ୍ଥିତ ନିଜ ଘରେ ଚଢ଼ାଉ ଜାରି ରଖିଛି।

ଗୁଣପୁର ବ୍ଲକ୍ ଚାଲକମ୍ବା ଅଞ୍ଚଳରେ ଜଣେ ଚାଷୀ ନିଜ ଉଠା ଜଳସେଚନ ପ୍ରକଳ୍ପକୁ ବିଦ୍ୟୁତ୍ ପୁନଃ ସଂଯୋଗୀକରଣ ପାଇଁ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀଙ୍କ ନିକଟକୁ ଯାଇଥିଲେ। ବକେୟା ବିଲ୍ ପାଇଁ ପୂର୍ବରୁ ଉଠା ଜଳସେଚନ ପଏଣ୍ଟରୁ ବିଦ୍ୟୁତ୍ ବିଚ୍ଛିନ୍ନ କରିଥିଲା ବିଭାଗ। କିଛି ଦିନ ତଳେ ଚାଷୀ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପୁନଃ ବିଦ୍ୟୁତ୍ ସଂଯୋଗୀକରଣ ପାଇଁ ନିବେଦନ କରିଥିଲେ। ଏଥି ପାଇଁ ଯନ୍ତ୍ରୀ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଚାଷୀ ଭିଜିଲାନସକୁ ଅବଗତ କରିଥିଲେ। ଫଳରେ କୋରାପୁଟ, ରାୟଗଡ଼ା ଭିଜିଲାନସର ସ୍ବତନ୍ତ୍ର ଟିମ୍ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ଯୋଜନା କରିଥିଲା। ଯୋଜନା ମୁତାବକ ଆଜି ଅପରାହଣରେ ଚାଷୀ ଜଣଙ୍କ କନିଷ୍ଠ ଯନ୍ତ୍ରୀ ପଦ୍ମପୁରସ୍ଥିତ ବାସ ଭବନକୁ ୧୦ ହଜାର ଟଙ୍କା ନେଇ ଯାଇଥିଲେ। ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟଙ୍କା ଗ୍ରହଣ କରିବା ପରେ ଭିଜିଲାନସ୍ ଟିମ୍ ଚଢ଼ାଉ କରି ଟଙ୍କା ଜବତ କରିବା ସହ ଯନ୍ତ୍ରୀଙ୍କୁ ଗିରଫ କରିଥିଲା। କୋରାପୁଟ ଭିଜିଲାନସ୍ ପକ୍ଷରୁ ମାମଲା ରୁଜୁ ସହ ଯନ୍ତ୍ରୀଙ୍କ ତିନୋଟି ବାସ ଭବନରେ ଚଢ଼ାଉ ଚାଲିଛି। ଚଢ଼ାଉ ପରେ ଆୟ ବର୍ହିଭୂତ ସମ୍ପତ୍ତି ସଂପର୍କରେ ଜଣା ପଡିବ ବୋଲି ଭିଜିଲାନସ୍ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe