ଫୁଲବାଣୀ: ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଫୁଲବାଣୀ ପୌରପାଳିକାର କନିଷ୍ଠ ଯନ୍ତ୍ରୀ ନୀଳକଣ୍ଠ ନାଏକ ଛୁଟିରେ ଚାଲି ଯାଇଛନ୍ତି। ସେ ଏବେ ନିଜ ଜିଲ୍ଲା ମୟୂରଭଞ୍ଜର କଳାବାଡ଼ିଆସ୍ଥିତ ନିଜ ଗାଁରେ ଛୁଟି କାଟୁଛନ୍ତି। ତାଙ୍କୁ ମାଡ଼ ମାରିଥିବା ଠିକାଦାର ଟେଲିଫୋନ୍ରେ ହତ୍ୟା ଧମକ ଦେଉଥିବା ନେଇ କନିଷ୍ଠ ଯନ୍ତ୍ରୀ ଶ୍ରୀ ନାଏକ ଫୁଲବାଣୀ ଟାଉନ ଥାନାରେ ଏତଲାରେ ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତ୍ରୀ ଶ୍ରୀ ନାଏକ ରହୁଥିବା ବାସଭବନ ଆଗରେ କିଛି ଦୁର୍ବୃତ୍ତ ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ଯନ୍ତ୍ରୀ ଶ୍ରୀ ନାଏକ ଟାଉନ ଥାନାରେ ଏତଲା ଦେବାପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।
ଅପରପକ୍ଷେ, ମାମଲା ପ୍ରତ୍ୟାହାର କରିନେବା ପାଇଁ ସମ୍ପୃକ୍ତ ଅଭିଯୁକ୍ତ ଠିକାଦାର ତାଙ୍କ ଉପରେ ଚାପ ପକାଉଛନ୍ତି ବୋଲି କନିଷ୍ଠ ଯନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି। ତେବେ ଆଜି ପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିବାରେ ସଫଳ ହୋଇପାରିନାହିଁ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଡ଼ ମାରିଥିବା ଠିକାଦାରକୁ ଗିରଫ କରାଯିବ ବୋଲି ଟାଉନ ଥାନାଧିକାରୀ ସୁଶାନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି। ଅପରପକ୍ଷେ, କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ଯୁବକଙ୍କୁ ତୁରନ୍ତ ଗିରଫ କରିବାକୁ ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ସମେତ ସମସ୍ତ କାଉନସିଲରମାନେ ଦାବି କରିଛନ୍ତି।
Follow Us