Dhaka Tribune
ଭୁବନେଶ୍ବର : ଚଳିତମାସ ୨୪ତାରିଖରୁ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ୨୦୨୧। ୧୨ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୪୮ଟି ମ୍ୟାଚ୍ ଖେଳାଯିବ। ମାତ୍ର କରୋନା ପାଇଁ ଏଥର ଦର୍ଶକଙ୍କୁ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ଅନୁମତି ଦିଆଯାଇନାହିଁ। ତେଣୁ ବିଏମ୍ସି ଅଞ୍ଚଳର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ସ୍କ୍ରିନ୍ ଜରିଆରେ ଦର୍ଶକ ଲାଇଭ୍ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ। ହକି ବିଶ୍ବକପ୍ ସମ୍ବନ୍ଧରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ଲୋକସେବା ଭବନରୁ ଡିଜିଟାଲ ମୋଡରେ ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ବିଭାଗର ସଚିବ ଭିନିଲ କ୍ରୀଷ୍ଣା ବିଶ୍ବକପ୍ ସମ୍ବନ୍ଧୀୟ ପ୍ରସ୍ତୁତି ସମ୍ବନ୍ଧୀୟ ସୂଚନା ରଖିଥିଲେ। ଟୁର୍ଣ୍ଣାମେଣ୍ଟ ସହିତ ଜଡ଼ିତ ଥିବା ପୂର୍ତ, ଇଡକୋ, ପୁଲିସ, ଅଗ୍ନିଶମ, ସ୍ବାସ୍ଥ୍ୟ, ହସ୍ତତନ୍ତ ଓ ବୟନଶିଳ୍ପ, ପର୍ଯ୍ୟଟନ, ଗୃହ ଓ ନଗର ଉନ୍ନୟନ, ବିଏସ୍ଏନଏଲ ଓ ଶକ୍ତି ବିଭାଗକୁ ତୁରନ୍ତ ସମସ୍ତ କାର୍ଯ୍ୟ ଶେଷ କରିବା ଲାଗି ନିର୍ଦେଶ ଦିଆଯାଇଛି। ବିଦେଶୀ ଟିମ୍ମାନଙ୍କର ଗସ୍ତ, କ୍ୟାଟେରିଂ, ସୁରକ୍ଷା, ଅଭ୍ୟାସ ଗ୍ରାଉଣ୍ଡ, ମୁଖ୍ୟ ହକି ଗ୍ରାଉଣ୍ଡ, ଟ୍ରାଫିକ୍, ଅଗ୍ନିସେବା, ବୈଦ୍ୟୁତିକ ସୁରକ୍ଷା ବ୍ୟବସ୍ଥା, ବର୍ଜ୍ୟ ପରିଚାଳନା, ନିୟମିତ କୋଭିଡ ପରୀକ୍ଷା, ମେଡିକାଲ ପାଇଁ ଆବଶ୍ୟକ ସୁବିଧା, ଇଣ୍ଟରନେଟ ପ୍ରଭୃତି ବିଷୟରେ ଆଲୋଚନା ହୋଇଥିଲା।
ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି। ପୁଲ-ଏ ରେ ବେଲଜିୟମ, ମାଲେସିଆ, ଦକ୍ଷିଣ ଆଫ୍ରିକା ଓ ଚିଲି ଥିବା ବେଳେ ପୁଲ୍-ବି ରେ ଭାରତ, କାନାଡ଼ା, ଫ୍ରାନ୍ସ, ପୋଲାଣ୍ଡ, ପୁଲ-ସି ରେ ନେଦରଲାଣ୍ଡ, ସ୍ପେନ୍, କୋରିଆ ଓ ଯୁକ୍ତରାଷ୍ଟ୍ର ଆମେରିକା, ପୁଲ-ଡିରେ ଜର୍ମାନି, ଆର୍ଜେଣ୍ଟିନା, ପାକିସ୍ତାନ ଓ ଇଜିପ୍ଟ ସ୍ଥାନ ପାଇଛି। ଖେଳାଳି ଓ ଅନ୍ୟ ଅଧିକାରୀଙ୍କୁ ମିଶାଇ ସମୁଦାୟ ୬ଶହ ବ୍ୟକ୍ତିବିଶେଷ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା, ପୂର୍ତ ବିଭାଗର ସଚିବ କ୍ରିଷନ କୁମାର, ହସ୍ତତନ୍ତ ବିଭାଗର ସଚିବ ଶୁଭା ଶର୍ମା, ବିଏମ୍ସିର କମିସନର ସଂଜୟ ସିଂ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ବୈଠକରେ ସାମିଲ ହୋଇଥିଲେ।
Follow Us