ଭୁବନେଶ୍ବର: ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଗତକାଲି ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝରର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା ଆଜି ଗିରଫ ହୋଇଛନ୍ତି। ଖଣି ଅଧିକାରୀ ଶ୍ରୀ ହେତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଗତକାଲି ଶ୍ରୀ ହେତାଙ୍କର ଭୁବନେଶ୍ୱର, କେନ୍ଦୁଝର, ଯାଜପୁର ଓ ଭବାନୀପାଟଣାସ୍ଥିତ ୭ଟି ଠିକଣାରେ ଚଢ଼ାଉ କରି ପୁଳାପୁଳା ସମ୍ପତ୍ତି ଠାବ କରିଥିଲେ।
ଭିଜିଲାନ୍ସ ବିଭାଗର ଚଢ଼ାଉ ସମୟରେ ପଦ୍ମନାଭ ହୋତାଙ୍କର ୩ଟି ବହୁତଳ କୋଠା ଓ ଗୋଟିଏ ଚାରି ମହଲା ବିଶିଷ୍ଟ ଯାହା ଭୁବନେଶ୍ୱରରେ ରହିଥିବା ଜଣାପଡ଼ିଛି। ତାଙ୍କର ୨ଟି ବେନାମୀ ଫ୍ଲାଟ୍ ଓ ୧୪ଟି ପ୍ଲଟ୍ ଠାବ ହୋଇଛି। ୧୪ଟି ପ୍ଲଟ୍ ମଧ୍ୟରୁ ୪ଟି କଟକ ଓ ଭୁବନେଶ୍ୱରରେ ଥିବା ବେଳେ ବାକି ୧୦ଟି ଯାଜପୁର ଜିଲ୍ଲାର ଦାନଗଦିରେ ଅଛି। କେନ୍ଦୁଝର ଜିଲ୍ଲା ଘଷିପୁର ତହସିଲର ମଦନପୁରରେ ତାଙ୍କର ଏକ ଫାର୍ମ ହାଉସ୍ ଅଛି ଯାହାକି ୫ ଏକର ଜମିରେ ବିସ୍ତୃତ। ଏହି ଫାର୍ମ ହାଉସ୍ରେ ହୋଇଥିବା ନିର୍ମାଣ କାମ ଓ ଅନ୍ୟାନ୍ୟ ସଂପତ୍ତିର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ବ୍ୟାଙ୍କରେ ସେ ୫୩ ଲକ୍ଷ ଟଙ୍କା ଜମା ରଖିଥିବା ବେଳେ ତାଙ୍କ ଘରୁ ନଗଦ ୧ ଲକ୍ଷ ଟଙ୍କା ମିଳିଥିଲା। ତାଙ୍କ ଘରୁ ୩୦୦ ଗ୍ରାମ ସୁନା ଅଳଙ୍କାର ମିଳିଥିବା ବେଳେ ତାଙ୍କର ଗୋଟିଏ ଚାରି ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ଅଛି।
ଭିଜିଲାନ୍ସ ଚଢ଼ାଉ ସମୟରେ ଶ୍ରୀ ହୋତା ଏତେ ସଂପତ୍ତି କେମିତି ଠୁଳ କରିପାରିଲେ, ତା’ର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଫଳରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ଅଧିକ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ଭିଜିଲାନ୍ସ ବିଭାଗ ପକ୍ଷରୁ ଶ୍ରୀ ହୋତାଙ୍କର କେନ୍ଦୁଝରର ଜଗନ୍ନାଥପୁରସ୍ଥିତ ଦୁଇ ମହଲା ଘର, ଭୁବନେଶ୍ୱରର କୋରଡୋକଣ୍ଟାସ୍ଥିତ ୪ ମହଲା କୋଠା, କେନ୍ଦୁଝରର ଘଷିପୁରା ତହସିଲର ମଦନପୁରସ୍ଥିତ ଫାର୍ମ ହାଉସ୍, କେନ୍ଦୁଝରରସ୍ଥିତ ଅଫିସ୍ ଚ୍ୟାମ୍ବର, ଭବାନୀପାଟଣାସ୍ଥିତ ଭଡ଼ା ଘର ସହିତ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବଳରାମପୁରରେ ତାଙ୍କ ସଂପର୍କୀୟଙ୍କ ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା।
Follow Us