୧୧ ଜମାକାରୀ ଜରିମାନା ଅର୍ଥ ସହିତ ଫେରି ପାଇଲେ ଜମାରାଶି

Advertisment

ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ଚିଠି

ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ଚିଠି

୧୧ ଜମାକାରୀ ଜରିମାନା ଅର୍ଥ ସହିତ ଫେରି ପାଇଲେ ଜମାରାଶି

କଟକ: ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନଙ୍କ ନିର୍ଦ୍ଦେଶ ବଳରେ ଆଜି ଅର୍ଥ ଲଗାଣକାରୀ ସଂସ୍ଥା ବିଭୁ କଲ୍ୟାଣ ଇନଫ୍ରା ପ୍ରପର୍ଟିଜ୍‌ ଲିମିଟେଡ୍‌ର ୧୧ ଜଣ କ୍ଷୁଦ୍ର ଜମାକରୀ ସେମାନଙ୍କ ଟଙ୍କା ଫେରସ୍ତ ପାଇଛନ୍ତି। ନୋଟିସ ପାଇ ଆଜି ଜମାକାରୀମାନେ ବକ୍ସିବଜାର ପୁଲିସ ଲାଇନସ୍ଥିତ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନେ ଏହି ସଂସ୍ଥାରେ ନିବେଶ କରିଥିବା ଟଙ୍କା ସଂପର୍କରେ ନଥିପତ୍ର ସହିତ ନିଜ ପରିଚୟପତ୍ର ଉପସ୍ଥାପନ କରିଥିଲେ। ଏହାପରେ ସଂସ୍ଥାର ପଦାଧିକାରୀ ଓ ଓକିଲଙ୍କ ଉପସ୍ଥିତିରେ ବିଭୁ କଲ୍ୟାଣ ଇନଫ୍ରା ପକ୍ଷରୁ ଉପସ୍ଥିତ ଥିବା ୧୧ ଜଣ ଜମାକାରୀଙ୍କୁ ସେମାନଙ୍କ ଜମାଟଙ୍କା ଡ୍ରାଫ୍ଟ ମାଧ୍ୟମରେ ଫେରସ୍ତ କରାଯାଇଥିଲା। ଏଥିସହିତ ପୂର୍ବରୁ ଥରେ ନୋଟିସ ପାଇ ଟଙ୍କା ଫେରସ୍ତ ପାଇବାକୁ କମିସନଙ୍କ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରିଥିବା ଏହି ଜମାକାରୀଙ୍କୁ ୫ ଶହ ଟଙ୍କା ଲେଖାଏ ଜରିମାନା ମଧ୍ୟ ସଂସ୍ଥା ପ୍ରଦାନ କରିଛି। ଏଠାରେ ସୂଚନା ଯୋଗ୍ୟ ଯେ ଏହି ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ୩୦ ଜଣ କ୍ଷୁଦ୍ର ଜାମାକାରୀଙ୍କ ମଧ୍ୟରୁ ପୂର୍ବରୁ ଜଣଙ୍କୁ ଜୁନ୍‌ ମାସରେ ଟଙ୍କା ଫେରସ୍ତ କରାଯାଇଥିଲା। ଏହା ପରେ ଆଜି ଅବଶିଷ୍ଟ ଜମାକାରୀଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ୧୧ ଜଣ ଆସିଥିଲେ। ଅନ୍ୟ ଜମାକାରୀଙ୍କୁ ଅଗଷ୍ଟ ୨୧ ତାରିଖ ମଧ୍ୟରେ ଜମା ଟଙ୍କା ସହିତ ୫ଶହ ଟଙ୍କା ଲେଖାଏ ଜରିମାନା ରାଶି ପ୍ରଦାନ ପାଇଁ ଆଜି କମିସନ୍‌ ବିଭୁ କଲ୍ୟାଣ ଇନଫ୍ରା ପ୍ରପର୍ଟିଜ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଜଷ୍ଟିସ ଏମ୍‌.ଏମ୍‌.ଦାସ କମିସନଙ୍କ କାର୍ଯ୍ୟକାଳ ୨୦୧୮, ଅଗଷ୍ଟ ୪ ତାରିଖରେ ପୂରିବାକୁ ଯାଉଛି। ତଦନ୍ତ ପ୍ରକ୍ରିୟା ସରି ନଥିବା ବେଳେ କାର୍ଯ୍ୟକାଳ ବୃଦ୍ଧି ପାଇଁ ଗୃହ ବିଭାଗକୁ କମିସନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଚିଠି ଲେଖା ଯାଇଥିବା ସୂଚନା ମିଳିଛି। ପୂର୍ବରୁ ୨୦୧୮, ଫେବ୍ରୁଆରି ୪ରେ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ପୂରିଥିବା ବେଳେ ସରକାର ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ବୃଦ୍ଧି କରାଯାଇଥିବା ବେଳେ ଇତିମଧ୍ୟରେ କ୍ଷୁଦ୍ର ଜମାକରୀଙ୍କ ପ୍ରସଂଗରେ ସରକାରଙ୍କୁ ୫ଟିି ଅନ୍ତରୀଣ ରିପୋର୍ଟ କମିସନ୍‌ ପ୍ରଦାନ କରି ସାରିଛନ୍ତି। ଅନ୍ୟପକ୍ଷରେ ଷଷ୍ଠ ପର୍ଯ୍ୟାୟରେ ୨ ଲକ୍ଷ ୨୪ ହଜାର ସତ୍ୟପାଠ ଯାଞ୍ଚ କରାଯାଉଛି। ଏଥି ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରାଯାଇଥିବା ପ୍ରାୟ ୮୦ ହଜାର ତ୍ରୁଟିପୂର୍ଣ୍ଣ ସତ୍ୟପାଠକୁ ମଧ୍ୟ କମିସନ ଏହା ପରେ ବିଚାରକୁ ନେବେ ବୋଲି ସୂଚନା ମିଳିଛି। ଏପରି ପରିସ୍ଥିତିରେ ପୁଣି କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe