କଟକ : ରାଜ୍ୟରେ ଚିଟ୍ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ ନିକଟରେ ଚିଟଫଣ୍ଡ ସଂସ୍ଥା ସିସୋର ଓ ଅର୍ଥତତ୍ତ୍ୱର ମୁଖ୍ୟ ହାଜର ହୋଇ ନାହାନ୍ତି। ନୋଟିସ୍ ପାଇବା ସତ୍ୱେ ଏହି ଦୁଇ ସଂସ୍ଥାର ମୁଖ୍ୟ କିମ୍ବା ତାଙ୍କ ପ୍ରତିନିଧି ହାଜର ହୋଇ ନଥିବା ବେଳେ କମିସନ୍ ସିସୋର ଓ ଅର୍ଥତତ୍ତ୍ୱ ଦ୍ୱାରା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ପଞ୍ଚମ ପର୍ଯ୍ୟାୟରେ ସିସୋର ଗ୍ରୁପର ୭ ହଜାର ୭୩୪ ଜଣ ଓ ଅର୍ଥତତ୍ତ୍ୱ ଗ୍ରୁପର ୨ହଜାର ୩୬୫ ଜଣ କ୍ଷୁଦ୍ର ଜମାକାରୀଙ୍କୁ କମିସନ୍ ଚିହ୍ନଟ କରିଛନ୍ତି। ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଇ ପ୍ରଥମେ ସିସୋର ଓ ଅର୍ଥତତ୍ତ୍ୱକୁ କମିସନଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ୨୦୧୮, ଫେବ୍ରୁଆରି ୧ରେ ଜାମିନରେ ଥିବା ସିସୋର ମୁଖ୍ୟ ପ୍ରଶାନ୍ତ ଦାଶ ଓ ଜେଲରେ ଥିବା ପ୍ରଦୀପ ସେଠୀଙ୍କୁ ନୋଟସ୍ ଜାରି କରି ୨୦୧୮, ମାର୍ଚ୍ଚ ୮ତାରିଖ ଦିନ ୨ଟା ବେଳେ ନିଜେ କିମ୍ବା ପ୍ରତିନିଧଙ୍କ ମାଧ୍ୟମରେ ହାଜର ହୋଇ କାରଣ ଦର୍ଶାଇବାକୁ କମିସନ୍ ନିର୍ଦ୍ଦେଶ ଦେଇଥିଲେ। ଡାକ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହୋଇଥିଲା ଯେ ଶ୍ରୀ ଦାଶ କମିସନଙ୍କ ନୋଟିସ୍ ପାଇଥିଲେ। ସେହିପରି ଜେଲ ଅଧୀକ୍ଷକଙ୍କ ଜରିଆରେ ପ୍ରଦୀପ ସେଠୀଙ୍କୁ ନୋଟିସ୍ ପ୍ରଦାନ କରାଯାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ଏହା ସତ୍ୱେ ଦୁଇ ସଂସ୍ଥାର କେହି ପ୍ରତିନିଧି କମିସନ୍ଙ୍କ ନିକଟରେ ହାଜର ହୋଇ ନଥିଲେ। ଏପରି ପରିସ୍ଥିତିରେ ଜମାକରୀଙ୍କ ସତ୍ୟପାଠ ଆଧାରରେ କମିସନ୍ ସିସୋର ଓ ଅର୍ଥତତ୍ତ୍ୱର କ୍ଷୁଦ୍ର ଜମାକରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍ ନିବେଶ କରିଥିବା ବ୍ୟକ୍ତି)ଙ୍କୁ ଚିହ୍ନଟ କରିଛନ୍ତି। ଏ ସଂପର୍କରେ ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ପରବର୍ତ୍ତୀ ରିପୋର୍ଟରେ ଉଲ୍ଲେଖ କରାଯିବ ବୋଲି କମିସନ୍ଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us