୬୮ବର୍ଷ ପରେ ବି ମିଳିନି ନ୍ୟାୟ: ହୀରାକୁଦ ବିସ୍ଥାପିତଙ୍କ ଦିବାରାତ୍ର ଆନ୍ଦୋଳନ

ହୀରାକୁଦ ଡ୍ୟାମ୍‌କୁ ୬୮ ବର୍ଷ ପୂରିଲାଣି, ଅଥଚ ବିସ୍ଥାପିତ ପରିବାରମାନଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟୋଚିତ ହକ୍ ମିଳିପାରିଲା ନାହିଁ। ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ଆଜିଠାରୁ ଆରମ୍ଭ କରିଛି ଦିବାରାତ୍ର ଆନ୍ଦୋଳନ।

hfsfhshfshf

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌କୁ ୬୮ ବର୍ଷ ପୂରିଲାଣି, ଅଥଚ ବିସ୍ଥାପିତ ପରିବାରମାନଙ୍କୁ ଆଜି ପର୍ଯ୍ୟନ୍ତ ନ୍ୟାୟୋଚିତ ହକ୍ ମିଳିପାରିଲା ନାହିଁ। ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ଆଜିଠାରୁ ଆରମ୍ଭ କରିଛି ଦିବାରାତ୍ର ଆନ୍ଦୋଳନ। ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଜିଲ୍ଲାରେ ରହୁଥିବା ହୀରାକୁଦ ନଦୀବନ୍ଧ ବିସ୍ଥାପିତମାନେ ଗଣଧାରଣାରେ ବସିଛନ୍ତି। ସ୍ବାଧୀନ ଭାରତର ସର୍ବବୃହ‌ତ୍‌ ପ୍ରକଳ୍ପ ହୀରାକୁଦ ବନ୍ଧକୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହରୁ ୧୯୫୭ ଜାନୁଆରି ୧୩ ତାରିଖରେ ଜାତି ଉଦେଶ୍ୟରେ ଉତ୍ସର୍ଗ କରିଥିଲେ। ୭୪୨ ବର୍ଗ କିଲୋମିଟର ଅଞ୍ଚଳରେ ଥିବା ୩୬୫ ଗାଁ, ୨୦୦ ମନ୍ଦିର, ୧ ଲକ୍ଷ ୮୫ ହଜାର ଏକର ଜମି ହୀରାକୁଦ ଜଳଭଣ୍ଡାରରେ ଜଳମଗ୍ନ ହୋଇଥିଲା। ଏଥିରେ ୨୬,୫୦୧ ପରିବାର ବିସ୍ଥାପିତ ହୋଇଥିଲେ। ବିସ୍ଥାପନର ୭ ଦଶନ୍ଧି ପରେ ବି ବହୁ ପରିବାର ଥଇଥାନ ରାଶି ବା ଅନ୍ୟ କ୍ଷତିପୂରଣ ପାଇପାରିନାହାନ୍ତି। ଘରଡ଼ିହ ଖଣ୍ଡେ ବି ମିଳିନାହିଁ। ବର୍ତ୍ତମାନ ଓଡ଼ିଶାର ୫ଟି ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବରଗଡ଼, ଝାରସୁଗୁଡ଼ା ତଥା ଛତିଶଗଡ଼ର ୩ଟି ଜିଲ୍ଲା ସୁରୁଗୁଜା, ରାୟଗଡ଼ ଓ ସୁରଜପୁରରେ ଏହି ବିସ୍ଥାପିତ ପରିବାରମାନେ ବାସ କରୁଛନ୍ତି।

ବିଳମ୍ବରେ ହେଲେ ମଧ୍ୟ ୨୦୦୨ରେ ଓଡ଼ିଶା ସରକାର ରାଜସ୍ବ ବିଭାଗ (ପତ୍ରସଂଖ୍ୟା-୫୫୩୧/୩୦.୧.୨୦୦୨) ପ୍ରତି ବିଭାଜିତ ପରିବାରକୁ ୧୦ ଡିସିମିଲ ଘରଡ଼ିହ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଡ଼ମ୍ବନାର ବିଷୟ, ୨୩ ବର୍ଷରେ ମାତ୍ର ୪ ହଜାର ପରିବାରକୁ ପଟ୍ଟା ମିଳିଛି। ୮୦ ହଜାର ପରିବାର ଏବେ ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି। ପଟ୍ଟା ପାଇଥିବା ଅଧିକାଂଶ ପରିବାରର ସୀମା ଚିହ୍ନଟ ହୋଇନଥିବାରୁ ଘର କରି ନ ପାରି କେବଳ ପଟ୍ଟା ଧରି ବୁଲୁଛନ୍ତି। ଆଜି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିର ସମ୍ୱଲପୁର ସଭାପତି ଲୋକନାଥ ସାହୁ, ଉପସଭାପତି ଅନ୍ତର୍ଯ୍ୟାମୀ ପାଢ଼ୀ, ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ବକ୍ସି, କୃଷ୍ଣଦୟାଲ ପଣ୍ଡା, ବିନୋଦ ଡନସେନା, ସନ୍ତୋଷ ମିର୍ଦ୍ଧା, କୈଳାସ ମିଶ୍ର, କୃଷ୍ଣଚନ୍ଦ୍ର ବାରିକ, ହିମାଳୟ ପ୍ରଧାନ, ଅଶ୍ବିନୀ ସାହୁ ପ୍ରମୁଖଙ୍କ ନେତୃତ୍ବରେ ବିସ୍ଥାପିତ ପ୍ରଜା ଉତ୍ତରାଞ୍ଚଳ ରାଜସ୍ବ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଗଣଧାରଣା ଆରମ୍ଭ କରିଛନ୍ତି। ପ୍ରତି ଯୋଗ୍ୟ ବିବେଚିତ ବିସ୍ଥାପିତ ପରିବାରଙ୍କୁ ୧୦ ଡିସିମିଲ ଘରଡ଼ିହ ପଟ୍ଟା, ସବୁ ପରିବାରକୁ ବିସ୍ଥାପିତ ପ୍ରମାଣପତ୍ର ପ୍ରଦାନ, ଲଖନପୁର ତହସିଲ ଅଫିସ୍ ରେକର୍ଡ ରୁମ୍‌ କଂପ୍ୟୁଟରୀକରଣ, ପଟ୍ଟା ପାଇଥିବା ଜମିର ସୀମା ଚିହ୍ନଟ, ବିସ୍ଥାପିତଙ୍କ ଦାବିକୁ ନେଇ ରାଷ୍ଟ୍ରୀୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ ପାଳନ ଏବଂ ଜମିପଟ୍ଟା ପାଇଁ ନାକଚ କରାଯାଇଥିବା ଆବେଦନଗୁଡ଼ିକର ପୁନର୍ବିଚାର କରିବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe