Image Courtesy of NDTV
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି ସୋମବାର ଦିନ ଭବାନୀପାଟଣାସ୍ଥିତ ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ହୋଇଥିଲା। ଅଦାଲତ ମାମଲାର ଅଭିଯୁକ୍ତ ଧଅଁରପୁର ଗାଁର ଦୀନବନ୍ଧୁ ନାଏକ (୪୨)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।
୨୦୧୭ ମସିହାରେ କୋକସରା ଅଞ୍ଚଳର ଉକ୍ତ ନାବାଳିକାଙ୍କୁ ଧଅଁରପୁର ଗାଁର ଦୀନବନ୍ଧୁ ଦୁଷ୍କର୍ମ କରିଥିଲେ। ପରେ ପୀଡ଼ିତା ଆନ୍ଧ୍ରପ୍ରଦେଶ ଯିବାପରେ ସେଠାରେ ମଧ୍ୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଗିରଫ ହୋଇ କୋର୍ଟଚାଲାଣ ହୋଇଥିଲେ। ଆଜି ସ୍ବତନ୍ତ୍ର ପୋକ୍ସୋ ଜଜ୍ ଶୁଭଞ୍ଜନ ମହାନ୍ତି ମାମଲାର ଶୁଣାଣିକରି ଅଭିଯୁକ୍ତ ଦୀନବନ୍ଧୁଙ୍କୁ ଉପରୋକ୍ତ ଦଣ୍ଡାଦେଶ ସହ ୬୦ ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ ସଶ୍ରମ କାରାଦଣ୍ଡ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବା ପାଇଁ ରାୟ ଦେଇଥିଲେ। ଏହି ମାମଲାକୁ ସରକାରୀ ସ୍ବତନ୍ତ୍ର ପିପି ରୋହିତ ମିଶ୍ର ପରିଚାଳନା କରିଥିଲେ।
Follow Us