ଲାଠୋର: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଜଳପାଙ୍କେଲ ଗ୍ରାମର ସୋମନାଥ ବେମାଲ (୧୧) ଗୁରୁବାର ଅପରାହ୍ଣ ୪ଟାରୁ ନିଖୋଜ ଥିଲେ। ସୋମନାଥଙ୍କ ଶବ ଝଲିଆଲିଟି ଗ୍ରାମ ନିକଟ ବଡ଼ଡୁଙ୍ଗୁରି ପାହାଡ଼ଠାରୁ ଉଦ୍ଧାର ହୋଇଛି। ଏହି ଘଟଣାକୁ ବଳି ସହ ଯୋଡ଼ା ଯାଉଛି। ସୂଚନା ଅନୁଯାୟୀ, ଜଳପାଙ୍କେଲ ଗ୍ରାମର ତପନ ବେମାଲଙ୍କ ସାନପୁଅ ସୋମନାଥଙ୍କୁ ତାଙ୍କ ଆଈ ଏକ ଆତ ଦେଇଥିଲେ। ସେ ଆତ ଖାଇ ଖାଇ ଘରୁ ବାହାରିଥିଲେ। ହେଲେ ସନ୍ଧ୍ୟା ଯାଏ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ରାତିରେ ଲାଠୋର ଥାନାରେ ଏତଲା ଦେଇଥିଲେ। ପୁଲିସ୍ ବିଳମ୍ବିତ ରାତି ଯାଏ ତଦନ୍ତ ଜାରି ରଖିଥିଲା। ଶୁକ୍ରବାର ସକାଳେ ଝଲିଆଲିଟି ଗ୍ରାମ ବଡ଼ଡୁଙ୍ଗୁରି ଶୀର୍ଷରେ ସୋମନାଥଙ୍କ ଶବ ମିଳିଥିଲା। ଶବ ପଡ଼ିଥିବା ସ୍ଥାନଠାରୁ ଅଳ୍ପ ଦୂରରେ ଗୋଟିଏ ଗାତ ଖୋଳା ଯାଇଥିବା ଦେଖିବାକୁ ମିଳିଥିଲା। ସୋମନାଥଙ୍କ ମୁଣ୍ଡ ପଛ ପଟେ ଆଘାତ ରହିଥିବା ବେଳେ ବାଡ଼ିରେ ତାଙ୍କୁ ମାଡ଼ ମରାଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରୁ ଭଙ୍ଗା ବାଡ଼ି ମଧ୍ୟ ଜବତ ହୋଇଛି।
ଗୁରୁବାର ପୂର୍ଣ୍ଣିମା ଓ ସଂକ୍ରାନ୍ତି ଥିବାରୁ ସୋମନାଥଙ୍କୁ କେହି ବଳି ଦେଇଥିବା ଓ ହତ୍ୟା ପରେ ଶବକୁ ପୋତି ଦେବାକୁ ଯୋଜନା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଭବାନୀପାଟଣାରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛନ୍ତି। ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘରକୁ ସନ୍ଧାନୀ କୁକୁର ଦୁଇ ଥର ପଶିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଦୋଷୀକୁ ଫାଶୀ ଦେବା ଦାବିରେ ଗ୍ରାମବାସୀ ବଲାଙ୍ଗୀର-ନୂଆପଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପୁଲିସ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଅନ୍ୟପକ୍ଷରେ ଲାଠୋର ଥାନାର ଜଣେ ଏଏସ୍ଆଇ ଆନ୍ଦୋଳନକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଖପ୍ରାଖୋଲ ତହସିଲଦାର ତଥା ମାଜିଷ୍ଟ୍ରେଟ୍ ଆଦିତ୍ୟ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ଶବକୁ ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଯାଇଛି। ଅପରପକ୍ଷରେ ଏ ନେଇ ଏକ ମାମଲା ରୁଜୁ କରି ସନ୍ଦିଗ୍ଧ ପରିବାରର ଜଣେ ସଦସ୍ୟଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ପାଟଣାଗଡ଼ ଏସ୍ଡିପିଓ ସଦାନନ୍ଦ ପୂଝାରୀ ସୂଚନା ଦେଇଛନ୍ତି।
Follow Us