ନୟାଗଡ଼ରେ ପୁଲିସ ବ୍ୟବସ୍ଥା ଏମିତି : ନାବାଳିକା, ନାବାଳକଙ୍କୁ ବି ମିଳୁନି ନ୍ୟାୟ

Advertisment
ଲକ୍ଷେ ଟଙ୍କା ଚାନ୍ଦା ମାଗି ନକଲି ମାଓବାଦୀ ଗିରଫ

India Today

'କାହ୍ନା' ପରି 'ପରୀ' ହତ୍ୟା‌କାଣ୍ଡ ଲିଭିଯିବନି ତ?
ହତ୍ୟାକୁ ଆତ୍ମହତ୍ୟା କହି ଦୋଷୀଙ୍କୁ ଘଣ୍ଟ ଘୋଡ଼ାଯାଉଛି
ନାବାଳିକା, ନାବାଳକଙ୍କୁ ବି ମିଳୁନି ନ୍ୟାୟ

ନୟାଗଡ଼ : କଙ୍କଡ଼ାକୁ ଗୋଳି ପାଣି ସୁହାଇଲା ଭଳି ନୟାଗଡ଼ ଜିଲ୍ଲାରେ ଜଟିଳ ହତ୍ୟାକାଣ୍ଡ ମାମଲାରେ ପୁଲିସ ହତ୍ୟାକାରୀଙ୍କୁ ଧରିବା ପରିବର୍ତ୍ତେ ଖସାଇବାରେ ସହାୟକ ହେଉଥିବା ଭଳି ଦେଖାଯାଇଛି। ୨୦୧୯ ଜାନୁଆରି ମାସରେ ଟାଉନ ଥାନା ଅଧୀନ କରଡ଼ାବଣି ଗ୍ରାମର ହାଇସ୍କୁଲ ଛାତ୍ର ସୋମନାଥ ନାହାକ ଓରଫ୍‌ କାହ୍ନାକୁ ପ୍ରଥମେ ଅପହରଣ ପରେ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରାଯାଇଥିଲା। ଏ ନେଇ 'ସମ୍ବାଦ'ରେ ବାରମ୍ବାର ଅନୁସନ୍ଧାନମୂଳକ ଖବର ପ୍ରକାଶ ପରେ ପୁଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା। ହତ୍ୟାକାରୀଙ୍କୁ ଧରିବା ନେଇ ପୁଲିସର କୋହଳ ମନୋଭାବ ପାଇଁ ନୟାଗଡ଼ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଆମ୍ବେଦକର ରା‌ଜ୍ୟ ଦଳିତ ସଂଘ ପକ୍ଷରୁ ମଧ୍ୟ ଏସ୍‌ପି ଅଫିସ୍‌ ଘେରାଉ କରାଯାଇଥି‌ଲା। କିନ୍ତୁ ଏହି ଘଟଣାକୁ ପାଖ‌ାପାଖି ଦୁଇ ବର୍ଷ ବିତିବାକୁ ଯାଉଥିବା ବେଳେ, ଫଳ ଶୂନ୍‌।

ସେ ସମୟରେ ଟାଉନ ଥାନା ଆଇଆଇସି ଥିବ‌ା ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ବଦଳି ହୋଇସାରିଥିବା ବେଳେ, ଏସ୍‌ପି ଶଶିଭୂଷଣ ଶତପଥୀ ଅବସର ନେଇ ସାରିଛନ୍ତି। କାହ୍ନାର ପରିବାର ମଧ୍ୟ ଧୀରେ ଧୀରେ ପୁଅର ହତ୍ୟାକାଣ୍ଡ ଘଟଣାକୁ ଭୁଲିଗଲେଣି। ହେଲେ ହତ୍ୟାକାରୀ ଧରା ପଡ଼ିଲାନି। ଠିକ୍‌ ସେଇଭଳି ନୟାଗଡ଼ ସଦର ଥାନା ଅଧୀନ ଯଦୁପୁର ଗ୍ରାମରେ ଏକ ସମାନ ଘଟଣା ଦେଖିବାକୁ ମିଳିଛି। ଅଶୋକ ସାହୁଙ୍କ ନାବାଳିକା ଝିଅ ଅମ୍ରିତାସ୍ନେ‌ହା ସାହୁ ଓରଫ୍‌ ପରୀ(୫) ଗତ ଜୁଲାଇ ୧୪ ତାରିଖରେ ଗାଁ' ଦାଣ୍ଡରୁ ନି‌ଖୋଜ ହୋଇଯାଇଥିଲା। ଏହା ପରେ ୨୩ ତ‌ାରିଖରେ ତା'ର ଶବ ଉଦ୍ଧାର କରାଯାଇଥିଲା। ପରୀ ଅପହରଣଠାରୁ ଆରମ୍ଭ କରି ହତ୍ୟା ଯାଏଁ, ସମସ୍ତ ଘଟଣା ଯଦୁପୁର ମଧ୍ୟରେ ଘଟିଥିଲେ ହେଁ, ପୁଲିସ କିନ୍ତୁ ହାତବାନ୍ଧି ବସିଛି। କାହ୍ନା ମୃତ୍ୟୁ ଘଟଣାରେ ‌ଯେଭଳି କେତେକ ରାଜନୈତିକ ନେତାଙ୍କ ଚାପ, ଉପର ମହଲାରେ ହାତ ପାଇଁ ପୁଲିସ କାହ୍ନାର ପରିବାରକୁ ନ୍ୟାୟ ଦେଲାନାହିଁ। ପରୀ ଘଟଣାରେ ମଧ୍ୟ ସମାନ ଅଭିଯୋଗ ଆସିଛି। ଉକ୍ତ ଗ୍ରାମର ଜଣେ ରାଜନୈତିକ ବ୍ୟକ୍ତିଙ୍କ ଚାପରେ ପୁଲିସ ହତ୍ୟାକାରୀଙ୍କ ପାଖରେ ପହଞ୍ଚୁ ନଥିବା ଅଭିଯୋଗ ଆସିଛି।

ଏହି ଅଭିଯୋଗରେ ମଧ୍ୟ ଯଥେଷ୍ଟ ସତ୍ୟାସତ୍ୟ ରହିଥିବା ବିଭିନ୍ନ ଘଟଣାକୁ ତର୍ଜମା କଲେ ଜଣାପଡ଼ୁଛି। ପୁଲିସ ସନ୍ଦିଗ୍ଧଙ୍କୁ ନାଲି ଆଖି ଦେଖାଇ କଥା ଆଦାୟ କରିବା‌ ପରିବର୍ତ୍ତେ ପରୀର ବାପା, ମା', ବଡ଼ ବାପା, ବଡ଼ ମା'ଙ୍କର ଲୋକଦେଖାଣିଆ ଲାଏ ଡିଟେକ୍ସନ କରାଇଛି। ଏପରିକିକି ପରୀର ବଡ଼ବାପା କୁବେର ସାହୁଙ୍କୁ ଥାନାରେ ୪ ଦିନ ଅଟକ ରଖାଇ ନିର୍ଯାତନା ଦେଇଛି। ଏତେ ସବୁ ପରେ ମଧ୍ୟ ପୁଲିସ ହତ୍ୟାର ସୁରାକ ଏମାନଙ୍କ ନିକଟରୁ ପାଇପାରିନାହିଁ। ପରୀର ବାପା ଯେଉଁ ସନ୍ଦିଗ୍ଧମାନଙ୍କ ନାମ ପୁଲିସକୁ କହୁଛନ୍ତି, ପୁଲିସ ସେମାନଙ୍କ ଉପରେ କିଛି ଖୋଳତାଡ଼ କରୁନାହିଁ। ଇତି ମଧ୍ୟରେ ସନ୍ଦିଗ୍ଧ ବ୍ୟକ୍ତି ପରୀର ଘରେ ପଶି ତା'ର ବାପା, ମା'ଙ୍କୁ ଆକ୍ରମଣ କରିବା ସହିତ, ଗ୍ରାମରେ କଙ୍ଗାରୁକୋର୍ଟ ମଧ୍ୟ ବସାଇଛନ୍ତି। ପଡ଼ୋଶୀ ପିଲାକୁ ବିଷ ଦେଇ ଅଶୋକ ହତ୍ୟା ଉଦ୍ୟମ କରୁଥିବା ଭଳି ଡାହା ମିଛ ଘଟଣାରେ ତାଙ୍କୁ ଛନ୍ଦିବାକୁ ଅପଚେଷ୍ଟା କରିଛନ୍ତି। ଏତେ ସବୁ ପାରିପାର୍ଶ୍ବିକ ଘଟଣାରୁ ପୁଲିସ ଯଥେଷ୍ଟ ସୁରାକ ପାଇପାରୁଛି, କିନ୍ତୁ ଆମର ତଦନ୍ତ ଚାଲିଛି, ହତ୍ୟାକାରୀକୁ ଆମେ ଧରିବୁ ବୋଲି ୩ ମାସ ହେଲାଣି ପରୀ ପରିବାରଠାରୁ ଆରମ୍ଭ କରି ଗଣମାଧ୍ୟମକୁ ଭୁଆଁ ବୁଲାଉଛି। ଏପରିକି ପରୀର ପରିବାରକୁ ଏ ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ପ୍ରଦାନ କରାଯାଇନାହିଁ। ଏହି ମାମଲାକୁ ନେଇ ପୁଲିସ କେତେ ଆଇନ ଅନୁଯାୟୀ କାର୍ଯ୍ୟ କରୁଛି, ତାହା ବାରି ହୋଇପଡ଼ୁଛି।

ପୁଲିସର ନିଷ୍କ୍ରିୟତା ନେଇ ପରୀର ବାପା ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ, କଂଗ୍ରେସ ମଧ୍ୟ ଏସ୍‌ପି ଅଫିସ୍‌ ଘେରାଉ କରିସାରିଛି। ଆସନ୍ତା ୨୮ ତାରିଖରେ ସୂଚନା ଅଧିକାର କର୍ମୀ ଭୁବନଚନ୍ଦ୍ର ହାତୀ, ଶାନ୍ତନୁ ବିଷୋୟୀ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିବେ। ତଥାପି ପୁଲିସର ସକ୍ରିୟତା ଦେଖିବାକୁ ମିଳୁନାହିଁ। ନୟାଗଡ଼ର ନାବାଳକ କାହ୍ନା ହେଉ କିମ୍ବା ନାବାଳିକା ପରୀ, ଜୀବନକୁ ବୁଝିବା ଆଗରୁ ଏମାନଙ୍କ ଜୀବନ ଦୀପକୁ ଲିଭାଇ ଦିଆଯାଇଛି। ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସ ଅପରାଧୀଙ୍କୁ ଧରିବା ପରିବର୍ତ୍ତେ ଖସାଇବାକୁ ସୁଯୋଗ ତିଆରି କରିବା, ଆଇନ ଉପରୁ ସାଧାରଣ ଲୋକଙ୍କ ଭରସା ତୁଟାଇଛି। ଯାହା ହତ୍ୟା ଭଳି ଜଘନ୍ୟ ଅପରାଧ ଘଟାଇବାକୁ ଅପରାଧୀଙ୍କୁ ପରୋକ୍ଷରେ ଉତ୍ସାହିତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe