DNA India
ବରୀ : ଶ୍ବଶୁର ଘର ଲୋକେ ଜ୍ବାଇଁଙ୍କୁ ପିଟିପିଟି ମାରିଦେଇଛନ୍ତି। ଯାଜପୁରର ବରୀ ଥାନା ଅନ୍ତର୍ଗତ ଅନ୍ୟାସୀପୁର ଗ୍ରାମରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି।
ଅଭିଯୋଗ ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଇନ୍ଦୁପୁର ଗ୍ରାମର ଗୋଲଖ ସେଠୀଙ୍କ ପୁତ୍ର ସନ୍ତୋଷ ସେଠୀ(୨୫) ୨୦୧୮ ମସିହାରେ ବରୀ ଥାନା ଅନ୍ୟାସୀପୁର ଗ୍ରାମର ସୁରେନ୍ଦ୍ର ସେଠୀଙ୍କ ଝିଅ ଅନିତା ସେଠୀଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ପର୍ଯ୍ୟନ୍ତ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଠିକ୍ଠାକ୍ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଫଳରେ ସ୍ତ୍ରୀ ଅନିତା ଦୀର୍ଘ ୮ମାସ ହେବ ଆସି ବାପଘରେ ରହୁଥିଲେ। ଗୁରୁବାର ରାତିରେ ସନ୍ତୋଷ ସ୍ତ୍ରୀ ଅନିତାଙ୍କୁ ନେବା ପାଇଁ ଅନ୍ୟାସୀପୁର ଆସିଥିଲେ। ମାତ୍ର, ଶ୍ବଶୁର ଘର ଲୋକେ ସନ୍ତୋଷଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହିତ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିଲେ। ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ ଘର ପାଖ ନଦୀବନ୍ଧରେ ଘୋଷାରି ଘୋଷାରି ନେଇ ବନ୍ଧ ତଳକୁ ଗଡ଼ାଇ ଦେଇଥିଲେ। ପରେ ଦୁର୍ଘଟଣାରେ ଜ୍ବାଇଁର ମୃତ୍ୟୁ ଘଟିଛି ବୋଲି ବରୀ ଥାନାରେ ସୂଚନା ଦେଇଥିଲେ।
ବିଳମ୍ବିତ ରାତିରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଜାଣିବା ପରେ ପୁଲିସ୍ ଶ୍ବଶୁର ସୁରେନ୍ଦ୍ର ସେଠୀ, ଶାଶୂ ଜଞ୍ଜାଳୀ ସେଠୀ, ଶାଳକ ବଳରାମ ସେଠୀଙ୍କ ସହିତ ସେହି ଗ୍ରାମର ଅନ୍ୟତମ ପ୍ରମୁଖ ସହଯୋଗୀ କାର୍ତ୍ତିକ୍ ଜେନା ଓରଫ ଟୁକୁକୁ ଥାନାରେ ଅଟକ ରଖିଛି ।
Follow Us