ଆଇଏସଓ ମାନ୍ୟତା ପାଇଲା ଜୟପୁର ଉପଖଣ୍ଡକାରାଗାର

ଆଇଏସଓ ମାନ୍ୟତା ପାଇଲା ଜୟପୁର ଉପଖଣ୍ଡକାରାଗାର

ଜୟପୁର: ଜୟପୁର ଉପଖଣ୍ଡକାରାଗାର ଆଇଏସଓ ୯୦୦୧:୨୦୧୫ମାନ୍ୟତା ପାଇଛି। ଏହା ପୂର୍ବରୁ ଭୁବନେଶ୍ବର ସବଜେଲ୍ ଏହି ମାନ୍ୟତା ପାଇଥିଲା। ରାଜ୍ୟସ୍ତରରେ ଦ୍ବିତୀୟ ଜେଲ୍ ସଂସ୍କାରମୂଳକ ପଦକ୍ଷେପ ପାଇଁ ଏହି ମାନ୍ୟତା ପାଇଛି। ଅନୁସଙ୍ଗିକ ଭିତ୍ତିଭୁମିର ବିକାଶ ସାଙ୍ଗକୁ ଅନ୍ତେବାସୀଙ୍କ ସଂସ୍କାରମୂଳକ ପଦକ୍ଷେପ ସହ ସମାଜର ମୁଖ୍ୟ ଧାରାରେ ସାମିଲ ପାଇଁ ଶିଖାଯାଉଥିଲା ଜୀବନ ଜିଇଁବାର କଳା ଓ କୌଶଳ। ଏମାନେ ବିଚାରବିଭାଗୀୟ ହାଜତରୁ ବାହାରିବା ପରେ ନିଜେ ରୋଜଗାରକ୍ଷମ ହୋଇ ଆତ୍ମନିର୍ଭରଶୀଳ ହେବା ପାଇଁ କାରଗାର ପକ୍ଷରୁ ବିଭିନ୍ନ ନିଆଯାଇଥିଲା ପଦକ୍ଷେପ । ଏସବୁକୁ ଯାଂଚ କରିବା ପାଇଁ ଗତ ଏପ୍ରିଲ ୨୨ତାରିଖ ଦିନ କେଭିକ୍ବୁଏ୍ ସାର୍ଟିଫିକେସନ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଟିମ୍ ଲିଡର ଦୀପକ କୁମାର ନାଥଙ୍କ ନେତୃତ୍ବରେ ଏକ ଦଳ ଏହି କାରଗାରକୁ ଆସିଥିଲେ। ଏହି ଦଳ ଯାଂଚ କରିବା ପରେ ଜୟପୁର କାରାଗାର ଏହି ମାନ୍ୟତା ପାଇଛି।

ଗତ ଦେଢ଼ ବର୍ଷ ତଳେ ୧୫୩ଜଣ ଅନ୍ତେବାସୀ ଙ୍କ ସ୍ଥାନରେ ୪ଟି ରୁମ ମଧ୍ୟରେ ଗାଇ ଗୋରୁଙ୍କ ଭଳି ରହୁଥିଲେ ୪୦୦। ଉପଖଣ୍ଡକାରାଗାର ପରିଧି ୪.୭୨ଏକର ରହିଥିଲେ ହେଁ ଅଧିକାଂଶ ପୁରୁଣା କୋଠା ଓ କାରାଗାର ମଧ୍ୟରେ ରହିଥିବା ପାଚେରୀ ଯୋଗୁଁ ଏହା ସଂକୁଚିତ ହୋଇଯାଇଥିଲା। ଅନ୍ତେବାସୀ ମାନେ ଭଲ ଭାବେ ବୁଲା ବୁଲି ବି କରି ପାରୁନଥିଲେ। କାରାଗାରର କିଛି ପୁରୁଣା କୋଠା ଓ ପାଚେରୀକୁ ଭଙ୍ଗାଯାଇ ନୂଆ ନୂଆ କୋଠା ନିର୍ମାଣ କରାଯାଇଥିଲା। ଅନ୍ତେବାସୀ ମାନେ ରହୁଥିବା ରୁମ ସହ ପୁରା ଜେଲର ହୁଲିଆରେ ଅମୁଳଚୁଳ ପରିବର୍ତ୍ତନ କରାଯାଇଥିଲା। ୪ଟି ନୂଆରେ ବଡ ରୁମ ନିର୍ମାଣ ପରେ ରାଜ୍ୟ ଗୃହ ବିଭାଗ ୧୫୩ରୁ ୨୫୭ଏବଂ ଏବେ ୨୮୨ଜଣ ଅନ୍ତେବାସୀ ରହିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଜେଲ ପରିସରରେ ୪ଜଣ ଅନ୍ତେବାସୀ ଚିତ୍ରକରଙ୍କ ଦ୍ବାରା ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ଓ ଚିତ୍ର ଆଙ୍କିଛନ୍ତି।

ଅନ୍ତେବାସୀଙ୍କ ଦ୍ବାରା ହିଁ ଗେଟ ସମ୍ମୁଖରେ ଜାତୀୟ ପତ୍ତାକା ଉଡାଇବା ପ୍ଲାଗ୍ ପୋଷ୍ଟ ନିର୍ମାଣ କରାଯିବା ସହ ସକାଳରୁ ସଂଧ୍ୟା ପର୍ଯ୍ୟନ୍ତ ଏବେ ଜାତୀୟ ପତ୍ତାକା ବି ଫରଫର୍ ହୋଇ ଉଡୁଛି। ସମ୍ମୁଖ ଗେଟ୍ ନୂଆରେ ଏବଂ ବଡ଼ ଆକାରରେ କରାଯାଇଛି। ଏହାରି ମଧ୍ୟରେ ପ୍ରଶାସନିକ ଭବନ, ଅଧିକ୍ଷକ, ସହକାରୀ ଜେଲର, ଫାର୍ମାଶିଷ୍ଟ ଆଦିଙ୍କ ଚାମ୍ବର ବି କରାଯାଇଛି। ଭିଡିଓ କନଫେରନସିଂ ହଲ ଓ ଅନ୍ତେବାସୀଙ୍କୁ ସାକ୍ଷାତ କରିବାକୁ ଆସୁଥିବା ପରିବାରସ୍ବଜନ ମାନେ ଆପେକ୍ଷା କରି ବସିବା ପାଇଁ ୨ଟି ବିଶ୍ରାମଗାର ନିର୍ମାଣ ହୋଇଛି। ଅନ୍ତେବାସୀଙ୍କ ଶାରିରୀକ, ମାନସିକ ଓ ବୈଦ୍ଧିକ ବିକାଶ ଉପରେ ଅଧିକା ଗୁରୁତ୍ବ ଆରୋପ କରି ସେମାନଙ୍କ ସାମାଜିକ ଦାୟିତ୍ବ ସଂପର୍କରେ ସଚେତନ କରାଯାଇ ଯୋଗଶିକ୍ଷା, ସବୁ ଦିନ ସାଉଣ୍ଡବକ୍ସରେ ଅଧ୍ୟାତ୍ମିକ ପ୍ରାର୍ଥନା ଓ ପ୍ରବଚନ ଶୁଣାଯାଉଛି।

publive-image

ସୁରକ୍ଷା ପାଇଁ ସିସିଟିଭି ସହ ସମ୍ମୁଖ ଗେଟରେ ତ୍ରିସ୍ତରୀୟ ଯାଂଚ ବ୍ୟବସ୍ଥା କରାଯାଇଛି। ପରିବାର ସଦସ୍ୟ ଓ ଜ୍ଞାତିକୁଟମ୍ବ ସହ ସାକ୍ଷାତ ଆଲୋଚନାର ସୁଯୋଗ ଦେବା କ୍ରମରେ ଇଣ୍ଟରକମ୍ ଓ ଭାରଚୁଆଲ୍ ମିଟର ବ୍ୟବସ୍ଥା ହୋଇଛି। ଏବେ ବଜାରରେ ଅନେକ ନକଲି ଖାଦ୍ୟ ପଦାର୍ଥ ଛାଇ ଯାଇଥିବା ବେଳେ ଏଠାରେ ପ୍ରସ୍ତୁତ ହେଉଛି ଅସଲି ଅଟା, ବେସନ, ମାଣ୍ଡିଆ ଗୁଣ୍ଡ, ହଳଦୀ ଗୁଣ୍ଡ ସହ ଫୁଲ ଝାଡ଼ୁ । ଆଉ ଏହାକୁ ପ୍ରସ୍ତୁତ କରୁଛନ୍ତି ଅନ୍ତେବାସୀ ।

ଏହି ସବୁ ସାମଗ୍ରୀକୁ ବଜାରରେ ବିକ୍ରି କରିବା ପାଇଁ ଜେଲ୍ ପରିସରରେ ଏକ କାଉଣ୍ଟର ଖୋଲିଛନ୍ତି ଜେଲ୍ କର୍ତ୍ତୃପକ୍ଷ । ଅନ୍ତେବାସୀଙ୍କୁ ବିଭିନ୍ନ ପ୍ରକାର ଲଘୁ ଉଦ୍ୟୋଗର ତାଲିମ ଦେବା ସହ ଏବଂ ଅନ୍ତେବାସୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ବିକ୍ରୀବଟା ପାଇଁ ଓରମାସ ଓ ଶାବରୀ ମହିଳାସ୍ବୟଂ ସହାୟକ ଦଳ ଆଗେଇ ଆସିଛି। ଗତ ୨୦୧୯ଜୁନ ୧୦ତାରିଖ ଦିନ ଏଠାରେ ଉପଖଣ୍ଡ କାରାଗାରା ଅଧିକ୍ଷକ ଭାବେ ଲଲିତେନ୍ଦୁ ଭୁଷଣ ଦାଶ ଯୋଗଦେବା ପରେ ଜେଲରେ ଏସବୁ କରାଯାଇଥିଲା। ତେବେ ଏହାରି ମଧ୍ୟରେ ତାଙ୍କରି ବଦଳି ସମ୍ବଲପୁର ଜେଲକୁ ଜେଲର ଭାବେ ହୋଇଛି। ସେ ୧୨ତାରିଖ ଦିନ ରିଲିଭ୍ ହୋଇଥିବା ବେଳେ ତାଙ୍କ ସ୍ଥାନରେ ପୁଲବାଣୀ ଜେଲରୁ ଆସିଥିବା ଉମାଶଙ୍କର ମାଝୀ ଏଠାରେ ନୂଆ ଉପଖଣ୍ଡ କାରାଗାରା ଅଧିକ୍ଷକ ଭାବେ ଯୋଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe