ଜ୍ୟୋତିଷଙ୍କୁ ହତ୍ୟା, ଥାନାରେ ଅଭିଯୁକ୍ତର ଆତ୍ମସମର୍ପଣ

ପତ୍ନୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଜ୍ୟୋତିଷ ଦେଇଥିଲେ ଔଷଧ

ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ, ଖଣ୍ଡା ଜବତ

Image Courtesy of Times of India

ସୁକିନ୍ଦା: ହସ୍ତରେଖା ଦେଖି ଭବିଷ୍ୟବାଣୀ କରୁଥିବା ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ଗ୍ରାମରେ ଆଜି ଘଟିଛି ଏହି ହତ୍ୟାକାଣ୍ଡ।  ମୃତ ଜ୍ୟୋତିଷ ଜଣକ ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ମାନିଆ ବାବର(୪୮) ବୋଲି ଜଣାପଡ଼ିଛି। ହତ୍ୟା ଅଭିଯୁକ୍ତ ସେହି ଗ୍ରାମର ଶାନ୍ତନୁ ବେହେରା(୪୨) ପୁଲିସ ନିକଟରେ ଆତ୍ମସମର୍ପଣ କରିଛି।

ନାଗପୁର ଅଞ୍ଚଳର ମାନିଆ ବାବର(୪୮) ଡୁବୁରି ଅଞ୍ଚଳରେ ଭଡାସୂତ୍ରରେ ଘର ନେଇ କିଛି ବର୍ଷ ଧରି ରହି ଆସୁଥିଲେ। ସେ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କ ହାତ ଦେଖି ଭବିଷ୍ୟବାଣୀ କରିବା ସହ ଜାତକ ଆଦି ଦେଖୁଥିଲେ। ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ଗ୍ରାମର ଶାନ୍ତନୁ ବେହେରାଙ୍କ ପତ୍ନୀ ପାରିବାରିକ କଳହରୁ ନିଜ ବାପଘରକୁ ପଳାଇଥିଲେ। ତାଙ୍କୁ ଫେରାଇ ଆଣିବା ନିମନ୍ତେ ସେ ଜ୍ୟୋତିଷଙ୍କୁ ସାକ୍ଷାତ କରି ପୂଜାର୍ଚ୍ଚନା ପରେ ୫ ହଜାର ଟଙ୍କାର ଔଷଧ କିଣିଥିଲେ। ତେବେ ଏହା କୌଣସି କାମକୁ ନ ଆସିବାରୁ ଶାନ୍ତନୁ କ୍ରୋଧିତ ହୋଇଥିଲେ। ଶୁକ୍ରବାର ସଂପୃକ୍ତ ଜ୍ୟୋତିଷ ବନ୍ଧଗାଁ ଆସିଥିବା ବେଳେ ଔଷଧର ବିଫଳତା ସଂପର୍କରେ ଶାନ୍ତନୁ ପଚାରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଶାନ୍ତନୁ ଏକ ଫାଉଡ଼ାରେ ଜ୍ୟୋତିଷଙ୍କ ମୁଣ୍ଡକୁ ବାରମ୍ବାର ଆଘାତ କରିଚାଲିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଜ୍ୟୋତିଷଙ୍କ ମୃତ୍ୟୁ ହୋଇଥିଲା।

ହତ୍ୟାକାଣ୍ଡ ଘଟାଇବା ପରେ ଶାନ୍ତନୁ ସୁକିନ୍ଦ‌ା ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ପୁଲିସ ଏ ସଂକ୍ରାନ୍ତରେ କେସ୍‌ ନମ୍ବର ୧୭୦/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ।  ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ବ୍ୟବଚ୍ଛେଦ ପରେ ମୃତକଙ୍କ ପତ୍ନୀ ରାମବାଇ ବାବରଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe