ଉତ୍ତର ଓଡ଼ିଶାରେ କାଳବୈଶାଖୀର ତାଣ୍ଡବ : ମୋବାଇଲ ଟାୱାର ଭାଙ୍ଗିଲା, ଗଛ ଭାଙ୍ଗିଲା

Advertisment

ବଜ୍ରପାତ ନେଲା ୫ ଜୀବନ

ବଜ୍ରପାତ ନେଲା ୫ ଜୀବନ

ଉତ୍ତର ଓଡ଼ିଶାରେ କାଳବୈଶାଖୀର ତାଣ୍ଡବ : ମୋବାଇଲ ଟାୱାର ଭାଙ୍ଗିଲା, ଗଛ ଭାଙ୍ଗିଲା

ବାଲେଶ୍ୱର/ବାରିପଦା/ଭଦ୍ରକ : କାଳବୈଶାଖୀର ତାଣ୍ଡବରେ ଉତ୍ତର ଓଡ଼ିଶାର ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଆଜି ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ପ୍ରବଳ ବେଗରେ ପବନ ସାଙ୍ଗକୁ ଘଡ଼ଘଡ଼ି ଓ ବର୍ଷାରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲା ପୂରା ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା।

ସୂଚନା ଅନୁସାରେ, ଏତେ ଜୋରରେ ପବନ ହୋଇଥିଲା ଯେ ବଡ଼ ବଡ଼ ଗଛ ଭାଙ୍ଗିଯିବା ସାଙ୍ଗକୁ ମୋବାଇଲ ଟାୱାର ମଧ୍ୟ ଉଡ଼ିଯାଇଛି। ବାଲେଶ୍ବର ସହର ଚାନ୍ଦମାରି ପଡ଼ିଆ ନିକଟ ଏକ କୋଠା ଉପରେ ବସିଥିବା ମୋବାଇଲ ଟାୱାର ଓ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଏକ ବିରାଟ ଗଛ ଉପୁଡ଼ି ପଡ଼ିଛି। ବାରିପଦାରେ ଦେଢଶହ ବର୍ଷର ଏକ ପୁରୁଣା ଲିମ୍ବଗଛ ଉପୁଡି ପଡ଼ିଛି। ଗଛ ଡାଳ ଭାଙ୍ଗିବା ଯୋଗୁଁ ତିନୋଟି ଜିଲ୍ଲାର ଅନେକ ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡିଯାଇଛି। ସାଇନ୍‌ବୋର୍ଡ, ହୋଡିଂ ଭାଙ୍ଗି ସବୁ ରାସ୍ତାରେ ପଡ଼ିଛି। ଲଗାତାର ବର୍ଷା ହେବା ଫଳରେ ବାଲେଶ୍ବର ସହରର ବିଭିନ୍ନ ବସ୍ତି ଓ ତଳି ଅଂଚଳରେ ପାଣି ପଶିଯାଇଛି।

ପୂର୍ବାହ୍ନ ୧୧ଟାରୁ ସହରରେ ବିଦ୍ୟୁତସେବା ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଥିଲା। ସେହିପରି ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ବହୁ ଗଛ ଭାଙ୍ଗିଥିବା ବେଳେ ବିଦ୍ୟୁତ ସଂଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି। ରବି ଧାନ ଓ ପନିପରିବା ଚାଷ ପୂରା ଉଜୁଡ଼ିଯାଇଛି। ଭଦ୍ରକ ଓ ମୟୂରଭଞ୍ଜରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି।

ବଜ୍ରପାତ ନେଲା ୫ ଜୀବନ
ଖୁଣ୍ଟା/କେନ୍ଦୁଝର/ଚମ୍ପୁଆ : ତୁହାକୁ ତୁହା ବର୍ଷା ସାଙ୍ଗକୁ ଘନଘନ ବଜ୍ରପାତ। ବଜ୍ରପାତ ଯୋଗୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଖୁଣ୍ଟା ଥାନା ଅଞ୍ଚଳର ୩ ଜଣ ଯୁବକ। ସେମାନେ ମାଛ ଧରିବାକୁ ଯାଇଥିବାବେଳେ କାଳ ସେମାନଙ୍କୁ ଟାଣି ନେଇଥିଲା। ସେହିଭଳି, ମୃତ୍ୟୁର ଶିକାର ହୋଇଥିବା ଅନ୍ୟ ୨ଜଣ ହେଉଛନ୍ତି ମହିଳା। ଦୁହିଁଙ୍କ ଘର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଝୁମ୍ପୁରା ବ୍ଲକ୍‌। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଶୁକ୍ରବାର ଦିନ ପ୍ରାୟ ସାଢେ ୧୧ଟା ବେଳକୁ ଖୁଣ୍ଟା ବ୍ଳକ ବଡପଥରା ଗ୍ରାମର ସୁବାସ ମହାନ୍ତଙ୍କ ପୁଅ ଯାମିନୀକାନ୍ତ (୨୨), ଶଶିଧର ମହାନ୍ତଙ୍କ ପୁଅ ଦିବ୍ୟଶଙ୍କର (୨୬) ଓ ସତ୍ୟରଞ୍ଜନ ମହାନ୍ତଙ୍କ ପୁଅ କୌଶିକ (୧୯) ମାଛ ଧରିବା ପାଇଁ ଗାଁ ମୁଣ୍ଡରେ ଥିବା ବନ୍ଧକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ୩ ଜଣ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଖୁଣ୍ଟା ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ପରିବାର ଲୋକେ ସେମାନଙ୍କୁ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

ସେହିଭଳି, କେନ୍ଦୁଝର ଝୁମ୍ପୁରା ବ୍ଲକ୍‌ରେ ବଜ୍ରାଘାତରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତ ମହିଳାମାନେ ହେଲେ ନାରଦପୁର ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ଊର୍ମିଳା ମୁଦି (୪୫) ଓ ସରୁପତଳା ଗ୍ରାମର ରାଣ୍ଡ ମୁ୍ଣ୍ଡା। ଗୁରୁତର ଜଣଙ୍କ ହେଲେ ବଳଭଦ୍ରପୁର ଗ୍ରାମର ଯାତ୍ରୀ ମହାକୁଡ଼। ଊର୍ମିଳା ଓ ଯାତ୍ରୀ ସାଙ୍ଗ ହୋଇ ନାରଦପୁରସ୍ଥିତ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ। ଅପରାହ୍‌ଣରେ ଉଭୟ ବ୍ୟାଙ୍କ କାମ ସାରି ଘରକୁ ଫେରୁଥିବା ବେଳେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ତୋଫାନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଊର୍ମିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ସରୁପତଳା ଗ୍ରାମର ରାଣ୍ଡ ମୁଣ୍ଡା ନିଜ ବାଡ଼ିରେ କାମ କରୁଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ସେ ବଜ୍ରାଘାତରେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ‌ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe