କାଳବୈଶାଖୀ: ଚିଲିକାରେ ବୁଡ଼ିଗଲା ୧୨ ନୌକା

Advertisment

ଜଣେ ମତ୍ସ୍ୟଜୀବୀ ନିଖୋଜ

ଜଣେ ମତ୍ସ୍ୟଜୀବୀ ନିଖୋଜ

କାଳବୈଶାଖୀ: ଚିଲିକାରେ ବୁଡ଼ିଗଲା ୧୨ ନୌକା

ଖୋର୍ଦ୍ଧା/ଟାଙ୍ଗୀ: ଆଜି କାଳବୈଶାଖୀ ଯୋଗୁ ଚିଲିକାରେ ୧୨ଟି ନୌକା ବୁଡ଼ିଯାଇଛି। ଏହି ଡଙ୍ଗାରେ ଯାଇଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରୁ କେ‌ତେଜଣ ସୁରକ୍ଷିତ ଥିବା ଏବଂ ଆଉ କେତେଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ବାଲିପାଟପୁର ପଂଚାୟତର ସରସ୍ବତୀନଗର ମତ୍ସ୍ୟଜୀବୀ ସଂଘର ଦୁଷ୍ମନ୍ତ ବେହେରା, ମଳୟ ରଂଜନ ବେହେରାଙ୍କ ସୂଚନାନୁସାରେ, ଆଜି ୧୩ଟି ନୌକାରେ ଶହେରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ଚିଲିକାକୁ ମାଛ ଧରିବାକୁ ଯାଇଥିଲେ। ସେଠାରୁ ଫେରିବାବେଳକୁ ପ୍ରାୟ ସନ୍ଧ୍ୟା ୬ଟା ସମୟ। ସେତିକିବେଳେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ଓ ବର୍ଷା ଆରମ୍ଭ ହୋଇଯାଇଥିଲା।

କଷ୍ଟେମଷ୍ଟେ ସେମାନେ ୧୨ଟି ନୌକାକୁ ୭ ନମ୍ବର କୁଦ କୂଳରେ ରଖିବାରେ ସକ୍ଷମ ହୋଇଥିଲେ। ପରବର୍ତ୍ତୀ ସମୟରେ କୁଦ କୂଳରେ ଥିବା ନୌକାଗୁଡ଼ିକ ମଧ୍ୟ ପବନ ମାଡ଼ରେ ଭାରସାମ୍ୟ ହରାଇ ଚିଲିକା ଜଳରେ ବୁଡ଼ି ଯାଇଥିଲେ। ଝଡ଼ବର୍ଷା ଥମିବା ପରେ ଚିଲିକା ମଧ୍ୟରେ ଓଲଟି ପଡ଼ିଥିବା ୧୩ ନମ୍ବର ଡଙ୍ଗାର ଗୁଣନିଧି ବେହେରା (୩୫), ବନମାଳୀ ବେହେରା (୪୪), ଧର୍ମରାଜ ବେହେରା (୩୮), ସିଲୁ ବେହେରା (୩୦)ଙ୍କୁ ଉଦ୍ଧାର ସାଥୀ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ। ହେଲେ, ସେମାନଙ୍କ ସହ ଥିବା ମିଥୁନ ବେହେରା (୩୦)କୁ ଠାବ କରିପାରିନଥିଲେ। ଖବର ଲେଖାଯିବା ବେଳକୁ ଗାଁର ଅନ୍ୟ ମତ୍ସ୍ୟଜୀବୀଙ୍କ ସହ ମିଶି ନିଖୋଜ ମିଥୁନକୁ ଖୋଜିବା କାର୍ଯ୍ୟ ଜାରି ରହିଥିବା ଜଣାଯାଇଛି। ସେମାନଙ୍କ କହିବା କଥା ହେଲା ଡଙ୍ଗାରେ ଥିବା ସମସ୍ତ ମାଛ, ଜାଲ ଆଦି ଚିଲିକାରେ ବୁଡ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe