କାଳବୈଶାଖୀ ଝଡ଼ରେ ବ୍ୟାପକ କ୍ଷୟକ୍ଷତି: ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ଉପୁଡ଼ିଲା, ୭ଘଣ୍ଟା ବିଦ୍ୟୁତ୍‌ ସେବା ଠପ୍‌

କାଳବୈଶାଖୀ ଝଡ଼ରେ ବ୍ୟାପକ କ୍ଷୟକ୍ଷତି: ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ଉପୁଡ଼ିଲା, ୭ଘଣ୍ଟା ବିଦ୍ୟୁତ୍‌ ସେବା ଠପ୍‌

ବ୍ୟାସନଗର: କାଳବୈଶାଖୀ ଝଡ଼ବର୍ଷା ପ୍ରଭାବରେ ବ୍ୟାସନଗର ସହର ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଅପରାହ୍ଣରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଜି ଅପରାହ୍ଣ ପ୍ରାୟ ୩ଟାରୁ ଆରମ୍ଭ ହୋଇଥିବା ଝଡ଼ବତାଶରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ସହ ବିଦ୍ୟୁତ୍‌ ଖୁଣ୍ଟ ଓ ଦୋକାନ ନାମ ଫଳକ ବୋର୍ଡ ଭାଙ୍ଗି ଯାଇଛି। ପ୍ରବଳ ପବନ ସହିତ ଘନଘନ ବଜ୍ରପାତ ସହରକୁ ଥରାଇ ଦେଇଥିଲା।

ପୌରାଞ୍ଚଳର ୧ନମ୍ବର ୱାର୍ଡ ଯୋଡ଼ାବର ଗ୍ରାମ ପ୍ରବେଶ ପଥରେ ଗଛ ଭାଙ୍ଗି ପଡ଼ିବା ସହିତ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହୋଇପଡ଼ିଥିଲା। ସ୍ଥାନୀୟ ଲୋକ ଓ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଦୁଇ ଘଣ୍ଟାର ପରିଶ୍ରମ ପରେ କେତେକ ସ୍ଥାନରୁ ରାସ୍ତା ଅବରୋଧ ହଟିଥିଲା।

୨୫ ନମ୍ବର ୱାର୍ଡର ପ୍ଲଟ୍‌ରେ ଦୁଇଟି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଥିବା ବେଳେ କାଚହୁଡ଼ି ସାହିରେ ମଧ୍ୟ ବିଦ୍ୟୁତ୍‌ ଖୁଣ୍ଟ ରାସ୍ତା ଉପରେ ଭାଙ୍ଗି ପଡ଼ିଥିଲା। କହ୍ନେଇପୁର ଓ ଚୋରଦା ଛକ ନିକଟସ୍ଥ ପ୍ରଭା କେୟାର ନିକଟରେ କେତେକ ନିର୍ବାଚନୀ ପୋଷ୍ଟର ଉଡ଼ିଯାଇ ବିଦ୍ୟୁତ୍‌ ତାରରେ ଲାଗି ରହିଥିଲା। ସେହିପରି ସହରର ସନ୍ତରା ନିକଟରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଥିଲା। ବହୁ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଥିବା ବେଳେ ଆଉ କେତେକ ସ୍ଥାନରେ ବଜ୍ରପାତ ଯୋଗୁଁ ବିଦ୍ୟୁତ୍‌ ଖୁଣ୍ଟର ଇନସୁଲେଟର ଭାଙ୍ଗି ଯାଇଥିଲା।

ହେଲେ ଏହି ବିପର୍ଯ୍ୟ‌ୟରେ କେହି ମୃତାହତ ହୋଇନାହାନ୍ତି। ବିଦ୍ୟୁତ୍‌ ସରବରାହ ଠିକ୍‌ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ପ୍ରାୟ ୭ ଘଣ୍ଟା ସହର ଅନ୍ଧାର ହୋଇରହିଥିଲା। ସେହିପରି ବସ୍ତି ଅଞ୍ଚଳରେ ଝଡ଼ବାତ୍ୟା କିଛି ଲୋକଙ୍କ ଘରର ଛପର ଉଡ଼ାଇ ନେଇଥିଲା। ବହୁ ଦୋକାନର ନାମ ଫଳକ ଭାଙ୍ଗି ରାସ୍ତାରେ ପଡ଼ିଥିଲା। ସହରର ଫୁଟ୍‌ପାଥ୍‌ରେ ବହୁ ଉଠା ଦୋକାନ ଉଡ଼ାଇ ନେଇଥିଲା। ଦୀର୍ଘ ସମୟ ଧରି ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯିବାରୁ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe