କଳାହାଣ୍ଡି ମେଡିକାଲ୍‌ କଲେଜ: ୧ରୁ ପାଠପଢ଼ା ପାଇଁ ପ୍ରସ୍ତୁତି, ୧୦୦ ଏମ୍‌ବିବିଏସ୍‌ ସିଟ୍‌ ପାଇଁ କାଉନ୍‌ସେଲିଂ

Advertisment
ମେଡିକାଲ କଲେଜରେ ଓପିଡି ସମୟକୁ କଡ଼ାକଡ଼ି ପାଳନ ନିର୍ଦ୍ଦେଶ

Medical Dialogues

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ପରେ ଭବାନୀପାଟଣାରେ ସ୍ଥାପନ ହୋଇଛି ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ। ଏଠାରେ ଏମ୍‌ବିବିଏସ୍‌ ୧୦୦ ସିଟ୍‌ ପାଇଁ କାଉନ୍‌ସେଲିଂ ସହ ନାମ ଲେଖା ଆରମ୍ଭ ହୋଇଛି। ଆସନ୍ତା ସେପ୍ଟେମ୍ବର ୧ରୁ ପାଠପଢ଼ା ପାଇଁ କଲେଜ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୧୦୦ ସିଟ୍‌ ମଧ୍ୟରୁ ୮୫ଟି ରାଜ୍ୟ କୋଟା ଓ ୧୫ଟି କେନ୍ଦ୍ର କୋଟା ରହିଛି। ୧୫ଟି କେନ୍ଦ୍ରକୋଟାରୁ ଜଣେ ମାତ୍ର ଛାତ୍ର ଏପର୍ଯ୍ୟନ୍ତ ନାମ ଲେଖାଇଛନ୍ତି। ଅନ୍ୟପକ୍ଷରେ ୮୫ଟି ରାଜ୍ୟକୋଟା ମଧ୍ୟରୁ ବହୁ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ କାଉନ୍‌ସେଲିଂରେ ନାମ ଲେଖାଇଥିବା ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ସମସ୍ତ ୧୦୦ଟି ସିଟ୍‌ରେ ଚୂଡ଼ାନ୍ତ ନାମଲେଖା ହୋଇ ନଥିବା ଯୋଗୁଁ ପାଠପଢ଼ାରେ ମଧ୍ୟ ବିଳମ୍ବ ହେବାର ସମ୍ଭାବନା ରହିଛି। ଏନ୍‌ଏମ୍‌ସି ଅନୁଯାୟୀ ସେପ୍ଟେମ୍ବର ୧ରୁ ପାଠପଢ଼ା ଆରମ୍ଭ ହେବା ନିମନ୍ତେ ନିର୍ଦ୍ଦେଶ ଥିବାବେଳେ ଏପର୍ଯ୍ୟନ୍ତ ନାମ ଲେଖା ସରିନାହିଁ। ସମୁଦାୟ ସିଟ ପାଇଁ ନାମ ଲେଖା ସେ‌ପ୍ଟେମ୍ବର ଶେଷ ସୁଦ୍ଧା ସରିବା ଅନୁମାନ କରାଯାଉଛି।

ଏହି ମେଡିକାଲ କଲେଜରେ ୭ ଜଣ ପ୍ରଫେସର, ୧୯ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ୧୬ ଜଣ ଆସୋସିଏଟ ପ୍ରଫେସର ସମେତ ୪୨ ଜଣ ଯୋଗ ଦେଇସାରିଛନ୍ତି। ନିର୍ମାଣ କାର୍ଯ୍ୟ ମଧ୍ୟ ପ୍ରାୟତଃ ଶେଷ ହୋଇସାରିଛି। ଭବାନୀପାଟଣା ସରକାରୀ ମେଡିକାଲ କଲେଜରେ ପାଠପଢ଼ା ନେଇ ଉଭୟ ଅଭିଭାବକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ମେଡିକାଲ କଲେଜ ଆରମ୍ଭ ହେଲେ ଅଧିକ ଚିକିତ୍ସା ସୁବିଧା ଭବାନୀପାଟଣା ସଦରମୁଖ୍ୟ ଡାକ୍ତରଖାନାରେ ମିଳିବ ବୋଲି ସାଧାରଣ ଲୋକ ଆଶା ବାନ୍ଧିଛନ୍ତି। ୨୦୧୫ ମସିହାରୁ କଳାହାଣ୍ଡି ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ଜିଲ୍ଲାବ୍ୟାପୀ ଆନ୍ଦୋଳନ ହୋଇଥିଲା। ୨୦୧୬ ମସିହା ଅଗଷ୍ଟ ୨୪ ତାରିଖରେ ଦାନ ମାଝୀ ଘଟଣା ପରେ ରାଜ୍ୟବ୍ୟାପୀ ତମ୍ବିତୋଫାନ ସୃଷ୍ଟି ହୋଇଥିଲା। ୨୦୧୬ ମସିହା ନଭେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସରକାରୀ ମେଡିକାଲ କଲେଜ ପାଇଁ ଶିଳାନ୍ୟାସ କରାଯାଇଥିଲା। ବର୍ତ୍ତମାନ ଏହି ମେଡିକାଲ କଲେଜ ସହିଦ ରେଣ୍ଡୋ ମାଝୀ ନାମରେ ନାମିତ ହେବା ପରେ ଆଦିବାସୀମାନଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe