କଳାହାଣ୍ଡିରେ ଡବ୍ଲୁଓଡିସି ଅଧ୍ୟକ୍ଷଙ୍କ ସୂଚନା: ୨୦୨୩ ଡିସେମ୍ବର ସୁଦ୍ଧା କଳାହାଣ୍ଡି ମେଡିକାଲ କଲେଜ କାର୍ଯ୍ୟକ୍ଷମ

Advertisment
କଳାହାଣ୍ଡିରେ ଡବ୍ଲୁଓଡିସି ଅଧ୍ୟକ୍ଷଙ୍କ ସୂଚନା: ୨୦୨୩ ଡିସେମ୍ବର ସୁଦ୍ଧା କଳାହାଣ୍ଡି ମେଡିକାଲ କଲେଜ କାର୍ଯ୍ୟକ୍ଷମ

ଭବାନୀପାଟଣା: ଆସନ୍ତା ୨୦୨୩ ଡିସେମ୍ବର ସୁଦ୍ଧା କଳାହାଣ୍ଡି ମେଡିକାଲ କଲେଜର ନିର୍ମାଣ ଶେଷ ହେବା ସହ ଏହାର ଲୋକାର୍ପଣ ହେବ। ଲୋୟର ଇନ୍ଦ୍ର ଓ ସୁକତେଲ ପ୍ରକଳ୍ପ ପାଇଁ ଡବ୍ଲ୍ୟୁଓଡିସି ପକ୍ଷରୁ ପଦକ୍ଷେପ ନିଆଯାଇଛି। ସେହିଭଳି ଉଦ୍ୟୋଗୀଙ୍କ ବିକାଶ ନିମନ୍ତେ ଡବ୍ଲ୍ୟୁଓଡିସି ପକ୍ଷରୁ ଉତ୍ସାହିତ କରାଯାଉଛି ବୋଲି ଶୁକ୍ରବାର ଭବାନୀପାଟଣା ସହରସ୍ଥିତ ବ୍ରଜ ମୋହନ ହାଇସ୍କୁଲଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।

କଳାହାଣ୍ଡି ଜିଲ୍ଲାର ଭଙ୍ଗାବାରୀଠାରେ ନିର୍ମାଣ ଚାଲିଥିବା ସରକାରୀ ମେଡିକାଲ କଲେଜର ଅଗ୍ରଗତି ଉପରେ ସମୀକ୍ଷା କରାଯାଇଥିଲା। ଆସନ୍ତା ୨୦୨୩ ଡିସେମ୍ବର ସୁଦ୍ଧା ମେଡିକାଲ କଲେଜ ନିର୍ମାଣ ଶେଷ ହେବା ସହ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଏହାଦ୍ବାରା କଳାହାଣ୍ଡିବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହେବ। ନୂଆପଡ଼ାର ଲୋୟର ଇନ୍ଦ୍ର ପ୍ରକଳ୍ପ, ବଲାଙ୍ଗୀରର ସୁକତେଲ ପ୍ରକଳ୍ପ, ଇନ୍ଦ୍ରାବତୀ କେନାଲର ଦକ୍ଷିଣମୁଖ୍ୟ କେନାଲର ମରାମତି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ହୋଇଛି। କଳାହାଣ୍ଡି ଜିଲ୍ଲାରେ ବିଜୁ ଏକ୍ସପ୍ରେସ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ କରାଯାଇଛି।

କପା ଓ ଧାନ ବ୍ୟତୀତ ଅନ୍ୟ ଅର୍ଥକାରୀ ଫସଲର ଉତ୍ପାଦନ ନିମନ୍ତେ ଚାଷୀଙ୍କୁ ପ୍ରୋତ୍ସାହିତ କରିବାର ଆବଶ୍ୟକ ରହିଛି। କଳାହାଣ୍ଡି ଜିଲ୍ଲାରେ ୩୦ ଜଣ ଉଦ୍ୟୋଗୀଙ୍କ କାର୍ଯ୍ୟ ଉପରେ ଅନ୍ୟମାନେ ପ୍ରଭାବିତ ହେବେ ବୋଲି ପ୍ରକାଶ କରିଛନ୍ତି। ଡବ୍ଲ୍ୟୁଡିସି ମାଧ୍ୟମରେ ବରଗଡ଼ର ହସ୍ତତନ୍ତ ଓ ବୁଣାକାରଙ୍କ ଅଭିବୃଦ୍ଧି ନିମନ୍ତେ ପଦକ୍ଷେପ ନିଆଯିବ। କଳାହାଣ୍ଡି ବିଶ୍ବବିଦ୍ୟାଳୟ ଓ ବଲାଙ୍ଗୀର ବିଶ୍ବବିଦ୍ୟାଳୟ ଭଳି ନୂଆ ବିଶ୍ବବିଦ୍ୟାଳୟମାନଙ୍କ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦିଆଯିବ। ଏହା ପଶ୍ଚିମ ଓଡ଼ିଶାର ଉଚ୍ଚଶିକ୍ଷା ବିକାଶରେ ସହାୟକ ହେବ।

publive-image The New Indian Express

ଡବ୍ଲ୍ୟୁଓଡିସି ପାଣ୍ଠି ବର୍ତ୍ତମାନ ୨୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି କୋଭିଡ ଯୋଗୁଁ ଆହୁରି ୫୦ କୋଟି ଟଙ୍କା ଡବ୍ଲ୍ୟୁଓଡିସିକୁ ଅନୁଦାନ ମିଳିଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଦିଗରେ ବିକାଶ ସହ ଉଦ୍ୟୋଗୀଙ୍କ ନିମନ୍ତେ ମାର୍କେଟିଂ ସୁବିଧା ଓ ବିଭିନ୍ନ ସବ୍‌ସିଡି ଉପରେ ସଚେତନ କରାଯିବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଡବ୍ଲ୍ୟୁଓଡିସି ସିଇଓ ଡ. ଅଜିତ କୁମାର ମିଶ୍ର, ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ, ପିଡିଡିଆରଡିଏ ସୋମେଶ ଉପାଧ୍ୟାୟ, ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe