କଳାହାଣ୍ଡିବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହେଲା

Advertisment

ସରକାରୀ ମେଡିକାଲ କଲେଜ ଆରମ୍ଭ ପାଇଁ ଅନୁମୋଦନ ୧୦୦ ସିଟ୍‌, ଏମ୍‌ବିବିଏସ୍‌ ପାଠପଢ଼ା ନିମନ୍ତେ ଚଳିତବର୍ଷ ନାମ ଲେଖା

ସରକାରୀ ମେଡିକାଲ କଲେଜ ଆରମ୍ଭ ପାଇଁ ଅନୁମୋଦନ ୧୦୦ ସିଟ୍‌, ଏମ୍‌ବିବିଏସ୍‌ ପାଠପଢ଼ା ନିମନ୍ତେ ଚଳିତବର୍ଷ ନାମ ଲେଖା

କଳାହାଣ୍ଡିବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହେଲା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହୋଇଛି। ଜାତୀୟ ମେଡିକାଲ କମିସନ ପକ୍ଷରୁ କଳାହାଣ୍ଡି ସରକାରୀ ମେଡିକାଲ କଲେଜ ଆରମ୍ଭ ପାଇଁ ଅନୁମୋଦନ କରିଛି। ଏଥିରେ ଚଳିତ ବର୍ଷ ୧୦୦ ସିଟ୍‌ ଏମ୍‌ବିବିଏସ୍‌ ପାଠପଢ଼ା ନିମନ୍ତେ ନାମଲେଖା ଆରମ୍ଭ ହେବ। ଜିଲ୍ଲାବାସୀ ସରକାରୀ ମେଡିକାଲ କଲେଜ ପାଇଁ ୨୦୦୫ ମସିହାରୁ ଆନ୍ଦୋଳନ ଆରମ୍ଭ କରି ୨୦୧୬ ମସିହାରେ ରାଜ୍ୟ ସରକାର ମେଡିକାଲ କଲେଜ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ।

ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ୍‌ ଜାରିଙ୍ଗଠାରେ ତାମିଲନାଡୁର ସେଲ୍‌ଭାମ ଟ୍ରଷ୍ଟ ପକ୍ଷରୁ ମେଡିକାଲ କଲେଜ ସ୍ଥାପନ ହୋଇଥିଲା। ଏହି କଲେଜ ନିମନ୍ତେ ୨୦୦୪ ମସିହା ଫେବ୍ରୁଆରି ୮ ତାରିଖରେ ଶିଳାନ୍ୟାସ ହୋଇଥିଲା। ୨୦୧୩-୧୪ ମସିହାରେ ମେଡିକାଲ କଲେଜ ପାଠପଢ଼ା ଆରମ୍ଭ ହୋଇଥିଲା। ୨୦୧୪-୧୫ ମସିହାରେ ଏହି କଲେଜରେ ମିଥ୍ୟା ତଥ୍ୟ ଦେଇ ଏମ୍‌ସିଆଇ ପକ୍ଷରୁ ଅନୁମତି ହାସଲ କରିଥିବା ଅଭିଯୋଗ ହୋଇଥିଲା। ଫଳରେ କଲେଜରେ ପାଠପଢ଼ା ବନ୍ଦ ହୋଇଥିଲା। ଏଥିରେ ପଢ଼ୁଥିବା ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟର ଅ‌ନ୍ୟ କଲେଜମାନଙ୍କରେ ନାମ ଲେଖିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଥିଲା। ଏହି ମେଡିକାଲ କଲେଜ ଆରମ୍ଭ ହେବା ଦିନଠାରୁ ବିବାଦୀୟ ପରିସ୍ଥିତିରେ ଚାଲିଥିଲା।

ସର୍ଦ୍ଦାର ରାଜା ମେଡିକାଲ କଲେଜରେ ବିଭିନ୍ନ ଅନିୟମିତତା ନେଇ ଇଡି ପକ୍ଷରୁ ତଦନ୍ତ ହୋଇଥିଲା। ସର୍ଦ୍ଦାର ରାଜା ମେଡିକାଲ କଲେଜକୁ ଡବ୍ଲୁଓଡିସି ପକ୍ଷରୁ ୧୦ କୋଟି ଟଙ୍କା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଏକର ଜମି ପ୍ରଦାନ କରାଯାଇଥିଲା। ୨୦୧୫ ମସିହାରୁ କଳାହାଣ୍ଡି ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ଜିଲ୍ଲାବ୍ୟାପୀ ଆନ୍ଦୋଳନ ହୋଇଥିଲା। ୨୦୧୫ ମସିହା ଅଗଷ୍ଟ ମାସରେ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଡ. ଅକ୍ଷୟ ନନ୍ଦଙ୍କ ନେତୃତ୍ବରେ ୪୮ ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା। ଏହି ଆନ୍ଦୋଳନ ଜିଲ୍ଲାରେ ଉଗ୍ର ରୂପ ଧାରଣ କରିଥିଲା।

publive-image

୨୦୧୬ ମସିହା ଅଗଷ୍ଟ ୨୪ ତାରିଖରେ ଦାନ ମାଝୀ ଘଟଣା ପରେ ରାଜ୍ୟବ୍ୟାପୀ ତମ୍ବିତୋଫାନ ସୃଷ୍ଟି ହୋଇଥିଲା। ପୂର୍ବ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ମେଲଘରାଠାରୁ ଭବାନୀପାଟଣା ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଦାନ ମାଝୀ ଘଟଣାକୁ ଲୋକଲୋଚନରୁ ହଟାଇବା ପାଇଁ ରାଜ୍ୟ ସରକାର ଭଙ୍ଗାବାରୀଠାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଘୋଷଣା କରିଥିଲେ। ୨୦୧୬ ମସିହା ନଭେମ୍ବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସରକାରୀ ମେଡିକାଲ କଲେଜ ପାଇଁ ଶିଳାନ୍ୟାସ କରାଯାଇଥିଲା। ଏଥିରେ ୧୦୦ ସିଟ୍‌ ଏମ୍‌ବିବିଏସ୍‌ ପାଠପଢ଼ା ନିମନ୍ତେ ଜାତୀୟ ମେଡିକାଲ କମିସନ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ଆଜି କମିସନ ପକ୍ଷରୁ ୧୦୦ ସିଟ୍‌ ଏମ୍‌ବିବିଏସ୍‌ ନିମନ୍ତେ ଅନୁମୋଦନ ଦିଆଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ବହୁ ଦିନର ସ୍ବପ୍ନ ସାକାର ହେବାକୁ ଯାଉଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି।

publive-image

ବର୍ତ୍ତମାନ ସରକାରୀ ମେଡିକାଲ କଳେଜରେ ୫ ଜଣ ପ୍ରଫେସର, ୧୪ ଜଣ ଆସୋସିଏଟ ପ୍ରଫେସର, ୨୪ ଜଣ ଆସିଷ୍ଟାଣ୍ଟ ପ୍ରଫେସର ସମେତ ୪୩ ଜଣ ନିଯୁକ୍ତ ହୋଇସାରିଛନ୍ତି। ସେହିଭଳି ଡିନ୍‌ ଓ ଅଧ୍ୟକ୍ଷ ଭାବରେ ଡା. ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ମେଡିକାଲ ଅଧୀକ୍ଷକ ଭାବରେ ପ୍ରଫେସର ହରେକୃଷ୍ଣ ଦଳେଇ ଯୋଗ ଦେଇଛନ୍ତି। ବର୍ତ୍ତମାନ ମେଡିସିନ, ସର୍ଜରି, ଆନାସ୍ଥେସିଆ, ପ୍ରସୂତି ଓ ସ୍ତ୍ରୀ ରୋଗ, ଫିଜିଓଲୋଜି, ବାୟୋକେମିଷ୍ଟ୍ରି ବିଭାଗର ପ୍ରଫେସରମାନେ ଯୋଗ ଦେଇଛନ୍ତି। ଧାର୍ଯ୍ୟ ପଦବିର ୮୬ ପ୍ରତିଶତ ପଦବି ପୂରଣ ହୋଇସାରିଛି। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ୧୦୦ ସିଟ୍‌ ନିମନ୍ତେ ନାମ ଲେଖାଇବେ। ବର୍ତ୍ତମାନ କଲେଜ ପାଇଁ କୋଠା ନିର୍ମାଣ ସରିଥିବା ବେଳେ ଟିଚିଂ ହସ୍ପିଟାଲ ନିମନ୍ତେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ଟିଚିଂ ହସ୍ପିଟାଲ ନିର୍ମାଣ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବା ନିମନ୍ତେ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଅସ୍ଥାୟୀ ଭାବରେ ଟିଚିଂ ହସ୍ପିଟାଲ ନିର୍ମାଣ ହୋଇଛି। ବହୁ ଦିନର ଜିଲ୍ଲାବାସୀଙ୍କ ସ୍ବପ୍ନ ସାକାର ହୋଇଥିବା ବେଳେ ଡାକ୍ତରୀ ପଢ଼ିବା ପାଇଁ ଆଗ୍ରହର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe