କଳାହାଣ୍ଡିରେ ନାଇଟ କର୍ଫ୍ୟୁ ସହ ଦୁଇଦିନିଆ ସପ୍ତାହାନ୍ତ ସଟ୍‌ଡାଉନ, ଭବାନୀପାଟଣା ସହରରେ ସ୍ଥିତି ପରଖିଲେ କଳାହାଣ୍ଡି ଏସ୍‌ପି

Advertisment
କଳାହାଣ୍ଡିରେ ନାଇଟ କର୍ଫ୍ୟୁ ସହ ଦୁଇଦିନିଆ ସପ୍ତାହାନ୍ତ ସଟ୍‌ଡାଉନ, ଭବାନୀପାଟଣା ସହରରେ ସ୍ଥିତି ପରଖିଲେ କଳାହାଣ୍ଡି ଏସ୍‌ପି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାକୁ ପୁଣି ଫେରିଛି ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌। ରାଜ୍ୟର ସୀମାନ୍ତ ଜିଲ୍ଲାମାନଙ୍କରେ ଶନିବାରଠାରୁ ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା ଆରମ୍ଭ ହୋଇଛି। ସେହିଭଳି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାର ଭବାନୀପାଟଣା ପୌରାଞ୍ଚଳ ସହ ଜୁନାଗଡ଼, ଧର୍ମଗଡ଼, କେସିଙ୍ଗା ଏନ୍‌ଏସିରେ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସହରର ବିଭିନ୍ନ ଛକମାନଙ୍କରେ ପୁଲିସ ପାଟ୍ରୋଲିଂ କରି କୋଭିଡ ଗାଇଡ୍‌ଲାଇନ ମାନିବା, ଘରେ ରହିବା, ମାସ୍କ୍‌ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି। ସେହିଭଳି ଅମାନିଆ ଲୋକଙ୍କଠାରୁ ଜରିମାନା ଆଦାୟ କରାଯାଉଛି।

ତେବେ ଏହି ଦୁଇଦିନିଆ ସଟ୍‌ଡାଉନରେ ସମସ୍ତ ଜରୁରୀକାଳୀନ ସେବାକୁ କଟକଣାରୁ ବାଦ ଦିଆଯାଇଥିବା କଳାହାଣ୍ଡି ଏସ୍‌ପି ଡା. ଶ୍ରବଣା ବିବେକ ଏମ୍‌ ପ୍ରକାଶ କରିଛନ୍ତି। ଆଜି ଏସ୍‌ପି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ପରଖିଥିଲେ। କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି ରବିବାର ଓ ସୋମବାର ୨ ଦିନ ଧରି ୨୦ଟି ୱାର୍ଡ଼ରେ ଘରକୁ ଘର ଯାଇ ସ୍କ୍ରିନିଂ କରାଯିବ। ଲକ୍ଷଣ ଥିବା ଲୋକଙ୍କ ସ୍ବାବ ପରୀକ୍ଷା ନିମନ୍ତେ ଆଶ୍ରୟ ନାଇଟ ସେଣ୍ଟର, ବାହାଦୂର ବଗିଚାପଡ଼ା, ଆଉଟପୋଷ୍ଟ ୟୁଜିଏମଇ ସ୍କୁଲ, ଇଣ୍ଡୋର ଷ୍ଟାଡ଼ିୟମ ନିକଟ ମାଝୀପଡ଼ା ସ୍କୁଲ, ଇରିଗେସନ ସ୍କୁଲ ୟୁଜିଏମଇ ସ୍କୁଲ ଓ ଶକ୍ତିନଗରପଡ଼ା ସ୍କୁଲ ସମେତ ୫ଟି ସ୍ଥାନରେ ସ୍ବାବ ଟେଷ୍ଟ ହେବ। ଏଥିନିମନ୍ତେ ୨ଟି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଏହି ସ୍କ୍ରିନିଂ କାର୍ଯକ୍ରମରେ ଏଏନ୍‌ଏମ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଶିକ୍ଷକମାନେ ସାମିଲ ହେବେ। ସକାଳ ୭ଟାରୁ ୧୧ଟା ଓ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ସ୍କ୍ରିନିଂ କାର୍ଯ୍ୟକ୍ରମ ଜାରି ରହିବ। ଭବାନୀପାଟଣା ସହରର ୨୦ଟି ୱାର୍ଡର ୨୦ ହଜାର ପରିବାରଙ୍କୁ ସ୍କ୍ରିନିଂ ବ୍ୟବସ୍ଥା କରାଯିବ। ଏଥିନିମନ୍ତେ ୧୦ ଜଣ ଅଧିକାରୀ ୨୦ ଜଣ ୱାର୍ଡ଼ ଅଫିସର ଏଥିରେ ନିୟୋଜିତ କରାଯାଇଛି ବୋଲି ଭବାନୀପାଟଣା ପୌରାଞ୍ଚଳ ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର ସୂଚନା ଦେଇଛନ୍ତି।

ଆସନ୍ତା ସପ୍ତାହରୁ ପ୍ରତି ଶନିବାର ଓ ରବିବାର ଦିନ ସ୍କ୍ରିନିଂ କାର୍ଯ୍ୟକ୍ରମ ହେବ ପରେ ଏହା ଜିଲ୍ଲାର ଅନ୍ୟ ସହରରେ ମଧ୍ୟ ସ୍କ୍ରିନିଂ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଭବାନୀପାଟଣା ଉପଜିଲ୍ଲାପାଳ ଏହାର ତଦାରଖ ଦାୟିତ୍ବରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe