ଭବାନୀପାଟଣା : କରୋନା ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲା ଦାୟିତ୍ୱରେ ଥିବା ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କ ଭବାନୀପାଟଣା ଗସ୍ତ ସମୟରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନର ଏକ ପ୍ରତିନିଧି ଦଳ ସ୍ଥାନୀୟ ସାର୍କିଟ ହାଉସରେ ଉଚ୍ଚ ଶିକ୍ଷାକୁ ନେଇ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ମୁତାବକ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ କଳାହାଣ୍ଡି ବିଶ୍ବବିଦ୍ୟାଳୟରେ ପରିଣତ ପାଇଁ ନେଇ ଥିବା ନିଷ୍ପତ୍ତି ଶୀଘ୍ର କାର୍ଯ୍ୟକାରୀ ହେଉ ବୋଲି ଦାବି କରିଛନ୍ତି । ଏଥିନେଇ ପୂର୍ବରୁ ଘୋଷଣା ହୋଇଥିଲେ ବି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିନାହାଁନ୍ତି । କଳାହାଣ୍ଡି ବିଶ୍ବବିଦ୍ୟାଳୟ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ କୂଳପତି ଓ ଅନ୍ୟାନ୍ୟ ଆବଶ୍ୟକୀୟ ପଦବୀ ନିଯୁକ୍ତି ପାଇଁ ଆଲୁମିନି ଆସୋସିଏସନ ତରଫରୁ ଉଚ୍ଚ ଶିକ୍ଷା ସଚିବଙ୍କୁ ସ୍ମାରକପତ୍ର ଦିଆ ଯାଇଛି ।
facebook.com୨୦୨୦-୨୧ ଶିକ୍ଷା ବର୍ଷରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ନାମଲେଖା ହେବ ବୋଲି ସରକାର ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆଲୁମିନିର ଉପଦେଷ୍ଟା ଡ଼. ଅକ୍ଷୟ ନନ୍ଦ ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟ ଭିତ୍ତିଭୂମିରେ ଶିକ୍ଷା ଦାନ ଆରମ୍ଭ କରି ଏକ ସ୍ୱତନ୍ତ୍ର ରାଜ୍ୟ ବିଶ୍ୱବିଦ୍ୟାଳୟ କରିବା ପାଇଁ ଯୁକ୍ତି ବାଢ଼ିଥିଲେ। ସେହିପରି ଯୁକ୍ତ ଦୁଇ ପାଠ୍ୟକ୍ରମ ଅଲଗା ହୋଇ ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲ କିମ୍ବା ସରକାରୀ ମହିଳା ମହାବିଦ୍ୟାଳୟକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଉଚ୍ଚ ଶିକ୍ଷା ସଚିବ ଜିଲ୍ଲାପାଳଙ୍କ ସହ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଶିକ୍ଷାବିତ ମାନଙ୍କ ସହ ଆଲୋଚନା ପରେ ସରକାର ଏ ସମ୍ପର୍କରେ ବିଚାର କରିବେ ବୋଲି କହିଛନ୍ତି ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ କରାଯିବ ଯେଉଁଥିରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସମସ୍ତ କଲେଜ ରହିବେ ବୋଲି ଉଚ୍ଚ ଶିକ୍ଷା ସଚିବ ପ୍ରତିନିଧି ଦଳକୁ କହିଛନ୍ତି । ଏହି ଆଲୋଚନାରେ ଆଲୁମିନି ଉପଦେଷ୍ଟା ଡ. ଅକ୍ଷୟ ନନ୍ଦଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ଡ. ଅଜୟ ମିଶ୍ର, ଆଲୁମିନିର ସାଧାରଣ ସମ୍ପାଦକ ଅବିନାଶ ଠାକୁର, ସହ ସମ୍ପାଦକ ମଣ୍ଟୁ ନାଏକ, ସତ୍ୟନାରାୟଣ ମହାପାତ୍ର, ହରଜିନନ୍ଦର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
Follow Us