କଳାହାଣ୍ଡିର ପ୍ରଥମ ଏନ୍‌ଆର୍‌ଆଇ ସରୋଜ ବେହେରାଙ୍କ ପରଲୋକ

Advertisment
କଳାହାଣ୍ଡିର ପ୍ରଥମ ଏନ୍‌ଆର୍‌ଆଇ ସରୋଜ ବେହେରାଙ୍କ ପରଲୋକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ପ୍ରଥମ ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ଡ. ସରୋଜ ବେହେରାଙ୍କ ବୁଧବାର ଭାରତୀୟ ସମୟ ରାତି ୧୧ଟାରେ ଆମେରିକାର ଏରିଜୋନା ରାଜ୍ୟ ଫିନିକ୍ସ ସହରରେ ପରଲୋକ ହୋଇଯାଇଛି। ତାଙ୍କୁ ୮୦ ବର୍ଷ ହୋଇଥିଲା। ସ୍ବର୍ଗତ ବେହେରା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମହିଚଳା ଗ୍ରାମରେ ଜନ୍ମଗ୍ରହଣ କରି ବିଭିନ୍ନ ଶିକ୍ଷାନୁଷ୍ଠାନରୁ କୃତିତ୍ବ ଅର୍ଜନ କରିବା ସହ ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରୁ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରିଥିଲେ। କାନାଡ଼ାର ବ୍ରିଟିଶ କଲମ୍ବିଆ ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରି ପାଇଥିଲେ। ୧୯୬୨ରେ ରେଭେନ୍ସା କଲେଜରୁ ବିଏସ୍‌ସି ଅନର୍ସରେ ରାଜ୍ୟରେ ପ୍ରଥମ ହୋଇ ବେଷ୍ଟ ଗ୍ରାଜୁଏଟ ସ୍ବର୍ଣ୍ଣପଦକ ପାଇଥିଲେ। ଡକ୍ଟରେଟ ଡିଗ୍ରି ପାଇବାରେ କଳାହାଣ୍ଡିର ସେ ଥିଲେ ପ୍ରଥମ ବ୍ୟକ୍ତି। କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନିରେ କାମ କରି କାର୍ଯ୍ୟକାରୀ ସଭାପତି ଭାବେ ଅବସର ଗ୍ରହଣ କରିଥିଲେ।

ଅବସର ପରେ ଏକମାତ୍ର ପୁଅ ସଞ୍ଜୀବ, ପତ୍ନୀ ସୁନୀତିଙ୍କ ସହ ଆମେରିକାର ଏରିଜୋନା ରାଜ୍ୟର ଫିନିକ୍ସ ସହରରେ ରହୁଥିଲେ। ସ୍ବାମୀ ଚିଦାନନ୍ଦ ସରସ୍ବତୀଙ୍କ ସେ ଭକ୍ତ ଥିଲେ। ଓଡ଼ିଶୀ ନୃତ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଭୁବନେଶ୍ବରରେ ଥିବା ବହୁ ଓଡ଼ିଶୀନୃତ୍ୟ ଅନୁଷ୍ଠାନକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବା ନିମନ୍ତେ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଥିଲେ। ଫଟୋଗ୍ରାଫି ତାଙ୍କ ସଉକ ଥିବାବେଳେ ବିଭିନ୍ନ ପ୍ରକାର ଫୁଲ, ସୂର୍ଯ୍ୟଙ୍କ ଫଟୋ ନେଇ ଦୁଇଟି ଫଟୋ ପୁସ୍ତକ ପ୍ରକାଶନ କରିଥିଲେ। ସେ ଜୁନାଗଡ଼ ବ୍ଲକ ମହିଚଲା ଗ୍ରାମର ପିତା ସୁରେଶଚନ୍ଦ୍ର ବେହେରା ଓ ମାତା ନିରବତୀ ବେହେରାଙ୍କ ତୃତୀୟ ପୁତ୍ର । ମୃତ୍ୟୁ ପରେ କୌଣସି ବିଧିବିଧାନ ନକରିବା ତାଙ୍କ ଶେଷ ଇଚ୍ଛା ଥିଲା। ଆମେରିକା ନାଗରିକତ୍ବ ନେବାରେ ସେ ପ୍ରଥମ କଳାହାଣ୍ଡିବାସୀ। ଓଡ଼ିଆ ସଂସ୍କୃତିକୁ ଆମେରିକାରେ ପହଞ୍ଚାଇଥିବା ବେଳେ ଓଡ଼ିଆ ସୋସାଇଟି ଅଫ୍‌ ଆମେରିକା ଗଢ଼ିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ୧୯୮୫–୧୯୮୭ ପର୍ଯ୍ୟନ୍ତ ସେ ଏହି ସୋସାଇଟିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ବିୟୋଗରେ ଆମେରିକା, ଓଡ଼ିଆ ସୋସାଇଟି ଓ କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe