ପୁଣି କାଳବୈଶାଖୀ: ଘଣ୍ଟାଏରେ ସବୁ ଛାର୍‌ଖାର, କାର୍‌ ଉପରେ ଗଛ ପଡ଼ି ଜଣେ ମୃତ

Advertisment
ପୁଣି କାଳବୈଶାଖୀ: ଘଣ୍ଟାଏରେ ସବୁ ଛାର୍‌ଖାର, କାର୍‌ ଉପରେ ଗଛ ପଡ଼ି ଜଣେ ମୃତ

ରାଉରକେଲା : ଦୁଇ ଦିନ ହେଲା କଳା ବୈଶାଖୀ ସୁନ୍ଦରଗଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଝଡ଼ତୋଫାନ, କୁଆପଥର ମାଡ଼ ସହ ବର୍ଷା ଯୋଗୁଁ ବହୁ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଅବରୋଧ ସାଙ୍ଗକୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। କେତେକ ସ୍ଥାନରେ କଚା ଘର ଓ ସ୍କୁଲ ଛପର ଉଡ଼ିଯାଇଛି। ନୂଆଗାଁ ବ୍ଲକ୍‌ର ହାତୀବାରି ଠାରେ ଏକ କାର୍‌ ଉପରେ ଗଛ ଭାଙ୍ଗି ପଡ଼ିବାରୁ କାର୍‌ରେ ଥିବା ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।

ଆଜି ଅପରାହ୍‌ଣ ସାଢେ ୫ଟା ବେଳେ ରାଉରକେଲା ସମେତ ଜିଲ୍ଲାର କୁଆରମୁଣ୍ଡା, ବୀରମିତ୍ରପୁର, ନୂଆଗାଁ, ହାତୀବାରି, ସୁନ୍ଦରଗଡ଼, ହେମଗିର ସମେତ ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ସହିତ କୁଆପଥର ବର୍ଷା ହୋଇଥିଲା। ହାତୀବାରି ଫରେଷ୍ଟ ଅଫିସ ନିକଟରେ ଏକ ଗଛ କାର୍‌ ଉପରେ ଭାଙ୍ଗି ପଡ଼ିବାରୁ କାର୍‌ରେ ଥିବା ବୀରମିତ୍ରପୁର ଟୁଙ୍ଗୁରୀଦଫେଇର ସୁରେନ୍ଦ୍ର ସୁନାନୀ (୩୫)ଙ୍କର ମୃତ୍ୟୁ ଘଟିଛି। ସୁରେନ୍ଦ୍ରଙ୍କ ପତ୍ନୀ ମଂଜୁ ଫରେଷ୍ଟ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଛନ୍ତି। ତାଙ୍କୁ ଅଫିସରୁ ଘରକୁ ଆଣି ଛାଡିବା ପରେ କାରକୁ ଗ୍ୟାରେଜରେ ପୂରାଉଥିବା ବେଳେ ଅଗଣାରେ ବଡଗଛ ହଠାତ୍‌ ଭାଙ୍ଗି କାର ଉପରେ ପଡିଯାଇଥିଲା। ଭଙ୍ଗା ଗଛ ତଳେ ଚାପି ହୋଇଥିବା କାର୍‌ରୁ ସୁରେନ୍ଦ୍ରଙ୍କ ମୃତଦେହ ରାତି ୯ଟା ପର୍ଯ୍ୟନ୍ତ ବାହାର କରାଯାଇ ପାରି ନାହିଁ। ସ୍ଥାନୀୟ ଲୋକଙ୍କ ସହଯୋଗରେ ହାତୀବାରି ପୁଲିସ ଗଛ କାଟି ମୃତଦେହ ବାହାର କରିବାକୁ ଉଦ୍ୟମ କରୁଛି। ମୃତ ସୁରେନ୍ଦ୍ର ୩/୪ ଦିନ ପୂର୍ବେ କାର୍‌ଟି କିଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe