ବହୁ ପ୍ରତୀକ୍ଷିତ କାଲେରୁ ସେତୁ ଉଦ୍‌ଘାଟିତ : ସଡ଼କ ପଥରେ ୪ରାଜ୍ୟକୁ ବାଟ ଫିଟିଲା

Advertisment
ବହୁ ପ୍ରତୀକ୍ଷିତ କାଲେରୁ ସେତୁ ଉଦ୍‌ଘାଟିତ : ସଡ଼କ ପଥରେ ୪ରାଜ୍ୟକୁ ବାଟ ଫିଟିଲା

କାଲିମେଳା : ଆଉ କରିବାକୁ ପଡ଼ିବନି ବିପଦପୂର୍ଣ୍ଣ ଜଳଯାତ୍ରା। ଦୂରତା ବି କମିଲା। ୪ରାଜ୍ୟକୁ ସଡ଼କ ପଥରେ ବାଟ ଫିଟିଲା। ଓଡ଼ିଶା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ଲୋକ ଉପକୃତ ହେବେ। ଆନ୍ଧ୍ର ସରକାରଙ୍କ ଏହି ଗୋଟିଏ ପୋଲ ଆଗକୁ ବିକାଶକୁ ଦ୍ବିଗୁଣ କରିବାକୁ ଯାଉଛି।

ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଆଜି ଆନ୍ଧ୍ର-ଓଡ଼ିଶା ସୀମାରେ ‌ସିଲେରୁ ନଦୀରେ କାଲେରୁ ସେତୁ ଉଦ୍‌ଘାଟିତ ହୋଇଛି। ଆନ୍ଧ୍ର ପ୍ରଦେଶ ସରକାର ୨୨କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରିଛନ୍ତି। ସେହିପରି ସେତୁ ପାଇଁ ଓଡ଼ିଶା ପଟେ ଥିବା ୩ଶହ ମିଟର ରାସ୍ତାକୁ ୧.୭୦ କୋଟି ଟଙ୍କାରେ ବ୍ୟୟରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ନିର୍ମାଣ ହୋଇଛି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ସୀମାନ୍ତ ମୋଟୁ ନିକଟରେ ଏହି ପୋଲକୁ ରାଞ୍ଚି-ବିଜୟୱାଡ଼ା ୩୨୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରି ନିର୍ମାଣ କରାଯାଇଛି। ଏହି ସେତୁ ଦେଇ ସିଧାସଳଖ ଆନ୍ଧ୍ରର ବିଶାଖାପାଟଣା, ବିଜୟଓ୍ବାଡ଼ା, ଭଦ୍ରାଚଳମ୍, କାକିନାଡ଼ା, ଖମାମ ଏବଂ ଛତିଶଗଡ଼ ରାଜ୍ୟକୁ ମଧ୍ୟ ସଡ଼କ ପଥ ଦେଇ ଯାତାୟାତ ହୋଇପାରିବ। ସେହିପରି ମହାରାଷ୍ଟ୍ରକୁ ବି ପୂର୍ବ ଅପେକ୍ଷା ଦୂରତା କମିବ ବୋଲି ଜଣାପଡ଼ିଛି।

ବର୍ଷକ ତଳେ ପୋଲ ନିର୍ମାଣ କାମ ଶେଷ ହୋଇଥିଲେ ମଧ୍ୟ ଲୋକାର୍ପଣ ହୋଇପାରି ନଥିଲା। ତେଣୁ ଗତ ସପ୍ତାହରେ ୪ଟି ରାଜ୍ୟର ଲୋକ ଗଣଧାରଣା ଦେଇଥିଲେ। ଏହାପରେ ଆଜି ଆନ୍ଧ୍ରପ୍ରଦେଶ ପରିବହନ ବିଭାଗର ଯୁଗ୍ମ ନିର୍ଦେଶକ ଚକ୍ରଧର ବାବୁ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଆନ୍ଧ୍ର ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଏ.ଭେଙ୍କଟରାବଣା, ପୂର୍ବ ଗୋଦାବରୀ ଜିଲ୍ଲାପାଳ ଏ. ମୁରଲୀଧର ଓ ଏସ୍‌ପି ଯୋଗ ଦେଇଥିଲେ। ସେହିପରି ଓଡ଼ିଶାର ନବରଂଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ଚିତ୍ରକୋଣ୍ତା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡ଼କାମୀ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢ଼ି, କାଲିମେଳା ବିଡିଓ ଉମା ଶଂକର ଦଳାଇ, କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ, ମୋଟୁ ତହସିଲଦାର ଭବାନୀ ଶଂକର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ପ୍ରମିଳା ଦାସ, ଉତ୍ତମ ରାୟ ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ବାରମ୍ବାର ଉଦ୍ୟମ କ୍ରମେ ଆନ୍ଧ୍ର ସରକାର ଏହି ପୋଲ ନିର୍ମାଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe