ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ୍‌ କର: ମୁଖ୍ୟମନ୍ତ୍ରୀ

Advertisment

ସାରା ରାଜ୍ୟରେ ବୁଲିବ କାଳିଆ ରଥ

ସାରା ରାଜ୍ୟରେ ବୁଲିବ କାଳିଆ ରଥ

ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ୍‌ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କାଳିଆ ଯୋଜନାରେ ସମସ୍ତ ଚାଷୀଙ୍କୁ ସାମିଲ୍ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ କାଳିଆ ଯୋଜନା ‌ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପଞ୍ଚାୟତ ସ୍ତରରେ କାଳିଆ ରଥ ବୁଲିବ। ସେହିପରି କାଳିଆ ଯୋଜନାରୁ ଯେପରି ଜଣେ ବି ଯୋଗ୍ୟ ଚାଷୀ ବାଦ୍‌ ପଡ଼ିବେନି ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସଂଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାର ସମୀକ୍ଷା କରିବା ପରେ କହିଛନ୍ତି ଯେ, ଯଥା ସମ୍ଭବ ଶୀଘ୍ର ସମସ୍ତ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ୍ କର।

କାଳିଆ ରଥ ପରିକ୍ରମା ସମୟରେ ଗ୍ରାମପଞ୍ଚାୟତ ସ୍ତରରେ ଆଞ୍ଚଳିକ କଳାକାରଙ୍କ ଦ୍ବାରା କାଳିଆ ଯୋଜନା ସମ୍ବନ୍ଧରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଅଡିଓ ଓ ଭିଡ଼ିଓ ପ୍ରଦର୍ଶନ, ଚାଷୀଙ୍କୁ ସମ୍ମାନିତ କରିବା, କୁଇଜ୍ ପ୍ରତିଯୋଗିତା, କାଳିଆ ଯୋଜନା ସମ୍ପର୍କିତ ପ୍ରଚାରପ୍ରସାର ପତ୍ର ବାଣ୍ଟିବାକୁ ସ୍ଥିର ହୋଇଛି।

ସେହିପରି କେଉଁ ଅଞ୍ଚଳରେ କାଳିଆ ରଥ କେବେ ପରିକ୍ରମା କରିବ ସେନେଇ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ଜିଲ୍ଲା ପ୍ରଶାସନକୁ ଆଗୁଆ ସୂଚନା ‌େଦବ। ଜିଲ୍ଲା ପ୍ରଶାସନ ବ୍ଲକ ଅନୁଯାୟୀ କାଳିଆ ରଥର ପରିକ୍ରମା ମାର୍ଗ ଚୂଡ଼ାନ୍ତ କରିବ। କାଳିଆ ରଥ ପରିକ୍ରମା ମାର୍ଗ ଚୂଡ଼ାନ୍ତ ହେବା ପରେ ବ୍ଲକସ୍ତରୀୟ ନୋଡାଲ ଅଧିକାରୀ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଅନ୍ତତଃପକ୍ଷେ ତିନିଟି କାର୍ଯ୍ୟକ୍ରମର ଆୟୋଜନ କରିବେ। ଗ୍ରାମପଞ୍ଚାୟତ ନୋଡାଲ ଅଧିକାରୀ ଏବଂ କାଳିଆ ସ୍ବେଚ୍ଛାସେବୀମାନଙ୍କୁ ଏହି କାର୍ଯ୍ୟକ୍ରମ ସମନ୍ବୟ ଓ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମବାୟ ବିଭାଗ କାଳିଆ ଯୋଜନାକୁ କୃଷକ ସମ୍ପର୍କ ଅଭିଯାନ ମାଧ୍ୟମରେ ଲୋକପ୍ରିୟ କରିବାକୁ ଦାୟିତ୍ବ ଦିଆଯାଇଥିବାବେଳେ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ କାଳିଆ ରଥ ଅଭିଯାନ ମାଧ୍ୟମରେ ସଚେତନତା ସୃଷ୍ଟି କରିବ। କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ସହିତ କାଳିଆ ଯୋଜନାରେ ଉପଲବ୍ଧ ହେଉଥିବା ବିଭିନ୍ନ ସହାୟତା ଗ୍ରାମାଞ୍ଚଳର କୃଷି ପରିବାରଙ୍କ ପାଖରେ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe