‘କାଳିଆ’ ସହାୟତା ଋଣ ବାବଦକୁ କଟିବନି

Advertisment
‘କାଳିଆ’ ସହାୟତା ଋଣ ବାବଦକୁ କଟିବନି

ଭୁବନେଶ୍ବର : ଚାଷୀଙ୍କୁ ସହାୟତା ନେଇ ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାକୁ ସୂଚାରୁ ରୁପେ କାର୍ଯ୍ୟକାରୀ କରିବାରେ ସରକାରଙ୍କୁ ସବୁ ପ୍ରକାର ସହଯୋଗ କରାଯିବ । ଗୁରୁବାର ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ବ୍ୟାଙ୍କ ସମୂହ ଏହି ପ୍ରତିଶ୍ରୁତି ଦେଇଛନ୍ତି। କାଳିଆ ଯୋଜନାରେ ଚାଷୀକୁ ମିଳିବାକୁ ଥିବା ସହାୟତାରୁ ଚାଷୀର ପୂର୍ବ ଋଣ କିସ୍ତି ବାବଦରେ ଟଙ୍କାଟିଏ ବି କଟାଯିବନି ବୋଲି ବ୍ୟାଙ୍କଗୁଡ଼ିକୁ ସରକାର କହିଛନ୍ତି।

ବୈଠକରୁ ଜଣାପଡ଼ିଛି, କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୨୨ ଲକ୍ଷ ୮୦ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ଜାନୁଆରି ପ୍ରଥମ ସପ୍ତାହରେ ପଞ୍ଚାୟତ ଅଫିସ ଓ ପ୍ରାଥମିକ ସମବାୟ ସମିତି କାର୍ଯ୍ୟାଳୟ ଆଗରେ ଲଗାଯାଇଥିଲା । ମୋଟ ୧୩ ଲକ୍ଷ ୩ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଭିତରୁ ୫୭ ହଜାର ୬୧୪ ଜଣ ଭାଗଚାଷୀ ସାମିଲ ଥିଲେ । ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ରବି ଫସଲ ସହାୟତା ବାବଦରେ ଅର୍ଥ ଜମା କରାଯାଇଥିଲା । ଅସମ୍ପୂର୍ଣ୍ଣ ସୂଚନା ଥିବା ବାକି ୯ ଲକ୍ଷ ଚାଷୀଙ୍କ ତାଲିକା ଦ୍ବିତୀୟ ପର୍ଯ୍ୟାୟ ହିତାଧିକାରୀ ଭାବେ ସମ୍ପୃକ୍ତ ଗ୍ରାମ ପଞ୍ଚାୟତରେ ଲଗାଯାଇଥିଲା । ପ୍ରଥମ ପର୍ଯ୍ୟାୟ ଟଙ୍କା ସ୍ଥାନାନ୍ତରଣ ପୂର୍ବରୁ ପରୀକ୍ଷାମୂଳକ ଭାବେ ୭ ଲକ୍ଷ ୪ ହଜାର ହିତାଧିରାକୀଙ୍କ ବ୍ୟାଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ଡିିବିଟି ଜରିଆରେ ସ୍ଥାନାନ୍ତରଣ କରାଯାଇଛି । ୧୩ ଲକ୍ଷ ୩ ହଜାର ହିତାଧିକାରୀଙ୍କ ଭିତରୁ ମାତ୍ର ୨ ପ୍ରତିଶତ ହିତାଧିକାରୀଙ୍କ ପାଖରେ ସହାୟତା ପହଞ୍ଚିପାରିନାହିଁ । ଏ ତ୍ରୁଟିକୁ ସୁଧାରିବା ପାଇଁ କୃଷି ବିଭାଗ ଏବେ କାମ କରୁଛି । ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ନିଷ୍ପତ୍ତି ଅନୁଯାୟୀ ଆଗକୁ ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ମଧ୍ୟ ସମ୍ପୃକ୍ତ ଜିଲ୍ଲାରେ କାଳିଆ ଯୋଜନାର ସଫଳ ରୂପାୟନ ପାଇଁ ମଧ୍ୟ ବ୍ୟାଙ୍କଗୁଡ଼ିକ ସହ ସମନ୍ବୟ ବୈଠକ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe