ବିଶ୍ୱ ଆଦିବାସୀ ଦିବସରେ ଅଲୋଡ଼ା ଦୃଶ୍ୟ : ବାପା ଶବଯାତ୍ରା ପାଇଁ ଖଇ ଭାଜୁଛି ଶିଶୁକନ୍ୟା

ବିଶ୍ୱ ଆଦିବାସୀ ଦିବସରେ ଅଲୋଡ଼ା ଦୃଶ୍ୟ : ବାପା ଶବଯାତ୍ରା ପାଇଁ ଖଇ ଭାଜୁଛି ଶିଶୁକନ୍ୟା

କାଳିଆପାଣି : ବାପାର ଶବଯାତ୍ରା ପାଇଁ ୭ ବର୍ଷର ଝିଅ ନିଜ ଅଗଣାରେ ଖଇ ଭାଜୁଛି। ବିଶ୍ବ ଆଦିବାସୀ ଦିବସରେ ଆଜି ଏଭଳି ଅଲୋଡ଼ା ଦୃଶ୍ୟ ଦେଖିବାକୁ ମିଳିଛି।

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତ ୨ ନଂ ୱାର୍ଡ ଅନ୍ତର୍ଗତ ବିର୍ସାନଗର ବସ୍ତିର ଯକ୍ଷ୍ମା ରୋଗାକ୍ରାନ୍ତ ସୁନାରାମ କିସ୍କୁ(୨୯)ଙ୍କ ଆଜି ମୃତ୍ୟୁ ଘଟିଛି। ତାଙ୍କର ଦୁଇ ଶିଶୁ ଫୁଲମଣି(୭) ଓ ଦେବେନ୍ଦ୍ର(୫) ଏବେ ବେସାହାରା ହୋଇଯାଇଛନ୍ତି। ଆଜି ବାପାଙ୍କ ଶବ ପାଖେ ବସିଥିବା ଦୁଇ ନିଷ୍ପାପ ଶିଶୁ ନିର୍ବାକ୍‌ ପାଲଟି ଯାଇଥିଲେ। ସାଙ୍ଗସାଥୀ ଭଳି ପା‌ଖେ ପା‌ଖେ ଜଗି ରହୁଥିବା ବାପାଙ୍କ ଅକାଳ ନିଧନରେ ଶିଶୁ ଦ୍ବୟଙ୍କ ଅସହାୟତା ସ୍ପଷ୍ଟ ବାରିହୋଇ ପଡ଼ୁଥିଲା। କୋହକୁ ଚାପି ରଖି ବାପାଙ୍କ ଶବଯାତ୍ରା ପାଇଁ ଅନାଥ ଶିଶୁକନ୍ୟା ଫୁଲମଣି ନିଜ ଘର ଅଗଣା ଚୁଲିରେ ଖଇ ଭାଜୁଥିବାର ଦୃଶ୍ୟ ଆଜି ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଥିଲା। ଦୁଇ ଶିଶୁ ଅନ୍ତିମ ସଂସ୍କାରରେ ପାରମ୍ପରିକ କ୍ରିୟାକର୍ମ କରିଥିଲେ। ସକାଳୁ ଉପବାସରେ ୭ ଘଣ୍ଟା ଧରି ଭୋକରେ ଆଉଟୁ ପାଉଟୁ ହେଉଥିଲେ ମଧ୍ୟ କାହା ହାତରୁ କିଛି ଖାଇନଥିଲେ।

publive-image

ସୂଚନାଯୋଗ୍ୟ ଯେ, ଶୈଶବ ଅବସ୍ଥାରେ ଦୁଇ ପୁଅଝିଅଙ୍କୁ ଛାଡ଼ି ମାଆ ପ୍ରାୟ ୩ବର୍ଷ ପୂର୍ବେ କେଉଁଆଡେ ଚାଲିଗଲେ। ସେବେଠୁ ଦୁଇ ଶିଶୁ ସନ୍ତାନଙ୍କ ଲାଳନପାଳନ ବୋଝ ସୁନାରାମଙ୍କ ଉପରେ ପଡ଼ିଥିଲା। ବିରହ ବେଦନା ଭିତରେ ବି ସେ ପିଲାମାନଙ୍କ ଅଳି ଅଝଟ ବୁଝିବାରେ ଅବହେଳା କରୁନଥିଲେ। ଦୁଇମାସ ତଳେ ସେ ଯକ୍ଷ୍ମା ରୋଗାକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ। ସରକାରୀ ଯୋଜନାରେ ଔଷଧ (ଡଟ୍ସ) ଆଣିଥିଲେ ସତ, କିନ୍ତୁ ଏହାକୁ ନିୟମିତ ଖାଉନଥିଲେ। ରୋଗ ଦାଉରୁ ମାସେ ହେଲା ସେ ଭଲରେ ଚଲାବୁଲା କରିପାରୁନଥିଲେ। ଝିଅ ଫୁଲମଣି ରୋଷେଇ କରି ଗତକାଲି ରାତି ବାପାଙ୍କୁ ଖୁଆଇ ଦେଇଥିଲା। ହେଲେ ଆଜି ସକାଳୁ ବାପା ଆଉ ଶେଯରୁ ଉଠିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe